ହେଡଲାଇନସ୍:

ସମାଜ ବିଜ୍ଞାନରେ ବୈଜ୍ଞାନିକ ଦୃଷ୍ଟିକୋଣ ରହିବା ଆବଶ୍ୟକ : ନଜମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟରେ ୪୨ତମ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସ୍‍ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସ୍‍ର ୪୨ତମ ଅଧିବେଶନ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି ମଣିପୁର ରାଜ୍ୟପାଳ ଡ. ନଜ୍‍ମା ହେପତୁଲ୍ଲା କହିଲେ, ବିଜ୍ଞାନ ଓ ସମାଜବିଜ୍ଞାନ କ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି । ବିଜ୍ଞାନ ଓ ସମାଜବିଜ୍ଞାନର ସମସ୍ତ କ୍ଷେତ୍ର ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ । ସେ କହିଲେ, ସମାଜ ବିଜ୍ଞାନରେ ବୈଜ୍ଞାନିକ ଦୃଷ୍ଟିକୋଣ ରହିବା ଆବଶ୍ୟକ । ସମାଜବିଜ୍ଞାନୀ ଓ ବୈଜ୍ଞାନିକମାନେ ଏକାଠି ହୋଇ କାର୍ଯ୍ୟ କଲେ ସମାଜର ତୃଣମୂଳସ୍ତରରେ ଲୋକମାନେ ଅଧିକ ଉପକୃତ ହୋଇପାରିବେ । ବୈଜ୍ଞାନିକ ଓ ସମାଜବିଜ୍ଞାନୀମାନେ ଏକାଠି ଦେଶର କୋଣ ଅନୁକୋଣରେ ଜ୍ଞାନ ଓ ବୈଷୟିକ କୌଶଳକୁ ପହଞ୍ଚାଇ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଇନ୍‍ଷ୍ଟିଚୁ୍ୟଟ୍‍ ବାୟୋରିସୋର୍ସେସ୍‍ ଆଣ୍ଡ ସଷ୍ଟେନେବଲ୍‍ ଡେଭେଲପ୍‍ମେଣ୍ଟ (ଆଇବିଏସ୍‍ଡ଼ି)ର ନିର୍ଦ୍ଦେଶକ  ପ୍ରଫେସର ଦୀନବନ୍ଧୁ ସାହୁ କହିଲେ, ବିଜ୍ଞାନ କ୍ଷେତ୍ରରେ ସମାଜ ବିଜ୍ଞାନର ମଧ୍ୟ ଆବଶ୍ୟକତା ରହିଛି । ସମାଜର ବିକାଶ ପାଇଁ ବୈଜ୍ଞାନିକ ଓ ସମାଜବିଜ୍ଞାନୀମାନେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ । କାରଣ ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ଜ୍ଞାନ ଆହରଣ କରିପାରିବେ ଏବଂ ଏହାକୁ ଲୋକକଲ୍ୟାଣରେ ଲଗାଇ ପାରିବେ । ଚଳିତ ସମାଜ ବିଜ୍ଞାନ କଂଗ୍ରେସର ବିଷୟ ବସ୍ତୁ ରହିଛି ‘ହ୍ୟୁମାନ ଫ୍ୟୁଚର ଇନ୍‍ ଡିଜିଟାଲ୍‍ ଏରା’ । ଭାରତୀୟ ସମାଜ ବିଜ୍ଞାନ ଏକାଡେ଼ମୀ ପକ୍ଷରୁ ପ୍ରତିବର୍ଷ ଏହି କଂଗ୍ରେସ  ଅନୁଷ୍ଠିତ  ହୋଇଥାଏ । ଏଥିରେ ଦେଶ ଓ ବିଦେଶରୁ ସମାଜବିଜ୍ଞାନୀ, ଗବେଷକ ଓ ସମାଜବିଜ୍ଞାନ ଛାତ୍ରଛାତ୍ରୀ ଯୋଗ ଦେଇଥାନ୍ତି । ଡିସେମ୍ବର ୨୬ରୁ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କଂଗ୍ରେସରେ ୫ଶହରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଛନ୍ତି । କଂଗ୍ରେସର ବିଭିନ୍ନ ଦିବସରରେ ୪ଶହରୁ ଊଦ୍ଧ୍ୱର୍ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରାଯିବ । ଏହା ଛନା ସମାଜବିଜ୍ଞାନର ବିଭିନ୍ନ ବିଷୟବସ୍ତୁ ଉପରେ ୨୮ଟି ଗବେଷଣା କମିଟି ଓ ୨୧ଟି ପ୍ୟାନେଲ୍‍ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଡ. ଦେବେନ୍ଦ୍ର ଶର୍ମା କୃଷି ଉପରେ ତୃତୀୟ ବି. ଭି. ରଙ୍ଗାରାଓ ସ୍ମାରକୀ ବକ୍ତୃତା ପ୍ରଦାନ କରିବାକୁ ଥିବା ବେଳେ ଡ. ମାର୍କ ଲିଣ୍ଡଲେ ‘ଡିଜିଟାଇଜ୍‍ଡ ୱାର୍ଲ୍ଡ ଇକୋନୋମି’ ଉପରେ ବକ୍ତୃତା ପ୍ରଦାନ କରିବେ । ଏହି କଂଗ୍ରେସର ୮ଟି ବିଭିନ୍ନ ଅଧିବେଶନରେ ବିଶିଷ୍ଟ ସମାଜବିଜ୍ଞାନୀ ଓ ବୈଜ୍ଞାନକମାନେ ହୁ୍ୟମାନ୍‍ ଫୁ୍ୟଚର୍‍ ଇନ୍‍ ଡିଜିଟାଲ୍‍ ଏରା ଉପରେ ଆଲୋଚନା କରିବେ । ଭାରତୀୟ ସମାଜ ବିଜ୍ଞାନ ଏକାଡେ଼ମୀ ଓ ୪୨ ତମ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସର ସଭାପତି ପ୍ରଫେସର ବିନୋଦ ଅଗ୍ରୱାଲ ସଭାପତିତ୍ୱ ଅଭିଭାଷଣରେ ହ୍ୟୁମାନ ଫ୍ୟୁଚର ଇନ୍‍ ଡିଜିଟାଲ୍‍ ଏରା ଉପରେ ଆଲୋକପାତ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା  ଡ଼ ଅଚ୍ୟୁତ ସାମନ୍ତ  ତାଙ୍କ ବାର୍ତ୍ତାରେ ୪୨ତମ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସ କିଟରେ  ଅନୁଷ୍ଠିତ  ହେଉଥିବାରୁ ଭାରତୀୟ ସମାଜ ବିଜ୍ଞାନ ଏକାଡେମୀର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ତଥା କଂଗ୍ରେସର ଆୟୋଜନ କମିଟିର ସମ୍ପାଦିକା ଡ. ସସ୍ମିତା ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏକାଡେମୀର ସାଧାରଣ ସମ୍ପାଦକ ଡ. ଏନ୍‍. ପି. ଚୌବେ, ଉପସଭାପତି ପ୍ରଫେସର ଭି. ଏନ୍‍ ଭୋରାସ୍କର, ପୂର୍ବତନ ସଭାପତି ପ୍ରଫେସର ଜି. ଡି. ଶର୍ମା, ବିନୋଦ କୁମାର ଗୌର, ଆୟୋଜନ କମିଟିର ଯୁଗ୍ମ ସଂପାଦକ ଡ. ବଂଶୀଧର ମୂଳିଆ ଓ ଡ. ବିଶ୍ୱବନ୍ଦିତା କର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମଣିପୁର ରାଜ୍ୟପାଳ ଡ. ହେପତୁଲ୍ଲା କିସ୍‍ ଓ କିଟ୍‍ ପରିଦର୍ଶନ କରିବା ସହ କିସ୍‍ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।

0
0
0
s2sdefault