ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶନିବାର ଦିନ ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀ ମନ୍ଦିରକୁ ଯାତ୍ରା କରିବା ପୂର୍ବରୁ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କୁ ନିଜ ନିଜ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା।
ସେବାୟତ ମାନଙ୍କ ଦ୍ଵାରା ଠାକୁର ମାନଙ୍କ ରଥ ଉପରକୁ ପହଣ୍ଡି ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପଅଁରା କାର୍ଯ୍ୟକ୍ରମ ରାଜ ପ୍ରାସାଦରୁ କଲ୍ୟାଣୀ ଗଜପତି ନାରାୟଣ ଦେବଙ୍କ ଦ୍ଵାରା ଛେରା ପଅଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।
ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ।
ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଟାଣି ନେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ।
ରଥଯାତ୍ରା ପାଳନ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ତଥା ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଗୁରୁ ରଘୁନାଥ ପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ଗଜପତି ଜିଲ୍ଲାର କଳା , ସଂସ୍କୃତି , ସାହିତ୍ୟ , ଇତିହାସ , ଭୌଗଳିକ , ଐତିହ୍ୟ , ପର୍ଯ୍ୟଟନସ୍ଥଳୀ , ସାମଗ୍ରିକ ବିକାଶ , ଇତ୍ୟାଦି ଗଜପତି ଜିଲ୍ଲାର ସମସ୍ତଙ୍କୁ ନେଇ ଗଜପତି ଡ଼କ୍ୟୁମେଣ୍ଟାରୀ ବୃତ୍ତଚିତ୍ରକୁ ଗଜପତି ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ଶୁଭ ମୁକ୍ତିଲାଭ କରିଛି। ଏହି ବୃତ୍ତଚିତ୍ରକୁ ଗଜପତି ଜିଲ୍ଲାର ପ୍ରଖ୍ୟାତ ଗବେଷକ ଏବଂ ଲେଖକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଥିବା ବେଳେ ବର୍ଣ୍ଣନା କରିଛନ୍ତି ଅମୂଲ୍ୟ କୁମାର ପାଣିଗ୍ରାହୀ। ଏହି ବୃତ୍ତଚିତ୍ର ର ସମ୍ପୂର୍ଣ୍ଣ ପରିକଳ୍ପନା , ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁଜ୍ଞାନ ସାଗର।
ଆଜି ପ୍ରଥମ ସନ୍ଧ୍ୟାରେ ବଡ ଗାଁ ର ଶ୍ରୀ ନାରାୟଣୀ ନାଟ୍ୟ ସଂସଦର କଳାକାର ମାନେ ଭାରତ ଲୀଳା ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ପ୍ରତିଦିନ ସନ୍ଧ୍ୟା ୫.ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ।