ଓଡ଼ଗାଁ,୧୪।୬(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନଧରି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଜରୁରୀ ଚିକିତ୍ସା ସେବା । ବ୍ଳକ ସଦର ମହକୁମାରେ ଅବସ୍ଥିତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ରହିଥିବା ବେଳେ ଏହି ଅଞ୍ଚଳର ୧୮ ରୁ ଅଧିକ ପଞ୍ଚାୟତର ଜନସାଧାରଣଙ୍କ ସହିତ ଗଞ୍ଜାମ ଜିଲ୍ଲାର ପ୍ରାୟ ୭ ରୁ ୮ ପଞ୍ଚାୟତ ଅଧିବାସୀ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି । ଏଥି ସହିତ ଗୋଷ୍ଠୀ ବିବାଦ କିମ୍ବା ଘରୋଇ କଳହରେ ଆହତ ଗୁରୁତରଙ୍କୁ ଏବଂ ରାଜପଥରେ ଦୁର୍ଘଟଣାଗ୍ରସ୍ତ ମାନଙ୍କୁ ଦୈନନ୍ଦିନ ଏଠାକୁ ଜରୁରୀ ଚିକିତ୍ସା ସେବା ପାଇବାକୁ ବହୁ ସଂଖ୍ୟାରେ ରୋଗୀ ଆସିଥାନ୍ତି । ତେବେ ଦୁର୍ଘଟଣାରେ ଖଣ୍ଡିଆ ଖାବରା ଓ ଗୁରୁତର ଭାବେ
ଆହତ ହୋଇ ଜୀବନ ବଞ୍ଚାଇବାକୁ ଦୈାଡି ଆସୁଥିବା ରୋଗୀମାନଙ୍କ ଆଶୁ ଚିକିତ୍ସା ସମୟରେ ସଂକ୍ରମଣ ରହିତ ପରିସ୍କାର ପରିଚ୍ଛନ୍ନ ବ୍ୟବସ୍ଥା ରହିବାର ଆବଶ୍ୟକତା ରହିଛି । ତେବେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜରୁରୀ ଅବସ୍ଥାରେ ଆସୁଥିବା ଆହତ ମାନଙ୍କ ନିମନ୍ତେ ବ୍ୟବହୃତ ଖଟଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଉପରେ ପଡ଼ିଥିବା ଗଦିଶେଜଟି ପ୍ରାୟ ନଷ୍ଟ ହେବାକୁ ବସିଲାଣି । ଏଥି ସହିତ ଶେଜ ଉପରେ ପଡ଼ିବା ବେଡସିଡ୍ ବଦଳାଯିବାତ ଦୁରର କଥା ଦୀର୍ଘ ଦିନଧରି ଏଥିରେ ବେଡ଼ସିଡ ଟିଏ ପଡ଼ୁନଥିବା ମଧ୍ୟ ଦେଖାଯାଇଛି । ଜରୁରୀ ଚିକିତ୍ସା ପାଇଁ ଆସିଥିବା ରୋଗୀ ପାଇଁ ଏଠାରେ ଲାଗିଥିବା ଫ୍ୟାନକୁ ସୁଇଜଦେଇ ହାତରେ ବୁଲାଇଲେ କଷ୍ଟେମଷ୍ଟେ ଘୁରୁଛି । ଏଥି ସହିତ ଏଠାରେ ରହିଥିବା ଡ୍ରେସିଂ ବେଡ୍ କଥା ନକହିବା ଭଲ । ଏହାରି ଉପରେ ଶୁଆଇ ଜରୁରୀ ରୋଗୀଙ୍କର ଆଶୁ ଚିକିତ୍ସା କରାଯାଇଥାଏ । ଏଭଳି ସ୍ଥିତିର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ସାଇନ୍ ଲଣ୍ଡ୍ରି ନାମକ ଏକ ସଂସ୍ଥା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବେଡସିଡ୍ ଯୋଗାଇବା ସହିତ ବ୍ୟବହୃତ ବେଡସିଡକୁ ସଫା କରି ପୁନଃ ପ୍ରତିଦିନ ବାର ଅନୁସାରେ ନିର୍ଦ୍ଧାରିତ ରଙ୍ଗର ବେଡସିଡ୍ ପକାଇବା ପାଇଁ ଦାୟିତ୍ବ ନେଇଛନ୍ତି । ଏ ସଂପର୍କରେ ବାରମ୍ବାର ଅବଗତ କରାଗଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଆଦୈା କର୍ଣ୍ଣପାତ କରୁନାହାନ୍ତି । କେବଳ ଓଡ଼ଗାଁ ନୁହେଁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁରୁପ ଭାବେ ଏହି ସମସ୍ୟା ଲାଗିରହିଛି ବୋଲି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିଲାଞ୍ଜନ ଦାସ କହିଛନ୍ତି । ଏବଂ ଏବଂ ଆପାତତଃ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ସୁବିଧା ସହିତ ଆଶୁ ଚିକିତ୍ସା ବିଭାଗକୁ ନୂତନ ବିଲଡିଙ୍ଗକୁ ସ୍ଥାନାନ୍ତର କରାଗଲେ ଡ୍ରେସିଂ ବେଡ୍ ସମସ୍ୟାର ସମାଧାନ ହୋଇଯିବ ।
ରାଜ୍ୟ
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଜରୁରୀ ଚିକିତ୍ସା ସେବା
- Hits: 399