ସମୃଦ୍ଧ ହସ୍ତଶିଳ୍ପର ପ୍ରଚାର ପ୍ରସାର ହେବ ସହାୟକ
ବାରିପଦା- ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲା ଏକ ସମୃଦ୍ଧ ହସ୍ତଶିଳ୍ପର ପରିଚୟ ବହନ କରିଛି। ଯାହାର କଳା କାରୁକାର୍ଯ୍ୟର ନିଖୁଣତା ଖୁବ ପ୍ରଶଂଶିତ ଅଟେ। ଗାଁ ଗଣ୍ଡାରେ କଳାକାର ମାନଙ୍କ ସୃଜନଶିଲତାର ଏବେ ବିଶ୍ୱସ୍ତରରେ ମଧ୍ୟ ପରିସ୍ଫୁଟିତ ହେବାରେ ଲାଗିଛି। କଳାକୁ ନେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୟୁରଭଞ୍ଜ ଜିଲ୍ଲାର ସବାଇ ଶିଳ୍ପ ଅନ୍ୟତମ କାରୁକାର୍ଯ୍ୟ ଅଟେ। ଏହି ସବାଇ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାରିପଦା ବ୍ଲକ ଅନ୍ତର୍ଗତ ଗୁହାଲଡିହା ଗ୍ରାମକୁ ସମନ୍ବିତ କଳା ଏବଂ ହସ୍ତଶିଳ୍ପ ଗ୍ରାମର ପରିଚୟ ମିଳିଛି। ହସ୍ତଶିଳ୍ପ ଗ୍ରାମ ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ୍ସ ଯୋଗେ ଘୋଷଣା କରିଛନ୍ତି। ଉକ୍ତ ଗ୍ରାମର ଅଧିକାଂଶ ଲୋକଙ୍କ ସବାଇ ଘାସ ହିଁ ରୋଜଗାରର ମାଧ୍ୟମ ସାଜିଛି। ଗ୍ରାମୀଣ ଯୁବତୀ ଓ ମହିଳାଙ୍କ ଦ୍ବାରା ପରିବେଶ ଅନୁକୂଳ ସବାଇଘାସରୁ ନାନାଦି ଘର କରଣା ସାମଗ୍ରୀ ନିର୍ମିତ ହେଉଛି। ଏହାକୁ ନେଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଦେଶ ବିଦେଶରେ ଚାହିଦା ଥିବା ଉକ୍ତ ସବାଇ କାରୁକାର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ପ୍ରୟାସ କରାଯାଇଛି। ସ୍ଥାନୀୟ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ ପର୍ଯ୍ୟଟନ ବିଭାଗ ଗୁହାଲଡିହା ଗ୍ରାମକୁ 'ସମନ୍ବିତ କଳା ଏବଂ ହସ୍ତଶିଳ୍ପ ଗ୍ରାମ' ଭାବରେ ବିକଶିତ କରିବାକୁ ମଞ୍ଜୁରୀ ଦେଇଛି। ଏହି ବିକାଶ ଯୋଜନା ମାଧ୍ୟମରେ ଉକ୍ତ ଅଞ୍ଚଳର ବିକାଶ କରି ପାରମ୍ପରିକ କାରିଗରୀ ଏବଂ ଆଦିବାସୀ ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ଏକ ସ୍ପନ୍ଦନଶୀଳ ପ୍ଲାଟଫର୍ମ ସୃଷ୍ଟି କରିବା। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ଯେ ଏହି ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବିଶେଷକରି ଶିମିଳିପାଳ ଜାତୀୟ ଉଦ୍ୟାନକୁ ଯାଉଥିବା ପର୍ଯ୍ୟଟକ ମାନଙ୍କୁ ସ୍ଥାନୀୟ କାରିଗର ମାନଙ୍କ ଦ୍ୱାରା ଉତ୍ପାଦିତ ଜଟିଳ ହସ୍ତଶିଳ୍ପକୁ ପ୍ରତ୍ୟକ୍ଷ ଭାବରେ ଦେଖିବାର ସୁଯୋଗ ପ୍ରଦାନ କରିବ। ଏହା କେନ୍ଦ୍ର ସରକାରଙ୍କ ଭୋକାଲ୍ ଫର୍ ଲୋକାଲ ଅଭିଯାନର ଆହ୍ୱାନକୁ ଜୀବନ୍ତ କରିବ। ଏଥିସହିତ ଜିଲ୍ଲାର କଳା ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ। ଏହି ପଦକ୍ଷେପ ଫଳରେ ସ୍ଥାନୀୟ କାରିଗର ମାନଙ୍କର ଆର୍ଥିକ ଏବଂ ସାମାଜିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଲକ୍ଷ ରହିଛି। ସମନ୍ୱିତ କଳା ଏବଂ ହସ୍ତଶିଳ୍ପ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ଆକର୍ଷଣ ଭାବରେ ନୁହେଁ ବରଂ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ସଂରକ୍ଷଣର ଏକ କେନ୍ଦ୍ର ଭାବରେ ମଧ୍ୟ କଳ୍ପନା କରାଯାଇଛି। ଯାହା ଆଦିବାସୀ କାରିଗର ମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବା ସହ ସେମାନଙ୍କର ଅନନ୍ୟ ପରମ୍ପରାକୁ ବ୍ୟାପକ ହୋଇପାରିବ। ଉକ୍ତ ଗ୍ରାମର ମହିଳା ମାନଙ୍କ ପାଇଁ ମୁଖ୍ୟତଃ ସବାଇ ଶିଳ୍ପ ମୁଖ୍ୟ ରୋଜଗାର ପନ୍ଥା ସାଜିଛି। ସବାଇ ଘାସରୁ ନାନାଦି ଜିନିଷ ପ୍ରସ୍ତୁତ କରି ପରିବାର ମଧ୍ୟ ପ୍ରତିପୋଷଣରେ ସହାୟକ ହେଉଛନ୍ତି। ସବାଇ ଘାସରୁ ବିଭିନ୍ନ ଆକର୍ଷଣୀୟ ସରଞ୍ଜାମ ତିଆରି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକ୍ନୋଲୋଜି (ନିଫ୍ଟ) ଓ ଅହମଦାବାଦ ସ୍ଥିତ ଏନ୍ଆଇଟି ପକ୍ଷରୁ ଆଧୁନିକ ଡିଜାଇନର ସବାଇ ଘାସର ବିଭିନ୍ନ ସରଞ୍ଜାମ ପ୍ରସ୍ତୁତ କରିବାକୁ ମଧ୍ୟ ପୂର୍ବରୁ ତାଲିମ ପ୍ରଦାନ କରାଯାଇଛି। ଏଥି ସହିତ ବଜାରରେ ବିକ୍ରି କରିବା ପାଇଁ ବ୍ୟବସ୍ଥା ମଧ୍ୟ ଓରମାସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯାହାକୁ ନେଇ ସବାଇ ହସ୍ତ ଶିଳ୍ପର ରାଜ୍ୟ ସମେତ ଦେଶ ବିଦେଶରେ ମଧ୍ୟ ବହୁଳ ଭାବେ ଚାହିଦା ବୃଦ୍ଧି ପାଉଛି। ତେବେ ଏହି ଯୋଜନା ଦ୍ଵାରା ଗ୍ରାମର ବିକାଶ ହେଲେ ସବାଇ ହସ୍ତଶିଳ୍ପର ପ୍ରତି ଗ୍ରାହକଙ୍କ ଆହୁରି ଆଗ୍ରହ ବଢିବ। ଶିଳ୍ପ ବିହୀନ ମୟୁରଭଞ୍ଜ ଜିଲ୍ଲାରେ ଏହି ସବାଇ ଘାସରୁ ପ୍ରସ୍ତୁତ ଅତ୍ୟାଧୁନିକ ସାମଗ୍ରୀ ମହିଳା ଓ ଯୁବତୀ ମାନଙ୍କ ରୋଜଗାରରେ ପନ୍ଥା ସାଜିଛି। ନୂତନ ଯୋଜନା ଦ୍ଵାରା ଅଧିକ ରୋଜଗାରକ୍ଷମ ହୋଇ ପାରିବେ ବୋଲି ସବାଇ ଶିଳ୍ପୀ ସବିତା ଦାସ କହିଛନ୍ତି। ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ଫାର୍ମର ପ୍ରଡ୍ୟୁସର କମ୍ପାନୀକୁ ସବାଇ କ୍ରାଫ୍ଟକୁ ଏକ୍ସପୋର୍ଟ ଲାଇସେନ୍ସ ମିଳିଥିବା ବେଳେ ଏବେ ଏହାର ଆହୁରି ପ୍ରଚାର ପ୍ରସାର ହୋଇପାରିବ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ମୟୁରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି, ହସ୍ତଶିଳ୍ପ ଓ ପର୍ଯ୍ୟଟନ ବେଶ ଆଦୃତ ଥିବା ବେଳେ ସବାଇ କାରୁକାର୍ଯ୍ୟର ଆହୁରି ପ୍ରଶଂସା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯାହା ଫଳରେ କଳା କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲାର ପ୍ରତିଟି ଗାଁ ଆଗକୁ ସ୍ୱତନ୍ତ୍ର ପରିଚୟ ପାଇ ପାରିବ।