ପୁରୀ, (ଅନିମେଶ ପଟ୍ଟନାୟକ): ବାଲୁଖଣ୍ଡ ବନାଞ୍ଚଳରେ ଚାଲିଛି ପ୍ଲଟିଙ୍ଗର ଯୋଜନା । ଏ ଅଭିଯୋଗ ଆଣିଛନ୍ତି ଆପ୍ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି । ବିଶ୍ବସ୍ତରୀୟ ପୁରୀ ସହରର କଳେବର ବୃଦ୍ଧି ପାଉଛି । ପୁରୀରେ ଘର ଓ ଜାଗା କିଣିବା ପାଇଁ ଅଧିକାଂଶ ଲୋକଙ୍କ ଇଛା ରହିଛି । ପୁରୀ କୋଣାର୍କ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ବିଲଡର ମାନଙ୍କ ଆଖି ବାଲୁଖଣ୍ଡ ଅଭୟାରଣ୍ୟ ଉପରେ ପଡିଛି । ପ୍ରଭାବଶାଳୀ ବିଲଡର ନେତା, ମନ୍ତ୍ରୀ ଓ ତହସିଲଦାରଙ୍କୁ ପ୍ରଭାବିତ କରି ଜଙ୍ଗଲ ଭିତରେ ପ୍ଲଟିଂ ସ୍କିମ ଆରମ୍ଭ କରିଛନ୍ତି । ଜଙ୍ଗଲ ଭିତରେ ରାସ୍ତାଘାଟ ନିର୍ମାଣ ଯୋଗୁ ଜୀବଜନ୍ତୁ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସେଠାରେ ପାଚେରି ନିର୍ମାଣ ଓ ଶହ ଶହ ଗଛ କଟାଯାଇଛି । ବିଜୁଳି ବିଭାଗ ମଧ୍ଯ ବିଜୁଳି ଖୁଂଟ ପୋତିବା ପାଇଁ ଅନୁମତି ଦେଇଛନ୍ତି । ଜଙ୍ଗଲ ଜମି କିପରି ସ୍ଥିତିବାନ ହେଲା ତାକୁ କିଏ ଅନୁମତି ଦେଲା ସେ ସଂପର୍କରେ ଖୋଳତାଡ କରିବା ପାଇଁ ଆପ ଦଳ ଦାବି କରିଛି । ଏହି ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ଶୁକ୍ରବାର ପୂର୍ବାହ୍ନରେ ସାଲବେଗ ପୀଠ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ଆପ । ଏଥିରେ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି, ନଗର ସଭାପତି ଦେବ ପ୍ରଧାନ, ମୁଖପାତ୍ର ଅନିଲ ସେନାପତି ଓ ଗୋପ ଅଞ୍ଚଳର ନେତା ରମାକାନ୍ତ ସ୍ବାଇଁ ଉପସ୍ଥିତ ଥିଲେ ।