ହେଡଲାଇନସ୍:

ତହସିଲ କାର୍ଯ୍ୟାଳୟରେ ବର ଅଶ୍ବତ୍ଥ ବିବାହ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମିୟ ପରମ୍ପରାରେ ପ୍ରକୃତିର ସୁରକ୍ଷା


ଓଡଗାଁ,୪।୫(ଶ୍ରୀକାନ୍ତ କୁମାର ମିଶ୍ର): ପୂରାକାଳର ପରମ୍ପରାରେ ଲୁକ୍କାୟିତ ବୈଜ୍ଞାନିକ ତତ୍ବର ମହାନତା ଏବେ ବି ଉଦଯିବିତ ରହିଛି । ପ୍ରକୃତିର ସୁସ୍ଥତାରେ ପ୍ରାଣୀ ଜଗତର ସ୍ଥାୟୀତ୍ବ କଥାକୁ ପୂର୍ବ ସୁରିମାନେ ସଠିକ୍ ଭାବେ ବୁଝିପାରିଥିଲେ । ଏଣୁ ଅଜ୍ଞ ସମାଜରେ ଧର୍ମ ନାମରେ ଏହି ବୈଜ୍ଞାନିକ ମତକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ପଦ୍ଧତିକୁ ସେମାନେ ରଖିଦେଇ ଯାଇଛନ୍ତି । ପ୍ରକୃତି ବଞ୍ଚିଲେ ସୁସ୍ଥ ଜଳବାୟୁ ପାଇ ପ୍ରାଣୀ ସମାଜ ଦୀର୍ଘ ଜୀବି ହୋଇ ପାରିବ । ଏହାକୁ ଆଧାର କରି ରାଜା ରାଜୁଡା ଅମଳରେ ଦେବାଳୟ ଠାରୁ ପୋଖରୀ ତୁଠ ଓ ଗାଁ ମୁଣ୍ଡରୁ ରାସ୍ତା ପାର୍ଶ୍ବ ପର୍ଯ୍ୟନ୍ତ ଧର୍ମିୟ ଆଧାରରେ ବର ଓ ଆଶ୍ବତ୍ଥ ବୃକ୍ଷ ରୋପଣ କରି ପରିବେଷକୁ ସୁସ୍ଥ ରଖାଯାଇ ପାରିଛି । ଏହି ଆଧାରରେ ସ୍ଥାନୀୟ ଅଂଚଳର ବିଭିନ୍ନ କ୍ଷେତ୍ରରେ ବଟ ଓ ଅଶ୍ବତ୍ଥ ବୃକ୍ଷର ବିବାହ ଉତ୍ସବ କରାଯାଉଥିବା ବେଳେ ଶ୍ରାବଣ ଶେଷ ସୋମବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ପରିସରରେ ଏଭଳି ଏକ ବଟ ଓ ଅଶ୍ବତ୍ଥ ବୃକ୍ଷର ବିବାହ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି । ସୂଚନା ଅନୁସାରେ ଆଜକୁ ପ୍ରାୟ ୧୪ ବର୍ଷ ପୂର୍ବେ ଏହି ସ୍ଥାନରେ ତହସିଲ ଅଫିସ ଆରମ୍ଭ ହୋଇଥିବା ବେଳେ ଲୋକମାନଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ପାଇଁ କେହି ଜଣେ ଦୁରଦ୍ରଷ୍ଟା କର୍ମଚାରୀ ବଟ ଓ ଆଶ୍ବତ୍ଥ ଦୁଇ ଚାରା ରୋପଣ କରିଥିଲେ । କ୍ରମଶଃ ଉଭୟ ଚାରା ଯୁବା ହୋଇଥିବା ବେଳେ ଅସଂଖ୍ୟ ଲୋକଙ୍କୁ ଛାୟା ପ୍ରଦାନକରି ଚାଲିଛନ୍ତି । ହେଲେ ସ୍ଥାନୀୟ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଆମର ପରାମ୍ପରାକୁ ମନେ ପକାଇ ଉଭୟ ବୃକ୍ଷଙ୍କ ବିବାହ ନିମନ୍ତେ ପଣ୍ଡିତଙ୍କ ପରାମର୍ଶ କରି ସୋମବାର ସକାଳୁ ଉଭୟ ଦ୍ରୁମଙ୍କ ଗନ୍ଧାଭିଷେକ, ବସ୍ତ୍ରାବରଣ, ଅଳଙ୍କାର ଧାରଣ ସହିତ ପୁଷ୍ପ ମାଳ ପ୍ରଦାନ କରାଯାଇ ବୈଦିକ ପଣ୍ଡିତ ମାନଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏବଂ ହରଙ୍କ ସ୍ୱରୂପ ବଟ ବୃକ୍ଷ ସହିତ ଦୁର୍ବାଦଳ (ଦୂବ ଅଥବା ଦୁର୍ଗା )ଓ ହରିଙ୍କ ସ୍ୱରୂପ ଅଶ୍ଵତ୍ଥ ବୃକ୍ଷଙ୍କ ସହିତ ତୁଳସୀଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ବିବାହ ନୀତି ସମ୍ପନ୍ନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ତତ୍ବାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ତହସିଲ କର୍ମଚାରୀ ସୁବାସ ଚନ୍ଦ୍ର ମିଶ୍ର ଦମ୍ପତି କର୍ତ୍ତା ଭାବେ ଦାୟିତ୍ଵ ନିଭାଇଥିଲେ । ବୈଦିକ ପଣ୍ଡିତ ସତ୍ୟ ନାରାୟଣ ଷଡ଼ଙ୍ଗୀ, ପଣ୍ଡିତ ଶାନ୍ତନୁ କୁମାର ଦାଶ, ଗାଣ୍ଡୁ ମିଶ୍ର ବିବାହ କାର୍ଯ୍ୟ ଓ ପୂଜା ହୋମାଦି କାର୍ଯ୍ୟ ସମ୍ପନ୍ନ ‌କରିଥିବା ବେଳେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ବୁଦ୍ଧିଜୀବୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ, ଆଇଆଇସି ଅଭୟ କୁମାର ବେହେରା, ପରିବେଷବିତ ସୁରେଶ କୁମାର ହୋତା, ଦୟାନିଧି ରଥ, ଜିତେନ୍ଦ୍ର କୁମାର ମିଶ୍ର ଓ ପ୍ରଫୁଲ ମାଝିଙ୍କ ସମେତ ଅନେକ ପରିବେଶପ୍ରେମୀ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ ।

0
0
0
s2sdefault