ହେଡଲାଇନସ୍:

ଆଗାମୀ କଂଗ୍ରେସ, ସଶକ୍ତ କଂଗ୍ରେସ : ଭକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କଂଗ୍ରେସ ଜନତାଙ୍କ ଏକମାତ୍ର ବିକଳ୍ପ

  • ସଙ୍ଗଠନ ସୃଜନ କଂଗ୍ରେସର ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚାୟକ

ଭୁବନେଶ୍ୱର, ତା ୭/୯/୨୫ :- ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ଗଣମାଧ୍ୟମ ବିବୃତ୍ତିରେ କହିଛନ୍ତି ଯେ, ଦେଶରେ ସମ୍ବିଧାନ, ଭୋଟ ଚୋରୀ, ନାରୀ ନ୍ୟାୟ ଆଦି ବିଷୟକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନତାଙ୍କ ପାଖକୁ ଯାଉଛନ୍ତି। ଆମେ ମଧ୍ୟ ପ୍ରଦେଶ ସ୍ତରରେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଯେଭଳି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆବଶ୍ୟକ ସମସ୍ତ ପ୍ରୟାସ କରୁଛୁ । ରାହୁଲ ଗାନ୍ଧୀଙ୍କ ଏହି ପ୍ରୟାସ ବର୍ତ୍ତମାନ ଏକ ଜନ ଜାଗରଣର ରୂପ ନେବାକୁ ବସିଲାଣି।
ସଙ୍ଗଠନ ସୃଜନ ଅଭିଯାନ ରାହୁଲ ଗାନ୍ଧୀଙ୍କ ଏକ ଅନନ୍ୟ ପ୍ରୟାସ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। କଂଗ୍ରେସ ଦଳର ୩୫ ଗୋଟି ସାଙ୍ଗଠନିକ ଜିଲ୍ଲା ପାଇଁ ଏଆଇସିସିରୁ ଜଣେ ଏବଂ ପିସିସିରୁ ତିନିଜଣ ଏଭଳି ଚାରିଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଏହି ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜିଲ୍ଲାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହ ପରିଲକ୍ଷିତ ହେଉଛି, ଯାହା କଂଗ୍ରେସ ଦଳର ଭବିଷ୍ୟତ ପାଇଁ ଅତି ଶୁଭଙ୍କର ବିଷୟ। ଏହି ପ୍ରକ୍ରିୟାକୁ ଦଳର ଅଗଣିତ ନେତା ଓ କର୍ମୀ ଯେଭଳି ଉତ୍ସବମୁଖର କରୁଛନ୍ତି, ତାହା ସାଧାରଣ ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡୁଛି। ଆଗାମୀ ୧୪ ତାରିଖରେ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମର ପରିସମାପ୍ତି ହୋଇ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ନିଯୁକ୍ତି ହେବ।

ସେ ପୁଣି କହିଛନ୍ତି, ତୃଣମୂଳ ସ୍ତରରେ ଏଭଳି ଗଣତାନ୍ତ୍ରିକ ଉପାୟରେ, ସମସ୍ତ କଂଗ୍ରେସ କର୍ମୀଙ୍କ ମତାମତକୁ ସମ୍ମାନ ଦେଇ ନେତା ଚୟନର ଏତେ ବ୍ୟାପକ କାର୍ଯ୍ୟକ୍ରମ କେବଳ କଂଗ୍ରେସ ଦଳ ପକ୍ଷରେ ହିଁ ସମ୍ଭବ। କାରଣ କଂଗ୍ରେସ ସବୁବେଳେ ଗଣତନ୍ତ୍ର, ସମ୍ବିଧାନ ଏବଂ ଲୋକଙ୍କ ଅଧିକାର ଉପରେ ଅଗ୍ରାଧିକାର ଦେଇଥାଏ । କଂଗ୍ରେସ କେବଳ ଗଣତନ୍ତ୍ରର ଭାଷଣ ଦିଏ ନାହିଁ, ବରଂ ଗଣତାନ୍ତ୍ରିକ ଉପାୟରେ ନିଜ ଦଳକୁ ନିର୍ମାଣ କରିବାରେ ବିଶ୍ୱାସ କରେ ।

ସଙ୍ଗଠନ ସୃଜନ ଅଭିଯାନରେ ଅତ୍ୟନ୍ତ ଉତ୍ସାହ ସହକାରେ ଅଂଶଗ୍ରହଣ କରୁଥିବାରୁ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏବଂ କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ରାହୁଲ ଗାନ୍ଧୀଙ୍କ ନୀତିଗତ ପ୍ରୟାସକୁ ନେଇ ଆଗାମୀ ଦିନରେ କଂଗ୍ରେସକୁ ଅଧିକ ମଜବୁତ କରାଯାଇ ଲୋକଙ୍କ ଅଧିକାର ପାଇଁ ଅବିରାମ ସଂଘର୍ଷ କରାଯିବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ।

0
0
0
s2sdefault