ହେଡଲାଇନସ୍:

କୋଟିଆ ସୀମା ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସରକାରକୁ ଆସିବାର ବର୍ଷେ ପରେ ବୈଠକ

  • ଟ୍ରିପଲ ଇଞ୍ଜିନ ଥାଇ କୋଟିଆ ସୀମା ବିବାଦ ସମାଧାନ ପାଇଁ ଆନ୍ତରିକତା ନାହିଁ

  • କୋଟିଆର ଭିତ୍ତିଭୂମିର ବିକାଶ ନବୀନ ସରକାରଙ୍କ ଦ୍ୱାରା ହୋଇଥିଲା

ଭୁବନେଶ୍ୱର, ୦୬/୦୬/୨୦୨୫: କୋଟିଆ ସମ୍ୱନ୍ଧରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । କ୍ଷମତାକୁ ଆସିବାର ପ୍ରାୟ ଏକ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଚୁପ ରହିଥିବା ବେଳେ, ଆଜି ମନେ ପକେଇଛନ୍ତି । କୋଟିଆରେ ଭିତ୍ତିଭୂମି ବିକାଶ ହେବ ବୋଲି ମନ୍ତ୍ରୀ ବକ୍ତବ୍ୟ ଦେଇଛନ୍ତି, କିନ୍ତୁ ସୀମା ବିବାଦର ସମାଧାନ ଉପରେ ନିରବ ରହିଛନ୍ତି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ମାଝୀ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଗତ ଏକ ବର୍ଷ କେବଳ ମଧୁଚନ୍ଦ୍ରିକାରେ ବିତିଛି । କୋଟିଆ, ପୋଲାଭରମ ଭଳି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଗତ ଏକ ବର୍ଷ ମଧ୍ୟରେ ମୁହଁ ଖୋଲିନାହାନ୍ତି । ଏକ ବର୍ଷ ପୂର୍ତ୍ତିକୁ ନେଇ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଉତ୍ସବ ପାଳନ କରିବା ପାଇଁ ଆୟୋଜନ କରାଯାଉଥିବା ବେଳେ, କେବଳ ଉପରଠାଉରିଆ ଭାବେ ଆଜି କୋଟିଆ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଛି ।
ଶ୍ରୀ ପ୍ରଦୀପ ମାଝୀ କହିଥିଲେ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କୋଟିଆର ଭିତ୍ତିଭୂମି ବିକାଶ କରାଯିବ ବୋଲି ଦେଇଥିବା ମନ୍ତବ୍ୟ କେବଳ ଧର୍ମକୁ ଆଖିଠାର ସଦୃଶ୍ୟ । କାରଣ କୋଟିଆରେ ସୀମା ବିବାଦ ମୁଖ୍ୟ ସମସ୍ୟା ହୋଇଥିବା ବେଳେ, ସେ ଦିଗରେ ମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । କୋଟିଆର ଭିତ୍ତିଭୂମି ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଏକକାଳୀନ ୧୬୪ କୋଟି ଟଙ୍କା ପ୍ରଦାନ କରିଥିଲେ । ସେଠାରେ ସମଗ୍ର ଗ୍ରାମାଞ୍ଚଳର ରାସ୍ତା, ସମସ୍ତ ଗ୍ରାମକୁ ପାନୀୟ ଜଳ, ବିଜୁଳି ସଂଯୋଗ ଓ ସାମାଜିକ ସୁରକ୍ଷା ଯୋଜନା ସଫଳତାର ସହିତ ଲାଗୁ କରାଯାଇଥିଲା । କୁନ୍ଦୁଲି ଓ କୋଟିଆ ଅଞ୍ଚଳରେ ଜୈବିକ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା, ଯାହା ଫଳରେ ଆଜି ସେହି ଅଞ୍ଚଳରୁ ସମଗ୍ର ରାଜ୍ୟକୁ ପନିପରିବା ଆସୁଛି ।
ଶ୍ରୀ ମାଝୀ କହିଥିଲେ, କୋଟିଆ ସୀମା ବିବାଦ ପ୍ରସଙ୍ଗରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସଂସଦ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଆଜି ରାଜ୍ୟରେ ଓ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିଜେପିର ସହଯୋଗୀ ଦଳର ସରକାର ଅଛି । କିନ୍ତୁ, ରାଜ୍ୟ ସରକାର ଏହି ସମସ୍ୟା ସମାଧାନ ଉପରେ କୌଣସି ପଦକ୍ଷେପ ନେଇନାହାନ୍ତି । ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଥିଲାବେଳେ ରାଜ୍ୟ ସରକାର କାହିଁକି ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ ।
ଡ଼ ଲେନିନ ମହାନ୍ତି କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଅନ୍ତଃରାଜ୍ୟ କାଉନସିଲ ବୈଠକରେ, କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ମୁହଁ ଖୋଲିନଥିଲେ, ଯାହା କୋଟିଆ ସୀମା ବିବାଦ ସମାଧାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଟିଆ ସୀମା ବିବାଦ ପ୍ରସଙ୍ଗରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସଂସଦ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ ଏହି ପ୍ରସଙ୍ଗ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଏକ ସ୍ଥାୟୀ ଇଞ୍ଜକ୍ସନ ପ୍ରଦାନ କରିଥିଲେ, ଯାହା ପୂର୍ବ ସରକାରଙ୍କ ପାଇଁ ଏକ ଉପଲବ୍ଧô ଥିଲା । ଆଜିର ବୈଠକରେ, ସୀମା ବିବାଦ ନେଇ ରାଜ୍ୟ ସରକାର ନିରବ ରହିବା ଯୋଗୁଁ ଆଜିର ବୈଠକ ଏକ ଭେଳିକିରେ ପରିଣତ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟରେ ପୂର୍ବ ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଓଡିଶାର ଦାବି ଗ୍ରହଣୀୟ ହୋଇପାରିଲା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଶ୍ରୀ ପୂଜାରୀ ନିଜେ ଜଣେ ବରିଷ୍ଠ ଓକିଲ ହୋଇଥିବା ବେଳେ, ସେ ସ୍ୱୀକାର କରିବେ କି, ଗତ ଏକ ବର୍ଷରେ ରାଜ୍ୟ ସରକାର ହାରିଥିବା ଶତାଧିକ କେସ୍ର କାରଣ କ’ଣ ବିଜେପି ସରକାରର ପରିଚାଳନାଗତ ତ୍ରୁଟି ଥିଲା କି ? ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।

0
0
0
s2sdefault