ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା: ଆକ୍ରମଣାତ୍ମକ ଢଙ୍ଗରେ ପ୍ରଭୁଙ୍କ ଯୁଦ୍ଧ ଯାତ୍ରା ବେଶ
ଓଡ଼ଗାଁ,୧୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟା ଅବସରରେ ପ୍ରଭୁଙ୍କ ଯୁଦ୍ଧଯାତ୍ରା ବେଶ ବେଶ୍ ଆକ୍ରମଣାତ୍ମକ ରହିଥିଲା । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଭକ୍ତରାଜ ହନୁମାନ ଓ ଯୁବରାଜ ଅଙ୍ଗଦଙ୍କ ସ୍କନ୍ଧରେ ବସି ଲଙ୍କା ଅଭିଯାନରେ ବାହାରିଥିଲେ । ଅଷ୍ଟ ସେନାଧ୍ୟକ୍ଷ ଅସ୍ତ୍ର ଶସ୍ତ୍ରରେ ସଜିତ ହୋଇ ବାନର ସେନାଙ୍କୁ ସଙ୍ଗରେ ଧରି ବାହାରି ଥିଲେ । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଅଷ୍ଟ ସେନାଧ୍ୟକ୍ଷ ଓ ବାନରସେନାଙ୍କ ସହାୟତାରେ ପ୍ରବଳ ପ୍ରତାପୀ ରାବଣକୁ ନିଧନ କରି ମାତା ସୀତାଙ୍କୁ ଉଦ୍ଧାର କରିବା ସହିତ ବିଭୀଷଣଙ୍କୁ ଲଙ୍କାର ରାଜା ଭାବରେ ଅଭିସିକ୍ତ କରାଇ ବନ୍ଧୁତ୍ୱର ନିଦର୍ଶନ ପ୍ରତିପାଦିତ କରିଥିଲେ । ଆକାଶରେ ଦେବତା ଓ ମୁନୀ ଋଷି ଗଣ ଆନନ୍ଦ ଅନୁଭବ କରିବା ସହିତ ଶ୍ରୀରାମଙ୍କ ଧୈର୍ଯ୍ୟର ପ୍ରଶଂସା କରିଥିଲେ। ଅପରପକ୍ଷରେ ଓଡ଼ଗାଁ ରାବଣ ପୋଡ଼ି କମିଟି ଆନୁକୂଲ୍ୟରେ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ୨୩ତମ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଜିର ରାବଣପୋଡ଼ି ଅବ୍ୟବହିତ ପୂର୍ବରୁ ନିର୍ମାଣ ହୋଇଥିବା ୩୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ଧାରାବାହିକ ବର୍ଷା ଓ କାଳବୈଶାଖୀର ତାଣ୍ଡବଲୀଳାରେ ଧରାଶାୟୀ ହୋଇଥିଲା । ତଥାପି ପ୍ରତିକୂଳ ପାଗ ସତ୍ବେ କମିଟି ରାବଣର ପ୍ରତିମୂର୍ତ୍ତୀକୁ ପୁନର୍ବାର ସଜାଡିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଇଥିଲା । ରାବଣର ପ୍ରତିକାତ୍ମକ ମୂର୍ତ୍ତି ସହିତ ବହୁ ସଂଖ୍ୟାରେ ଆତସବାଜି ବାଣ ଫୁଟିଥିଲା । ଫଳରେ ରାବଣର ମୂର୍ତ୍ତି ଖଣ୍ଡ ବିମଣ୍ଡିତ ହୋଇ ଏଣେ ତେଣେ ଛିଟିକି ପଡ଼ିଥିଲା । ପାପ ଉପରେ ପୁଣ୍ୟ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟ ପର୍ବକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଦେଖୁଥିବା ବେଳେ ଏହାରି ଆଧାରରେ ମନୁଷ୍ୟ ସମାଜ ନିଜକୁ ପରିବର୍ତ୍ତନ କରିପାରିଲେ ସ୍ବପ୍ନର ରାମରାଜ୍ୟ ଅସମ୍ଭବ ହୋଇ ରହନ୍ତା ନାହିଁ । ଆସନ୍ତା କାଲି ବୁଧବାର ଯାତ୍ରାର ଅନ୍ତିମ ଦିବସ ସନ୍ଧ୍ୟାରେ ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଅନୁଷ୍ଠିତ ହେବ ।