ହେଡଲାଇନସ୍:

କଲେଜ କ୍ୟାମ୍ପସ ଛାଡ଼ି ବିଶ୍ୱବିଦ୍ୟାଳୟ ନିଜସ୍ୱ ବିଲଡିଂକୁ ଯାଉ,ଓଏସଡ଼ିଙ୍କୁ ବହିଷ୍କାର ଦାବି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ସାମ୍ବାଦିକ ସମ୍ମିଳନୀ। 

କେନ୍ଦୁଝର,ତା୧୩/୭- ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଆଜି ସ୍ଥାନୀୟ ଶହୀଦ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ସର୍ଵ ପ୍ରଥମେ ମଂଚର ବରିଷ୍ଠ ସଦସ୍ୟ ଭରତ ଚନ୍ଦ୍ର ପାତ୍ର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସାମ୍ବାଦିକ ସମ୍ମିଳନୀର ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ମଂଚ ଆବାହକ ତଥା କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଚକ୍ରଧର ସାହୁ ଲିଖିତ ପ୍ରେସ ବିବୃତି ପାଠ କରି ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ସାମ୍ବାଦିକ ମାନଙ୍କୁ ନିବେଦନ କରିଥିଲେ। ସମ୍ମିଳନୀରେ ଭାଗନେଇ କଲେଜର ପ୍ରଥମ ଵ୍ୟାଚର ଛାତ୍ର ତଥା କେନ୍ଦୁଝର ସିଟିଜେନ ଫୋରମର ଉପଦେଷ୍ଟା ଇଂଜିନିୟର ଲାଲମୋହନ ରାଉତ, ଅବସରପ୍ରାପ୍ତ କଲେଜ୍ ପ୍ରିନ୍ସପାଲ ଶିକ୍ଷାବିତ୍ ଡଃ ବିପିନ ବିହାରୀ ମହାପାତ୍ର, ବରିଷ୍ଠ ଆଇନଜୀବୀ ଅଶୋକ ଦାସ, କଲେଜ ଷ୍ଟଡ଼େଣ୍ଟସ୍‌ ୟୁନିୟନର ପୂର୍ବତନ ସଭାପତି ଦିଲୀପ କୁମାର ସାହୁ , ସାମ୍ବାଦିକ ସତ୍ୟଜିତ ମିଶ୍ର, ସତ୍ୟଜିତ ସାମନ୍ତରାୟ, ଶିକ୍ଷାବିତ ଡଃ କ୍ଷୀରୋଦ ମିଶ୍ର, ସୁପରିଚିତ ଯୁବନେତା ଇଂଜିନିୟର ପ୍ରଶାନ୍ତ ଦଳେଇ, ବରିଷ୍ଠ ସଦସ୍ୟ ନିରଞ୍ଜନ ବାରିକ ଜିଲ୍ଲାର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଧରଣୀଧର ମହାବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରଖିଵା ଓ ବିଶ୍ୱ ବିଦ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସୁଲେଇଖମାରକୁ ସ୍ଥାନାନ୍ତରିତ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ କରିଥିଲେ। ନଚେତ୍ ନାଗରିକ ସମାଜ ଓ ବିଭିନ୍ନ ରାଜନୈତିକ ଦଳ ଓ ଛାତ୍ର ସଂଗଠନଙ୍କ ସହଯୋଗରେ ସୁରକ୍ଷା ମଞ୍ଚ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଵ ବୋଲି ସହମତି ପ୍ରକାଶ ପାଇଥିଲା। ସୁରକ୍ଷା ମଂଚର ସଭାପତି ପ୍ରେସ ବିବୃତିରେ ଦାବୀ କରିଛନ୍ତି ଯେ ବର୍ତ୍ତମାନର କାର୍ଯ୍ୟରତ ବିଶ୍ୱବିଦ୍ୟାଳୟର ଓଏସଡି କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ ଆସନ୍ତା ଅଗଷ୍ଟ ୬ ତାରିଖରେ ଶେଷ ହେଉଥିବାରୁ ତାଙ୍କ କାର୍ଯ୍ୟକାଳ ନ ବଢାଇ ତାଙ୍କୁ ଏଠାରୁ ବିଦା କରାଯାଉ। କାରଣ ତାଙ୍କ କାର୍ଯ୍ୟକାଳ ଭିତରେ ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗୀତାରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେବା କେନ୍ଦୁଝର ଜିଲ୍ଲାର ଅତିଥି ଅଧ୍ୟାପକ ମାନଙ୍କୁ ବହିଷ୍କାର କରି କଟକର ଏକ ନିର୍ଦ୍ଧିଷ୍ଟ କୋଚିଂ ସେଣ୍ଟରର ଅଧ୍ୟାପକ ମାନଙ୍କୁ ବିପୁଳ ଅର୍ଥ କାରବାର କରି ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେବା, ପୂର୍ବରୁ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଦକ୍ଷ ଓଏସ ଅଫିସରଙ୍କ ସ୍ଥାନରେ ପ୍ରଶାସନିକ ବେନିୟମ କାମ କରିବା ପାଇଁ କଲେଜ ର ଜଣେ କନିଷ୍ଠ ଅନଭିଜ୍ଞ ଅଧ୍ୟାପକଙ୍କୁ ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦେବା, ମର୍ଯ୍ୟାଦାଜନକ ସିଣ୍ଡିକେଟରେ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାବିତ୍ ମାନଙ୍କୁ ଅଣଦେଖା କରି ଜିଲ୍ଲା ଓ ରାଜ୍ୟ ବାହାରର ଶିଳ୍ପପତି ମାନଙ୍କୁ ମନୋନୀତ କରିବା,ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଚେୟାରମ୍ୟାନ ଭାବେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟର ଅବସ୍ଥାପିତ ଜନୈକ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା, ଧରଣୀଧର କଲେଜର ବ୍ୟାଙ୍କ ଏକାଉଣ୍ଟର ସମସ୍ତ ଡିପୋଜିଟ ଟଂକା ଉଠାଇ ଆଣି ୟୁନିଭରସିଟି ଏକାଉଣ୍ଟରେ ଜମା ରଖିବା, କଲେଜରେ ଓଡ଼ିଆ , ସଂସ୍କୃତ, ପଦାର୍ଥ ବିଜ୍ଞାନ,ଭୂତତ୍ତ୍ଵ ବିଭାଗର ମୁଷ୍ଟିମେୟ ଅଧ୍ୟାପକ ମାନଙ୍କୁ ନେଇ ଏକ ରାକେଟ ମାଫିଆ ଗୋଷ୍ଠୀ ଗଠନ କରି ଶୈକ୍ଷିକ ବାତାବରଣକୁ ନଷ୍ଟ କରିବା ଓ ଧରଣୀଧର କଲେଜକୁ ସଂପୂର୍ଣ୍ଣ ଭାବେ ଲୋପ କରି ଦେବାପାଇଁ ଯୋଜନାବଦ୍ଧ ଉଦ୍ୟମ କରିବାର ସରକାର ତଦନ୍ତ କରି ଓଏସଡି ଶ୍ରୀ ମହାନ୍ତିଙ୍କୁ ବହିଷ୍କାର କରାଯାଉ। ଅନ୍ୟଥା ଅସନ୍ତୋଷର ବହ୍ନି ଜିଲ୍ଲା ସାରା ବ୍ୟାପୀ ଯିବ ବୋଲି ମତ ପ୍ରକାଶ ପାଇଥିଲା। ଆଜି ବୈଠକରେ ଅଖିଳ ଭାରତୀୟ ଛାତ୍ର ପରିଷଦର ପ୍ରତିନିଧି ମାନେ ଯୋଗ ଦେଇ ମଞ୍ଚର ପଦକ୍ଷେପକୁ ସମର୍ଥନ କରିଥିଲେ। ଅନ୍ୟାନ୍ୟ ଛାତ୍ର ସଂଗଠନ ମାନଙ୍କର ମଧ୍ୟ ସମର୍ଥନ ରହିଥିବା ମଞ୍ଚ କହିଛି । ତେଣୁ ସବୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଲାଗି ସଚେତନତା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଆଗାମୀ ଦିନରେ ଏହି ସ୍ପର୍ଶକାତର କେନ୍ଦୁଝର ଅସ୍ମିତା ରକ୍ଷା ମାମାଲାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ମଗାଯାଇଛି।

0
0
0
s2sdefault