ଶୀତରେ ଥୁରୁ ଥୁରୁ ଖଣି ଅଂଚଳ, ପାରଦ ୬ ଡିଗ୍ରୀ ତଳେ..ଜନ ଜୀବନ ଅସ୍ତବ୍ୟସ୍ତ...ଘାସ ପତ୍ରରେ ବରଫର ଆସ୍ତରଣ
ବଡ଼ବିଲ(ଚିତ୍ତ ରଞ୍ଜନ କର)
ପ୍ରଚଣ୍ଡ ଶୀତରେ ଥରୁଛି ଖଣି ଅଂଚଳ । କେନ୍ଦୁଝର ଜିଲ୍ଲାର ଯୋଡ଼ା, ବଡ଼ବିଲ, କିରିବୁରୁ ଓ ଏହାର ଆଖ ପାଖ ଅଂଚଳରେ ଗତ ୪/୫ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଛି । ବିଶେଷ କରି ପାହାଡ଼ ଓ ଜଙ୍ଗଲ ଘେରା ଅଂଚଳରେ ଅଧିକ ଜାଡ଼ ଅନୁଭୂତ ହେଉଛି । ପାରଦ ୬ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଛି । କେତେକ ସ୍ଥାନରେ ଘାସ ଓ ପତ୍ର ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳୁଛି । ହାଡ଼ଭଙ୍ଗା ଶୀତ, ସାଧାରଣ ଜୀବନ ଯାପନକୁ ପ୍ରଭାବିତ କରିଛି । ସଂଧ୍ୟା ୭ଟା ପରେ ବଡ଼ବିଲ ସହର ଜନଶୂନ୍ୟ ହୋଇ ପଡ଼ୁଛି । ୮ଟା ବାଜୁ ବାଜୁ ଦୋକାନ ବଜାର ବନ୍ଦ ହୋଇଯାଉଛି । ଗାଡ଼ି ମୋଟର ଚଳାଚଳ ମଧ୍ୟ ହ୍ରାସ ପାଇଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଥିବା ବେଳେ ଚା’ ଦୋକାନୀଙ୍କ ବେପାର ଜମୁଛି । ଶୀତୁଆ ସକାଳରେ ଚା’ ଟିକେ ପିଇ ଦେଲେ ତହିଁରୁ କିଛିଟା ଆସ୍ୱସ୍ତିବୋଧ ହେଉଛି । ଜାଡ଼ ଯୋଗୁ ସକାଳ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଗରିବ ଗୁରୁବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନିଚ୍ଛା ସତ୍ୱେ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ପ୍ରବଳ ଶୀତ ଫଳରେ ଗୃହିଣୀ ମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଛି । ସମସ୍ତେ ଅପେକ୍ଷା କରି ରହୁଛନ୍ତି ଖରା କେତେବେଳେ ପଡ଼ିବ । ସକାଳ ୭ଟା ସୁଦ୍ଧା ଖରା ପଡ଼ିଲେ ମଧ୍ୟ ଶୀତ କମିବାର ନାଁ ନେଉନାହିଁ । ଗରମ ବସ୍ତ୍ର, ଚଦର, କମ୍ବଳ ଘୋଡ଼ାଇ ହୋଇ ନିଆଁ ପାଖରେ ବସି ରହିଲେ ଟିକେ ଆରାମ ଲାଗୁଛି । ସେପଟେ ଯୁବକ ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପାର୍କରେ ମର୍ଣ୍ଣିଂ ୱାକ୍ ଓ ଜଗିଂ କରି ନିଜକୁ ଫିଟ୍ ରଖିବା ସହିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଆଜି ସକାଳୁ ବଡ଼ବିଲ ସହରର ତାପମାତ୍ରା ୬ ଡିଗ୍ରୀ ତଳକୁ ରହିଥିବା ବେଳେ, ଆଗକୁ ଶୀତ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି।