ସମନ୍ୱିତ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ କୋରାପୁଟ ପାଇଲା ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉତ୍କର୍ଷ ସମ୍ମାନ
କୋରାପୁଟ / ଭୁବନେଶ୍ୱର : ୨୧/୦୪/୨୦୨୫, ଅଶୋକ ସାହୁ, ଶାସକ ପ୍ରଶାସକ: ଜନସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମନ୍ୱିତ ବିକାଶ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ନାଗରିକ ପ୍ରଶାସନ ସମ୍ମାନରେ ସମ୍ମାନିତ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କଠାରୁ ୨୦୨୪ ବର୍ଷ ପାଇଁ ଏହି ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ଜାତୀୟ ଖ୍ୟାତି କେବଳ କୋରାପୁଟ ନୁହେଁ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ବିଗତ ୧୮ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ୧୧ଟି ପ୍ରମୁଖ ଯୋଜନାର ସଫଳ ରୂପାୟନ କରି କୋରାପୁଟ ଜିଲ୍ଲା ପ୍ରଶାସନ ଜନଜାତି ସଂପ୍ରଦାୟର ଜୀବନଜୀବିକାରେ ଆଶାତୀତ ଉନ୍ନତି ଆଣି ଅନ୍ତର୍ଭୁକ୍ତି ବିକାଶ ଏବଂ ପ୍ରଗତିର ଏକ ନୂତନ ସୂର୍ଯ୍ୟୋଦୟ ଆଣିପାରିଛି ।
ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଓ ମୁକ୍ତ ବିଜୁଳି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, କିଷାନ କାର୍ଡ, ମିଶନ ଟିକାକରଣ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଘର ଘର ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ଆଣି କୋରାପୁଟ ଜିଲ୍ଲା ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇପାରିଛି ।
ପୁରସ୍କାର ଗ୍ରହଣ କରି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ଏହି ପୁରସ୍କାର କୋରାପୁଟର ପ୍ରତ୍ୟେକ ନାଗରିକଙ୍କ ସତ୍ୟନିଷ୍ଠାତା, ଉତ୍କୃଷ୍ଟତା ଏବଂ ପ୍ରଗତି ପାଇଁ ଥିବା ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହିତ କରିବ । ଏହି ପୁରସ୍କାର ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସତ୍ୟନିଷ୍ଠ ଓ ସାମୂହିକ ପ୍ରୟାସ ତାସହ କଠିନ ପରିଶ୍ରମର ଫଳଶ୍ରୁତି । ଏହି ପୁରସ୍କାର କୋରାପୁଟର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ସମାବେଶୀ ଓ ସମନ୍ୱିତ ବିକାଶ ନିମନ୍ତେ ଥିବା ସେମାନଙ୍କ ପ୍ରଚେଷ୍ଟାକୁ ଅଧିକ ସଶକ୍ତ କରିବ । ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ପ୍ରଶାସନ ଏହି ସଫଳତା ହାସଲ କରପାରିିଛି ବୋଲି ସେ କହିଛନ୍ତି ।
ଏହି ସମ୍ମାନ ଜାତୀୟ ସ୍ତରରେ କୋରାପୁଟର ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ଅନୁପ୍ରାଣିତ କରିବ ଏବଂ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ କୈନ୍ଦ୍ରିକ ପ୍ରଶାସନ ଓ ନାଗରିକମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରିବ