ସେପ୍ଟେମ୍ବର ୨୦ ସୁଦ୍ଧା ସବୁ ରାସ୍ତାର ଖାଲଖମା ମରାମତି ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
-
- ରାସ୍ତା ମରାମତି ନେଇ ଆସିବ ସ୍ୱତନ୍ତ୍ର ନୀତି
-
- ଅଞ୍ଚଳ ଗସ୍ତକରି ଆସନ୍ତା ଦୁଇଦିନ ମଧ୍ୟରେ ରାସ୍ତାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର ୦୬/୦୯/୨୦୨୫:ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର-କଟକ ସମେତ ସବୁ ସହର ଏବଂ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ୟୁନିଟ୍-୫ସ୍ଥିତ ନିର୍ମାଣ ସୌଧ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ ସହର ତଥା ସମସ୍ତ ଜିଲ୍ଲାର ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ କରିଥିଲେ ।
ବର୍ଷାଋତୁ ଆସିଲେ ରାସ୍ତାରେ ଖାଲଖମା ହେବା ଏବଂ ରାସ୍ତା ଖରାପ ହେବା ଏକ ସାଧାରଣ ପ୍ରକ୍ରିୟା । ତେବେ ଏହାକୁ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ଆମ ସରକାରଙ୍କ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ବର୍ତ୍ତମାନ ନୂତନ ନିଯୁକ୍ତି ଜରିଆରେ ବହୁ ପ୍ରତିଭାବାନ ଅଧିକାରୀ ଓ ଇଞ୍ଜିନିୟରମାନେ ବିଭାଗରେ ଯୋଗ ଦେଇଛନ୍ତି । ତେଣୁ, ଇଞ୍ଜିନିୟରମାନେ ସେମାନଙ୍କୁ ଜ୍ଞାନର ଉପଯୋଗ କରି ସ୍ଥାୟୀ ଓ ସୁନ୍ଦର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ । ଏଥି ସହ ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟର ସବୁ ପ୍ରମୁଖ ରାସ୍ତାକୁ ଖାଲଖମାମୁକ୍ତ କରିବା ଏବଂ ପରବର୍ତ୍ତୀ ଅକ୍ଟୋବର ୨ରୁ ଖରାପ ଅବସ୍ଥାରେ ଥିବା ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ମନ୍ତ୍ରୀ ବିଭାଗରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହିତ ରାସ୍ତାର ସ୍ଥାୟିତ୍ୱ ଏବଂ ମରାମତି ସହ ଯେଉଁ ସଂସ୍ଥା ଓ ବିଭାଗମାନେ ରାସ୍ତା ବ୍ୟବହାର କରୁଛନ୍ତି ସେଥି ନେଇ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ନେଇ ମନ୍ତ୍ରୀ ସୂଚନା ଦେବା ସହିତ ସମ୍ପୃକ୍ତ ଇଞ୍ଜିନିୟରମାନେ ଆସନ୍ତା ଦୁଇଦିନ ମଧ୍ୟରେ ଅଞ୍ଚଳ ଗସ୍ତ କରି ରାସ୍ତାର ସ୍ଥିତି ବିଷୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଯୋଗଦେଇ କହିଲେ ଯେ ଅନେକ ସମୟରେ ବିଭିନ୍ନ ସଂସ୍ଥା ବିନା ଅନୁମତିରେ ପାଇପ୍ ବିଛାଇବା, ଇଲେକ୍ଟି୍ର ଲାଇନ୍ ପକାଇବା ଅବା ଅନ୍ୟ ୟୁଟିଲିଟି କରିଡର ନାମରେ ଭଲଥିବା ରାସ୍ତାକୁ ଖୋଳି ପକାଉଛନ୍ତି । ଏହା ଦ୍ୱାରା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ରାସ୍ତାଟି ଖରାପ ଅବସ୍ଥାକୁ ଚାଲିଆସୁଛି । ସେହିଭଳି ବିଏମ୍ସି, ଇଡ୍କୋ, ଓପିଟିସିଏଲ୍, ୱାଟ୍କୋ ଆଦିର ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ରାସ୍ତା-ଡ୍ରେନ୍ ଆଦି ଖରାପ ହେଉଛି । ତେଣୁ ରାସ୍ତାର ମରାମତି, ସ୍ଥାୟିତ୍ୱ ଏବଂ କ୍ଷତିଭରଣା ପାଇଁ କ’ଣ କରାଯାଇପାରିବ ସେଥିନେଇ ଆଲୋଚନା କରିଥିଲେ ।
ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଜୟଦେବ ବିଧାୟକ ଶ୍ରୀ ନବକିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ, ବିଏମ୍ସି କମିଶନର ଶ୍ରୀ ଚଞ୍ଚଳ ରାଣା, ସିଏମ୍ସି କମିଶନର ଶ୍ରୀ କିରନ୍ଦୀପ୍ କୌର ସହୋତା, ନଗର ଉନ୍ନୟନ ବିଭାଗ ମୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଡାକୁଆ, ବରିଷ୍ଠ ରାଜନେତା ଶ୍ରୀ ନୟନ କିଶୋର ମହାନ୍ତି ଓ ଶ୍ରୀ ଜଗନ୍ନାଥ ପ୍ରଧାନ, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏଲ୍. କେ. ପାଢ଼ୀ, ଇଆଇସି (ସିଭିଲ୍) ଶ୍ରୀ ସତ୍ୟବ୍ରତ ବେହେରା, ମୁଖ୍ୟଯନ୍ତ୍ରୀ (ରାସ୍ତା-୧) ଶ୍ରୀ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (ରାସ୍ତା-୨) ଶ୍ରୀ ଶିବବ୍ରତ ତରିଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ (ଭୁବନେଶ୍ୱର) ଶ୍ରୀ ମନୋଜ ମହାନନ୍ଦଙ୍କ ସମେତ ବିଭାଗର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।