ବାହାଡାଝୋଲା ଜଙ୍ଗଲରୁ କାଟିନେଲେ ୨ ମହାଦୃମ ଶାଳ ଗଛ
ଓଡ଼ଗାଁ, ୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ବାହାଡାଝୋଲା ବିଟହାଉସ ଅଞ୍ଚଳ ଶାଳୁଆପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରୁ ମାଫିଆ ମାନେ ୨ ଗୋଟି ମହାଦୃମ ଶାଳ ଗଛ କାଟି ନେଇଥିବା ବେଳେ ଟେର ପାରିଲେନି ବାହାଡାଝୋଲା ବିଟ୍ ହାଉସ ବନକର୍ମଚାରୀ । ବିଶାଳକାୟ ମୂଳଗଣ୍ଡି ଗୁଡିକୁ ମାଫିଆ ମାନେ ଉଠାଇ ନେଇଥିବା ବେଳେ ଡାଳ ଗୁଡ଼ିକ ଶାଳୁଆପଲ୍ଲୀ ଗାଁ ମୁଣ୍ଡେ ଫୋପାଡ଼ି ଚାଲିଯାଇଛନ୍ତି । ବାହାଡାଝୋଲା ସଂରକ୍ଷିତ ଜଙ୍ଗଲ ପିପି ନମ୍ବର/୧୯୬ ଅଞ୍ଚଳରୁ ଉକ୍ତ ଶାଳଗଛ କାଟି ମାଫିଆ ମାନେ ନେଇଯାଇଥିବା ବେଳେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରୁ ୬ଖଣ୍ଡ ଡ଼ାଳ ଶାଳ ଗଣ୍ଡିକୁ ଜବତ କରିବାକୁ ସକ୍ଷମ ହେବା ସହିତ ବିଟହାଉସକୁ ଆଣିଛନ୍ତି । ମାତ୍ର ମୁଳଗଣ୍ଡି ଗୁଡ଼ିକ ସମ୍ପର୍କରେ ବନବିଭାଗ ଅନୁସନ୍ଧାନ ଆରମ୍ଭ କରିଛି । ସୂଚନା ଅନୁସାରେ ଥାଉକି ଗତ ୧୪ ତାରିଖରେ ଗୋଟିଏ ଗଛ କଟାଯାଇଥିବା ଜଣାପଡିଥିବା ବେଳେ ୨୦ ତାରିଖ ବେଳକୁ ଅନ୍ୟ ଏକ ଗଛ କଟିନେଇଥିଲେ । ଏବଂ ୨୧ ତାରିଖରେ ଜଙ୍ଗଲ ବିଭାଗ ଅବଶିଷ୍ଟ କାଠକୁ ସଂଗ୍ରହ କରିଥିଲେ । ଅନ୍ୟପକ୍ଷରେ ଗଛର ବିଶାଳ ତାକୁ ଲକ୍ଷ୍ୟକଲେ ଜେସିବି କିମ୍ବା କ୍ରେନ ସହାୟତାରେ କାଠଗଣ୍ଡି ଗୁଡ଼ିକୁ ଟ୍ରକରେ ଲଦାଯାଇଥିବ । ଏବଂ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଲୋଡାଯାଇଥିବା ସମ୍ଭାବନା ରହିଛି । କାଠଗଣ୍ଡି ଗୁଡ଼ିକ ଏବେ ନୟାଗଡ଼ ଜଙ୍ଗଲ ଅଞ୍ଚଳରୁ ଯାଇ ସୀମାବର୍ତ୍ତି ଗଞ୍ଜାମ ଜିଲ୍ଲାର ଏକ ଗ୍ରାମରେ ରଖାଯାଇଥିବା ଜଣାପଡିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ବନ ବିଭାଗ ସେଠାରେ ପହଞ୍ଚି ପାରିନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଧରିତ୍ରୀ ଦିବସ ଅବସରରେ ଏଭଳି ମହାଦୃମ ୨ ଶାଳ ଗଛ କଟାକୁ ନେଇ ସ୍ଥାନୀୟ ଅଞ୍ଚଳର ପରିବେଶ ବିତମାନେ କ୍ଷୋଭ ପ୍ରକାଶ କରିବା ସହିତ ସ୍ଥାନୀୟ ବନବିଭାଗ କାର୍ଯ୍ୟଦକ୍ଷତାକୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।