ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ କରାଇବାର ଯୋଜନା ସରକାରଙ୍କର ନାହିଁ- ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରାଯାଇ ବାଙ୍ଗିରିପୋଷି ନୂତନ ଜିଲ୍ଲା ଗଠନ ପ୍ରସ୍ତାବ ଖବର ଏକ ଗୁଜବ ଓ ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ କରାଇବାର କୌଣସି ଯୋଜନା ଓଡ଼ିଶା ସରକାରଙ୍କର ନାହିଁ । ଅଥବା ରାଜ୍ୟ ସରକାରଙ୍କ ନିକଟରୁ ଏ ଭଳି କୌସି ସୂଚନା ତାଙ୍କ ନିକଟକୁ ଆସି ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ସେହିପରି ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ବାଙ୍ଗିରିପୋଷି ଜିଲ୍ଲା ପ୍ରସ୍ତାବ ଏକ ଅବାସ୍ତବ, କାରଣ ବାଙ୍ଗିରିପୋଷି ସବଡ଼ିଭିଜନ ହୋଇ ନ ଥିବା ବେଳେ ତାହାକୁ କିପରି ଏକ ନୂତନ ଜିଲ୍ଲା ଭାବେ ପ୍ରସ୍ତାବିତ କରାଯାଇ ପାରିବ ବୋଲି ପ୍ରଶ୍ନ କରିବା ସହିତ ଜିଲ୍ଲାବାସୀ ଏହି ଗୁଜବ ବା ଅପପ୍ରଚାରକୁ ବିଶ୍ୱାସକୁ ନ ନେବା ନିମନ୍ତେ ପରାମର୍ଶ ଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଅଖଣ୍ଡ ମୟୂରଭଞ୍ଜ ଦାବିରେ ଡ଼ିସେମ୍ବର ୨୬ରେ ମୟୂରଭଞ୍ଜ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ମୟୂରଭଞ୍ଜ ବନ୍ଦ ଡ଼ାକରା ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିବାରୁ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ସେମାନଙ୍କର ପ୍ରତିବାଦ କରିବାର ଅଧିକାର ରହିଥିବାରୁ ତା ଉପରେ କୌଣସି ପ୍ରତିକ୍ରିୟା ବା ମତାମତ ଦେବାର ନାହିଁ ବୋଲି କହିଥିଲେ ।