ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରରେ ବଡ଼ ଧରଣର ଡ଼କାୟତି ପାଇଁ ଚାଲିଥିଲା ଯୋଜନା I ଡକାୟତ ଗ୍ୟାଙ୍ଗ୍ କାଜୁ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଥିଲେ ବଡ଼ ଧରଣର ଲୁଟ୍ ପାଇଁ I କିନ୍ତୁ ଡ଼କାୟତ ଗ୍ୟାଙ୍ଗ୍ ନିକଟରେ ପୋଲିସ୍ ପହଞ୍ଚି ଯିବା ପରେ ଡ଼କାୟତ ଗ୍ୟାଙ୍ଗ୍ ର ସମସ୍ତ ଯୋଜନା ପଣ୍ଡ ହୋଇଛି I ଏହିଭଳି ଏକ ଘଟଣା ଘଟିଛି ବେଲଗୁଣ୍ଠା ଥାନା ଅଞ୍ଚଳରେ I ସୂଚନା ପ୍ରକାରେସୋମବାର ମଧ୍ୟ ରାତିରେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ,ଥାନା କର୍ମାଚରୀ ଏସ୍. କେ. ଭୂୟାଁ,ବି. ଆର. ବିସୋଇ, ଆର. ସବର,ବି. ଏନ୍. ବେହେରା ଏବଂ ଡି. ପଟ୍ଟନାୟକ ବେଲଗୁଣ୍ଠା ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁ୍ଥିବା ସମୟରେ ରାତି 12:15 ରେ, ତାଙ୍କୁ ଏକ ଭରସାଯୋଗ୍ୟ ଉତ୍ସରୁ ଖବର ମିଳିଲା ଯେ, ନୂଆ କୋକଲୁଣ୍ଡା ଗାଁର କାଜୁ ଜଙ୍ଗଲ ନିକଟସ୍ଥ ଏକ ଭଡା ଫାର୍ମ ହାଉସରେ କିଛି ଅସାମାଜିକ ଲୋକ ମନ୍ଦ ଉଦ୍ଦେଶ୍ୟରେ ଏକାଠି ହୋଇ ଅଞ୍ଚଳର ଘର ବା ଗହଣା ଦୋକାନରେ ଲୁଟ ଯୋଜନା କରୁଛନ୍ତି I ଏନେଇ ଏସ୍ଆଇ ଶ୍ରୀ ପ୍ରଧାନ ଏଏସ୍ଆଇ ପି.କେ. ଛାତି ଓ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କୁ ସୂଚନା ଦେଇଥିଲେ I ପରେ ପୋଲିସ୍ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କୋକଲୁଣ୍ଡା ଛକରୁ ଘଟଣାସ୍ଥଳକୁ ଅଗ୍ରସର ହୋଇ ରାତି 01.05 ସମୟରେ ଫାର୍ମ ହାଉସ ନିକଟରେ ପହଞ୍ଚି ଚାରିଦିଗରୁ ଘେରାଉ କରି ଘଟଣା ଉପରେ ନଜର ରଖିଥିଲେ I ଅନ୍ଧାରରେ କିଛି ଲୋକ ଆପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁ୍ଥିବା ନେଇ ପୋଲିସ୍ ର ସନ୍ଦେହ ହୋଇଥିଲା । ପୋଲିସ୍ ବାହିନୀ କାଳ ବିଳମ୍ବ ନକରି ଫାର୍ମ ହାଉସରେ ଅତର୍କିତ ଚଢାଉ କରି ସେଠାରେ ଥିବା ଆଠ ଜଣ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ I ସେମାନେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମର ରଞ୍ଜିତ କୁମାର ସ୍ୱାଇଁ ଓରଫ କାଳିଆ (27), ବୋରିପଦର ଗ୍ରାମର ସିମାଞ୍ଚଳ ଗୌଡ଼ା ଓରଫ ମୁନା (37), ନୂଆଁ ତନରଡ଼ା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଓରଫ ଶେଷ (30), ତନରଡ଼ା ବଡ଼ ସାହିର ଶଙ୍କର ଗୌଡ଼ ଓରଫ ବୁଟୁ(32), ହରିଜନ ଉଢୁରା ଗ୍ରାମର ଲୋକନାଥ ନାଇକ ଓରଫ ଚିକୁ(21) ଓ ଅଶ୍ୱିନୀ ନାଇକ , ଭଞ୍ଜନଗର ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ସୁଜିତ କୁମାର ଗୌଡ଼ ଓରଫ ସଂଗ୍ରାମ (25) ଏବଂ ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ନୀଳମାଧବ ସେଠୀ ଓରଫ ବାବୁ (31) I ସେମାନଙ୍କୁ ପଚରାଉଚୁରା କରିବା ପରେ ଫାର୍ମ ହାଉସକୁ ମାସିକ ହଜାରେ ଟଙ୍କା ଭଡାରେ ସେମାନେ ବେଲଗୁଣ୍ଠା କୋଳିସାହିର ନରାୟଣ ପାତ୍ରଙ୍କ ଠାରୁ ନେଇଥିବା ପ୍ରକାଶ କରିଥିଲେ I ସେମାନଙ୍କର ତଲାସି ପରେ ପୋଲିସ୍ ସେମାନଙ୍କ ନିକଟରୁ ତିନୋଟି ଖଣ୍ଡା, ଚାରିଟି କାତି, ବିସ୍ଫୋରକ ସାମଗ୍ରୀ, ଏଗାରଟି ମୋବାଇଲ୍, ନାଲି ରଙ୍ଗର ୟାମ୍ହା ଗାଡ଼ି, ଧଳା ରଙ୍ଗର ବୋଲେରୋ, ଗୋଟିଏ ପଲ୍ସର୍ ଗାଡ଼ି, ଗୋଟିଏ ବୁଲେଟ୍, ଗୋଟିଏ ହୁଣ୍ଡାଇ ବର୍ଣ୍ଣା,ଗୋଟିଏ ହୋଣ୍ଡା ଆମଜେ ଏବଂ ଛଅଟି ଗାଡ଼ି ଚାବି ଜବତ କରିଥିଲେ I ସମସ୍ତ ସନ୍ଦିଗ୍ଧଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏସ୍ଆଇ ଅଭୟ କୁମାର ପ୍ରଧାନଙ୍କ ରିପୋର୍ଟ୍ ପ୍ରକାରେ ବେଲଗୁଣ୍ଠା ଥାନାରେ 391/25 ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I ତେବେ ବେଲଗୁଣ୍ଠା ପୋଲିସ୍ ର ତତ୍ପରତା ଯୋଗୁଁ ନିଶ୍ଚିତ ରୂପେ ଏକ ବଡ଼ ଧରଣର ଲୁଟ୍ ଯୋଜନା ପଣ୍ଡ ହୋଇଥିବାରୁ ବେଲଗୁଣ୍ଠା ଅଞ୍ଚଳବାସୀ ପୋଲିସ୍ ବାହିନୀକୁ ସାଧୁବାଦ ଜଣାଇଛନ୍ତି I
ରାଜ୍ୟ
ଡ଼କାୟତ ଗ୍ୟାଙ୍ଗ୍ କୁ କାବୁ କରି ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କଲା ବେଲଗୁଣ୍ଠା ପୋଲିସ୍
- Hits: 9