ପାରମ୍ପରିକ ଚିନ୍ତାଧାରା ଠାରୁ ଆଗକୁ ବଢ଼ିବାକୁ ପଡିବ: ଶ୍ରୀମତୀ ଉଷା ପାଢୀ
ଭୁବନେଶ୍ବର ୨୪ ଜୁନ୍ ୨୦୨୫;- ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରଙ୍କ ନିମନ୍ତେ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା, କନ୍ଫରେନ୍ସ ହଲ୍ରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ସହରାଞ୍ଚଳଗୁଡ଼ିକର ସ୍ଥାୟୀ ଏବଂ ସାମଗ୍ରୀକ ବିକାଶ ନିମନ୍ତେ ପ୍ରଣୀତ ବିଭିନ୍ନ ସରକାରୀ ଯୋଜନା ଏବଂ ଅଭିଯାନ ସମ୍ପର୍କରେ ଅବଗତ କରାଗଲା। ଏହି ତାଲିମ ପ୍ରାପ୍ତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକମାନେ ଆଗାମୀ ଦିନରେ ଜିଲ୍ଲାସ୍ତରରେ କାଉନସିଲର ଏବଂ କର୍ପୋରେଟରଙ୍କୁ ଏହି ସବୁ ସରକାରୀ ଯୋଜନା ସମ୍ପର୍କରେ ସୂଚିତ କରିବେ।
ଶ୍ରୀମତୀ ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟକର୍ତ୍ତା ଏବଂ ପାଣ୍ଠି (୩ଏଫ୍)ର କିଭଳି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସରକାରୀ ଯୋଜନାଗୁଡ଼ିକ ବାବଦରେ ସଠିକ୍ ସୂଚନା ଜିଲ୍ଲାସ୍ତରରେ ପହଞ୍ଚାଇବା ପାଇଁ ସେ ମାଷ୍ଟର ଟ୍ରେନରମାନଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ଉଦବୋଧନରେ, ଶ୍ରୀମତୀ ପାଢୀ ସହରାଞ୍ଚଳ ପରିଚାଳନାରେ ଏକ ଆଦର୍ଶଗତ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଆମକୁ ପାରମ୍ପରିକ ଚିନ୍ତାଧାରା ଠାରୁ ଆଗକୁ ବଢ଼ିବାକୁ ପଡିବ। ଏକ ପ୍ରଗତିଶୀଳ, ଯୋଜନା-ଚାଳିତ, ଏବଂ ନବସୃଜନ-ମୁଖୀ ଆଭିମୁଖ୍ୟ ଅତ୍ୟନ୍ତ ଜରୁରୀ," ପାରମ୍ପରିକ ଆଭିମୁଖ୍ୟରୁ ଆଗକୁ ବଢ଼ିବାର ସମୟ ଆସିଛି। ଆମର ସହରାଞ୍ଚଳ ବ୍ୟବସ୍ଥା ନବସୃଜନ, ଅନ୍ତର୍ଭୁକ୍ତି ଏବଂ ଭବିଷ୍ୟତ-ପ୍ରସ୍ତୁତିରେ ମୂଳ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ l ଅଂଶ ଗ୍ରହଣକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା , ସହଯୋଗ ଏବଂ ଅଙ୍କୁର ଭଳି ପ୍ରମୁଖ ସହରାଞ୍ଚଳ ମିଶନ କାର୍ଯ୍ୟକ୍ରମ ସହିତ ସକ୍ରିୟ ଭାବରେ ଜଡିତ ହୋଇ ପରିବର୍ତ୍ତନର ଭାବନାକୁ ଆଗେଇନେବାକୁ ଆହ୍ୱାନ କରିଥିଲେ, ଯାହା ଓଡ଼ିଶାର ସହରାଞ୍ଚଳ ବିକାଶ ରୋଡମ୍ୟାପର କେନ୍ଦ୍ରବିନ୍ଦୁ। "ସହରୀ କାର୍ଯ୍ୟକ୍ରମଗୁଡ଼ିକୁ ଯୋଜନା ଭାବରେ ଦେଖାଯିବା ଉଚିତ୍ ନୁହେଁ, ବରଂ ଆମ ଲୋକଙ୍କ ଦୈନନ୍ଦିନ ଜୀବନକୁ ଉନ୍ନତ କରିବା ପାଇଁ ପ୍ରତିବଦ୍ଧତା ଭାବରେ ଦେଖାଯିବା ଉଚିତ୍ ବୋଲି ଶ୍ରୀମତୀ ପାଢୀ କହିଛନ୍ତି l
ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଶ୍ରୀ ଅରିନ୍ଦମ ଡାକୁଆ, ପୌର ନିର୍ଦ୍ଦେଶକ , ସ୍ବାୟତ୍ତ ଶାସନ ସଂସ୍ଥା ଗୁଡ଼ିକର ଦାୟିତ୍ବ, ବିକଶିତ ଓଡ଼ିଶା ୨୦୩୬ ଗଠନ ଦିଗରେ ସେମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ଅନୁରୂପ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଶ୍ରୀମତୀ ସ୍ବର୍ଣ୍ଣମୟୀ ତ୍ରିପାଠୀ ୭୪ତମ ସମ୍ବିଧାନ ସଂଶୋଧନ ଅଧିନିୟମ , ଶ୍ରୀ ଗଙ୍ଗାଧର ନାୟକ, ସ୍ବତନ୍ତ୍ର ସଚିବ ହାଉସିଂ ଫର୍ ଅଲ୍/ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶ୍ରୀମତୀ ଶିଖା ବିଶ୍ବାଳ, ଏଫ୍ ତଥା ଅତିରିକ୍ତ ସଚିବ, ପୌର ଅର୍ଥ ଏବଂ ବଜେଟ୍ ପରିଚାଳନା, ଶ୍ରୀ ଗୁରୁ ଚରଣ ଦାସ, ପରିଚାଳନା ନିର୍ଦ୍ଦେଶକ, ଓ୍ବାଟକୋ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସମ୍ପର୍କରେ ମାଷ୍ଟ୍ରର ଟ୍ରେନରଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଅତିରିକ୍ତ ସଚିବ ଶତୃଘ୍ନ କର, ଯୁଗ୍ମ ସଚିବ ସରୋଜ କୁମାର ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ଶ୍ରୀ ରବିନ୍ଦ୍ର କୁମାର ସାହୁ, ଅତିରିକ୍ତ ସଚିବ ତଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଡା ଆଜିର ଏହି କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ଭାଷଣ ରଖିଥିବା ବେଳେ ଜିଲ୍ଲା ଉନ୍ନୟନ ସଂସ୍ଥା ପ୍ରତିନିଧି, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଇଞ୍ଜିନିୟରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।