ହେଡଲାଇନସ୍:

୪୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ରହିଛି ଟିବି ଜୀବାଣୁ: ବିଶେଷଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଏପ୍ରିଲ ୧: ଭାରତୀୟ ଲୋକସଂଖ୍ୟାର ୪୦ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ଟୁ୍ୟବରକୁ୍ୟଲୋସିସ୍ ବା ଯକ୍ଷ୍ମା ରୋଗର ଜୀବାଣୁ ରହିଛି ଯଦିଓ ସେମାନଙ୍କର ମାଇକ୍ରୋବାୟୋଲଜିକାଲ୍ ପରୀକ୍ଷା ରିପୋର୍ଟ ନେଗେଟିଭ ଦର୍ଶାଇଥାଏ । ଏହା ସତ୍ୱେ ମଧ୍ୟ ଏହି ୪୦ ପ୍ରତିଶତ ବ୍ୟକ୍ତି ଟିବି ଜୀବାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି ।
ଯଦିଓ ସେମାନେ ଏହି ଜୀବାଣୁ ବହନ କରିଥାନ୍ତି ତଥାପି ଏହି ବ୍ୟାଧିଜନିତ ସମସ୍ୟା ପ୍ରାଥମିକ ସ୍ତରରେ ଦେଖାଦେଇ ନଥାଏ ଏବଂ ପରବର୍ତୀ ସମୟରେ ଏହି ରୋଗ ପ୍ରାୟ ୧୦ ପ୍ରତିଶତ ଲୋକଙ୍କ ଠାରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ଲକ୍ଷଣବିହୀନ ଟିବି ରୋଗୀମାନେ ଏହି ରୋଗକୁ ଅଧିକ ସଂକ୍ରମିତ କରିଥାନ୍ତି ବୋଲି କହିଛନ୍ତି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର ପ୍ରଫେସର (ଡାକ୍ତର) ସୁଦର୍ଶନ ପୋଥାଳ ।
ପ୍ରଫେସର ପୋଥାଳ କହିଛନ୍ତି ଯେକୌଣସି ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ହସ୍ପିଟାଲ୍କୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କର ସ୍କ୍ରିନିଂ ଦ୍ୱାରା ଟୁ୍ୟବରକୁ୍ୟଲୋସିସ୍ ପରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି । ପୋର୍ଟେବଲ ଏକ୍ସ-ରେ ମେସିନ୍ ଦ୍ୱାରା ଏହି ପରୀକ୍ଷା କରାଯାଇ ପାରିବ ବୋଲି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଟିବି ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଫେସର ପୋଥାଳ ।
ଟିବି ଜୀବାଣୁ ଶରୀରରେ ଧାରଣ କରି ନୀରବରେ ସଂକ୍ରମିତ କରୁଥିବା ବ୍ୟକ୍ତିମାନଙ୍କର ସ୍କ୍ରିନିଂ ଦ୍ୱାରା ହିଁ ଅଧିକ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି ।
ପ୍ରଫେସର ପୋଥାଳ କହିଛନ୍ତି ଯେ ଟିବିର ମୁକାବିଲା କରିବା ପାଇଁ ନୂତନ ବିପାମ (ବିପିଏଏଲ୍ଏମ୍) ଚିକିତ୍ସା ଖୁବ୍ ସୁରକ୍ଷିତ ଏବଂ ଫଳପ୍ରଦ ଅଟେ । ଏହା ଦ୍ୱାରା ଖୁବ୍ ଶୀଘ୍ର ଚିକିତ୍ସା ସମ୍ଭବ ହୋଇପାରେ ବୋଲି ସେ କହିଛନ୍ତି । ଏହି ନୂଆ ରେଜିମେନ୍ ୪ଟି ଔଷଧ ଯଥାକ୍ରମେ ବେଡାକୁଇଲାଇନ୍, ପ୍ରେଟୋମାନିଡ୍, ଲିନେଜୋଲିଡ ଏବଂ ମୋକ୍ସିଫ୍ଲୋକ୍ସାସିନ୍ ର ସମ୍ମିଳନ ଯାହା କି ୯୪ ପ୍ରତିଶତ ସଫଳ ଚିକିତ୍ସା ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି ।
ଏହି ନୂତନ ଚିକିତ୍ସା ୨୬ ରୁ ୩୮ ସପ୍ତାହ ମଧ୍ୟରେ କରାଯାଇପାରିବ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ-ଦ ମେଡ୍ସିଟିର ଇନଷ୍ଟିଟ୍ୟୁଟ ଅଫ୍ ଚେଷ୍ଟ ସର୍ଜରୀ, ଚେଷ୍ଟ ଅଙ୍କୋ ସର୍ଜରୀ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାନ୍ଟେସନର କନ୍ସଲ୍ଟାଂଟ ଥୋରାସିକ୍ ସର୍ଜନ ଡାକ୍ତର ମୋହନ ଭେଙ୍କଟେଶ ପୁଲେ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା ଓଡ଼ିଶା ଚେଷ୍ଟ ସୋସାଇଟିର ସଭାପତି ପ୍ରଫେସର (ଡାକ୍ତର) ବନାନୀ ଜେନା ବକ୍ତବ୍ୟ ରଖିଥିଲେ ।
ଡାକ୍ତର ପୁଲେ କହିଥିଲେ ଯେ ୧୯୪୦ ମସିହା ପୂର୍ବରୁ ଯକ୍ଷ୍ମା ରୋଗର ଚିକିତ୍ସା କେବଳ ଶଲ୍ୟ ଚିକିତ୍ସକମାନେ ହିଁ କରୁଥିଲେ କାରଣ ଶଲ୍ୟ ଚିକିତ୍ସା ହିଁ ଏକମାତ୍ର ପନ୍ଥା ଥିଲା । ତେବେ ୧୦୦ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗର ଏହି ଚିକିତ୍ସା ପଦ୍ଧତି ହିଁ ଥୋରାସିକ୍ ସର୍ଜରୀରେ ଅନେକ ଉନ୍ନତି ଆଣିପାରିଛି ବୋଲି ସେ କହିଥିଲେ ।
ଏହି ଅବସରରେ ପ୍ରଫେସର (ଡାକ୍ତର) ଜେନା ଟିବି ମୁକ୍ତ ଭାରତର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ସାଧନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ରେସ୍ପିରେଟୋରୀ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ରାକ୍ଷୀ ଲୁଦାମ୍ ଏବଂ ଡାକ୍ତର ପ୍ରିୟଦର୍ଶିନୀ ବେହେରା ଉପସ୍ଥିତ ଥିଲେ ।

 

0
0
0
s2sdefault