ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇବେ ରାଜ୍ୟ ସରକାର : ନବୀନ
ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ: ଧର୍ମେନ୍ଦ୍ର
୧୪,୫୨୩ କୋଟି ଟଙ୍କାର ବିଭିତ୍ତ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ କଲେ ମୋଦୀ
ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସ,ଇଏସଆଇ ହସ୍ପିଟାଲ , ଲଳିତଗିରି ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ଉଦଘାଟିତ
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ଡାକ ଟିକଟ ଓ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଉନ୍ମୋଚିତ
ବ୍ରହ୍ମପୁର ଆଇଜର , ୨ଟି ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ର କଲେ ଶିଳାନ୍ୟାସ
Bhubaneswar/Girija shankar Dash : ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ଏହାର ନିଦର୍ଶନ ସ୍ୱରୂପ ରାଜ୍ୟରେ ୧୪,୫୨୩ କୋଟି ଟଙ୍କା ମୂଲ୍ୟର ବିଭିତ୍ତ ପ୍ରକଳ୍ପର ଆଧାରଶିଳା ରଖାଯିବା ସହ ଆଉ କେତେକ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ଗ୍ୟାସ ଯୋଗାଣ, ସଡକ ଓ ସାଂସ୍କୃତିକ ଐତିହ୍ୟ ପରିଯୋଜନା । ଏହିସବୁ ଯୋଜନା ଓଡିଶାର ପ୍ରଗତି ଓ ଜନଜୀବନକୁ ସୁଗମ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତା'ସହିତ ବିକାଶ ପ୍ରକ୍ରିୟାରେ ରାଜ୍ୟବାସୀଙ୍କ ସକ୍ରିୟ ଯୋଗଦାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ସୋମବାର ଭୁବନେଶ୍ୱର ନିକଟସ୍ଥ ଅରଗୁଳଠାରେ ଆଇଆଇଟି ଭୁବନେଶ୍ୱରର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ ର୍ମାନ ସୁଦ୍ଧା ପ୍ରାୟ ୧୨୬୦ କୋଟି ଟଙ୍କା ଏହି ଶିକ୍ଷା ପ୍ରକଳ୍ପରେ ଖର୍ଚ୍ଚ କରାଯାଇଛି । କେନ୍ଦ୍ର ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି ଅଂଚଳର ଜରୁରୀ ସୁବିଧା ଓ ସଂରଚନା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଭାରତକୁ ଦକ୍ଷିଣ ଏସିଆର ପ୍ରବେଶ ଦ୍ୱାର ରୂପେ ଗଢ଼ି ତୋଳିବା ଲାଗି ଉଦ୍ୟମ ହେଉଛି । ଆଇଆଇଟି ଭଳି ପ୍ରତିଷ୍ଠାନ ଓଡିଶାର ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଉପଯୋଗ ଦିଗରେ ଉଚ୍ଚତର ଗବେଷଣା କରିବ ଏବଂ ଯୁବଛାତ୍ର ଗୋଷ୍ଠୀକୁ ନବସୃଜନ ଦିଗରେ ଅନୁପ୍ରାଣିତ କରିବ । ଏହି ଅନୁଷ୍ଠାନ ନୂଆ ନୂଆ ଉଦ୍ୟମୀ ଓ ଷ୍ଟାର୍ଟ ଅପ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ସଭାସ୍ଥଳରୁ ୧୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଇଜର, ବ୍ରହ୍ମପୁର କ୍ୟାମ୍ପସର ଆଧାରଶିଳା ରଖିଥିଲେ । ଆଧୁନିକ ଟେକ୍ନୋଲୋଜି ଉଦ୍ଭାବନ କରିବାରେ ଆଇଆଇଟି, ନାଇଜର ଏବଂ ଆଇଜର ରାଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନେବ । ଆଜି ଇଏସଆଇ ହସ୍ପିଟାଲର ମଧ୍ୟ ଉଦ୍ଘାଟନ କରାଯାଇଛି । ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଛି । ଏହାଛଡା ଆଧୁନିକ ଭିତିଭୂମି ମଧ୍ୟ ହସ୍ପିଟାଲରେ ସ୍ଥାପନ କରାଯାଇଛି ।
ଏବେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା - ଆୟୁଷ୍ମାନ ଭାରତ କାଯର୍ୟକାରୀ ହେଉଛି । ଏହା ଅଧିନରେ ଓଡିଶାରେ ୧୧୫୦ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲାଯିବ । ରାଜ୍ୟର ଦୁର୍ଗମ ଅଂଚଳକୁ ବ୍ୟାପକ ସଡକ ନେଟୱାର୍କ ଯୋଗେ ଯୋଡାଯିବ । ଆଜି ପ୍ରାୟ ୪୫୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଆଧାରଶିଳା ରଖାଯାଇଛି । କେନ୍ଦ୍ର ସରକାର ଓଡିଶାରେ ସଡକ ନେଟୱାର୍କ ୧୦ ହଜାର କିଲୋମିଟରକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗର ଉଜ୍ୱଳ ଭବିଷ୍ୟତ ରହିଛି । ଶିଳାନ୍ୟାସ କରାଯାଇଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ ବ୍ରହ୍ମପୁର, ବିଶାଖାପାଟଣା, ବିଜୟୱାଡା, ରାଜମହେନ୍ଦ୍ରୀ ଦେଇ ହାଇଦ୍ରାବାଦରେ ପହଂଚିବ । ଫଳରେ ପାଇପ ଲାଇନ ସଂଲଗ୍ନ ଅଂଚଳର ଲୋକେ ତଥା ଉଦ୍ୟୋଗ ଜଗତ ପେଟ୍ରୋଲ, ଡିଜେଲ, କିରୋସିନ ଓ ଉଡାଜାହାଜ ଇନ୍ଧନ ସୁବିଧାରେ ପାଇପାରିବେ । ଓଡିଶା କ୍ରମେ ପେଟ୍ରୋଲିୟମ ଶିଳ୍ପର ପ୍ରମୁଖ ହବ୍ ହେବାକୁ ଯାଉଛି । ସବୁ ଘରକୁ ଏଲପିଜି ଯୋଗାଣ ଲକ୍ଷ୍ୟର ନିକଟବର୍ତୀ ହେଉଛନ୍ତି କେନ୍ଦ୍ର ସରକାର । ଏହାବାଦେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ଲାଗି ନିରବଚ୍ଛିତ୍ତ ପ୍ରୟାସ ଜାରୀ ରହିଛି । ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଉତର ପ୍ରଦେଶରୁ ଓଡିଶା ପର୍ଯ୍ୟନ୍ତ ପାଇପ ଲାଇନ ଟଣା ଯାଉଛି । ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ସେକ୍ସନ ଅନ୍ତର୍ଗତ ବୋକାରୋ-ଅନୁଗୁଳ ସେକ୍ସନ ଗ୍ୟାସ ପାଇପ ଲାଇନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଓଡିଶାର ୫ଟି ଏବଂ ଝାଡଖଣ୍ଡର ୬ଟି ଜିଲ୍ଲା ଉପକୃତ ହେବେ ।
ଆଜିର ସମାରୋହରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ରୂପେ ଅଭିହିତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ଡାକ ଟିକଟ ଓ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ପାଇକ ବୀରମାନଙ୍କୁ ସମ୍ମାନ ଜଣାଇଥିଲେ । ପାଇକ ବିଦ୍ରୋହର ନାୟକ ରୂପେ ପରିଚିତ ବକ୍ସି ଜଗବନ୍ଧୁଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉକôଳ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାରପ୍ରତିଷ୍ଠା କରାଯିବ । ଏଥିଲାଗି କେନ୍ଦ୍ର ସରକାର ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ଲଳିତଗିରି ପ˜ତତ୍ୱ ସଂଗ୍ରହାଳୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ୯.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତ୍ନତତ୍ତ୍ୱ ମ୍ୟୁଜିୟମ ଦେଶ ବିଦେଶରୁ ଗବେଷକ ଓ ପଯର୍ୟଟକମାନଙ୍କୁ ଆକୃଷ୍ଟ କରିବ । ତା'ଛଡା ରୋଜଗାର ସୁଯୋଗ ସୃଷ୍ଟି କରିବ ।
ଆଇଆଇଟି ସମାରୋହରେ ପ୍ରଧାନମନ୍ତ୍ରୀ ରିମୋଟ ଜରିଆରେ ଏନଏଚ-୧୬ ଜାତୀୟ ରାଜପଥର ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ ଲେନ କରିବା, ଖଣ୍ଡଗିରି ଫ୍ଲାଏଓଭର, ଏନଏଚ-୫ ଅନ୍ତର୍ଗତ କଟକ-ଅନୁଗୁଳ ସେକ୍ସନର ୪ ଲେନ କାର୍ଯ୍ୟ ଏବଂ ଟାଙ୍ଗି-ପୁଇଁତଳା ସେକ୍ସନର ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ, ଏହିସବୁ ଭିତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନିଉ ଇଣ୍ଡିଆର ଅଭ୍ୟୁଦୟ ହେବ । ଓଡିଶା ନିଉ ଇଣ୍ଡିଆ ବିକାଶର ଇଞ୍ଜିନ ସାଜିବ ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ବକ୍ସି ଜଗବନ୍ଧୁ ଉକ୍ରଳ ଜନନୀର ମହାନ ସନ୍ତାନ । ବୀର ମାଟି ଖୋର୍ଦ୍ଧାର ସ୍ୱାଭିମାନ ପାଇଁ ତାଙ୍କର ଲଢେଇର ତୁଳନା ନାହିଁ । ବ୍ରିଟିଶ ବିରୋଧରେ ବକ୍ସିଙ୍କ ନେତୃତ୍ୱରେ ପାଇକମାନଙ୍କ ସଂଗ୍ରାମ ଥିଲା ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ । ବକ୍ସିଙ୍କ ସ୍ମୃତିରେ ରାଜ୍ୟ ସରକାର ବସୁଧା ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ପାଇକ ବିଦ୍ରୋହ କେବଳ ଓଡିଶା ନୁହେଁ ସାରା ଦେଶରେ ବ୍ରିଟିଶ ଶାସନ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଥିଲା । ତେଣୁପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବି କରୁଛି ବୋଲି କହିଥିଲେ । ସେହିପରି ବକ୍ସିଙ୍କ ନାମରେ ଏକ ନୂତନ ଟ୍ରେନର ପ୍ରଚଳନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଏହା ବକ୍ସିଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ପାଇକ ବିଦ୍ରୋହ ସ୍କୃତିରେ କେନ୍ଦ୍ର ସରକାରଙ୍କ ବରୁଣେଇରେ ଏକ ସ୍ମାରକି କରିବା ନିଷ୍ପତିକୁ ସେ ସ୍ୱାଗତ କରିବା ସହ ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ସହିତ ସବୁ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ସମାରୋହରେ ସ୍ୱାଗତ ଭାଷଣ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ଯେ, ଆଜି ହେଉଛି ଏକ ଐତିହାସିକ ଦିନ । ପାଇକ ଆନେ୍ଦାଳନର ସ୍ମୃତି ବହନ କରୁଥିବା ଏକ ସ୍ମାରକୀ ଡାକ ଟିକଟ ଓ ସ୍ୱତନ୍ତ୍ର ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଛି । ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ପାଇକମାନଙ୍କ ଦ୍ୱାରା ପ୍ରକୃତ ମୁକ୍ତି ସଂଗ୍ରାମ ବରୁଣେଇ ପାହାଡ ପାଖରୁ ଆରମ୍ଭ ହୋଇଥିଲା । ଏହି ସ୍ମାରକୀର ୨୦୦ ବର୍ଷ ପୂର୍ତି ପାଳନ କରାଯାଉଛି । ଏହି ମାଟିରୁ ଓଡିଶା ବିକାଶର ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହାର ଅଂଶ ସ୍ୱରୂପ ପ୍ରଧାନମନ୍ତ୍ରୀ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଶୁଭାରମ୍ଭ କରୁଛନ୍ତି । କେନ୍ଦ୍ର ସରକାର ୪ର୍ଥ ଶିଳ୍ପ ବିପ୍ଳବରୁ ପଂଚମ ପିଢ଼ି ଆଡକୁ ଅଗ୍ରସର ହେଉଛନ୍ତି । ଆଇଆଇଟି ଭୁବନେଶ୍ୱର ଜ୍ଞାନ ଓ ଗବେଷଣାର ନୂତନ କେନ୍ଦ୍ର ହେବାକୁ ଯାଉଛି । ନାଇଜର ଓ ଆଇଜର ଏହି ଅଭ୍ୟୁଦୟକୁ ଆହୁରି ବଳ ଦେବ । ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।