ହେଡଲାଇନସ୍:

ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୨୨ା୩: ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ନିଯୁକ୍ତି ସଂକ୍ରାନ୍ତରେ ୨୦୨୦ ମସିହାରେ ନୂଆ ଆଇନ୍‍ ପ୍ରଣିତ ହେବା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ ଯେତେସବୁ ଦରଖାସ୍ତ ରହିଛି ତାହାକୁ ୧୯୯୦ର ମୂଳ ଆଇନ୍‍ ଆଧାରରେ ଫଇସଲା କରିବା ଲାଗି ଏହି ରାୟରେ କୁହାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ଖଣି ନିଗମ ଅଧୀନରେ ଅଲେଖ ଚନ୍ଦ୍ର ଜେନା ଜଣେ ନିୟମିତ କର୍ମଚାରୀ ଭାବେ କାମ କରୁଥିବା ବେଳେ ୨୦୧୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ପରିବାରର ଆର୍ଥôକ ଅବସ୍ଥା ଆଦୌ ଭଲ ନଥିବା ଏବଂ ତାଙ୍କ ବିଧବା ପତ୍ନୀ  ଅସୁସ୍ଥ ଥିବା ପରିପ୍ରେକ୍ଷୀରେ ପରିବାରର ସର୍ବସମ୍ମତ ନିଷ୍ପତ୍ତି ଅନୁଯାୟୀ ପୁଅ ଅମୀୟ କୁମାର ଜେନା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରମାଣପତ୍ର ସହିତ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ । ତଦନ୍ତ ପରେ ୨୦୧୯ ମସିହାରେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା ଏବଂ ଅମୀୟ ଜଣେ ବାଣିଜ୍ୟ ସ୍ନାତକ ସହିତ ପିଜିଡିସିଏ ଯୋଗ୍ୟତା ହାସଲ କରିଥିବାରୁ ତାଙ୍କୁ ଜୁନିଅର ଆକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ୨୦୨୦ରେ ସରକାର ନୂଆ ଆଇନ୍‍ ପ୍ରଣୟନ କରିବାରୁ ଅମୀୟଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ କର୍ତ୍ତୃପକ୍ଷ ୨୦୨୧ ମସିହାରେ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।
ଏ ସଂକ୍ରାନ୍ତରେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅମୀୟ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ମାମଲାର ଶୁଣାଣି କରି ୨୦୨୧ ମସିହାରେ କର୍ତ୍ତୃପକ୍ଷ ଯେଉଁ ଆଦେଶ ଦେଇଥିଲେ ତାହାକୁ ନାକଚ କରିଦେବା ସହିତ ୧୯୯୦ ମସିହାର ମୂଳ ଅନୁକମ୍ପାମୂଳକ ଆଇନ୍‍ ଓ ତାହାର ୨୦୧୬ ମସିହାର ସଂଶୋଧନ ଆଧାରରେ ଆବେଦନକାରୀଙ୍କ କଥା ବିଚାର କରିବାକୁ ସ୍ପଷ୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ମଳୟାନନ୍ଦ ସେଠୀ, ବିନ୍ଦୁ ସାଗର ସାମନ୍ତରାୟ, ବିଶ୍ୱଜିତ ସ୍ୱାଇଁ, ଅନୀଲ ପାଢ଼ୀ ଆଦି ମାମଲାକୁ ନଜିର ଭାବେ ଦର୍ଶାଇଛନ୍ତି ।
ଆବେଦନକାରୀଙ୍କ ପିତା ଓଏମ୍‍ସି ଅଧୀନରେ ଚାକିରି କରୁଥିବା ବେଳେ ୨୦୧୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିବାରୁ ସେତେବେଳେ ପ୍ରଚଳିତ ଥିବା ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ଆଧାରରେ ତାଙ୍କ ଆବେଦନକୁ ବିଚାର କରାଯିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଥିଲେ ।
ଇତିମଧ୍ୟରେ ହାଇକୋର୍ଟଙ୍କ ରାୟର ପ୍ରତିଲିପି ଆବେଦନକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି । ସଂଯୋଗକ୍ରମେ ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ତାଙ୍କ କ୍ୟାବିନେଟ୍‍ ବୈଠକରେ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତିରେ ଦର୍ଶାଇଛନ୍ତି ଯେ ୨୦୨୦ର ସଂଶୋଧିତ ଅନୁକମ୍ପାମୂଳକ ନିଯୁକ୍ତି ଆସିବା ପୂର୍ବରୁ ଯେତେସବୁ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନ ରହିଛି ସେସବୁକୁ ୧୯୯୦ର ମୂଳ ଆଇନ୍‍ ଆଧାରରେ ବିଚାର କରାଯିବ ।
ଏଠାରେ ଉଲ୍ଲେଖନୀୟ ଯେ ମଳୟାନନ୍ଦ ସେଠୀ ମାମଲାରେ ସୁପ୍ରିମକୋର୍ଟ ଅନୁରୂପ ରାୟ ଦେବା ପରେ ଓଡ଼ିଶା ସରକାର ତାହାର ଅନୁପାଳନ କରି ମଳୟାନନ୍ଦଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସମାନ ମାମଲାଗୁଡ଼ିକରେ ରାୟର ଅନୁପାଳନ କରିବା ପରିବର୍ତ୍ତେ ତାହାର ବିରୋଧରେ ଅପିଲମାନ କରିଛନ୍ତି । ଏଥିଯୋଗୁ ଗୋଟିଏ ପଟେ ସରକାରଙ୍କ ଉପରେ ମାମଲାର ଚାପା ବଢ଼ୁଥିବା ବେଳେ ଅନ୍ୟପଟେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇ ଅନେକ ପରିବାର ମାନସିକ ଓ ଆର୍ଥôକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି । କେବଳ ସେତିକି ନୁହେଁ, ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ହାଇକୋର୍ଟଙ୍କ ରାୟର ତ୍ୱରିତ ଅନୁପାଳନ କରାଯାଇନଥିବାରୁ ବହୁ ଅଦାଲତ ଅବମାନନା ମାମଲାରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଛନ୍ଦି ହେବାକୁ ବାଧ୍ୟ ହେଉଛନ୍ତି । ଅମୀୟ କୁମାର ଜେନା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଏବଂ ଇତିମଧ୍ୟରେ ରାଜ୍ୟ କ୍ୟାବିନେଟ୍‍ ଏ ବ୍ୟାପାରରେ ନେଇଥିବା ନିଷ୍ପତ୍ତି ନିଯୁକ୍ତି ପ୍ରତ୍ୟାଶି ଓ ସେମାନଙ୍କ ପରିବାରରେ ଆଶା ସଂଚାର କରିଛି ।

0
0
0
s2sdefault