ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଛା ସଂରଖିତ ଜଙ୍ଗଲ ନିକଟରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଓଡ଼ଗାଁ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଯିବା ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଶାଳପତ୍ର ସଂଗ୍ରହ କରିବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ନେପାଳ ଗାଆଁର ୪ରୁ ୫ଜଣ ମହିଳାଙ୍କ ସହିତ ଏକ ନାବାଳକ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଭାଲୁ ତାଙ୍କୁ ଗୋଡ଼ାଇ ଆସିଥିଲା । ଫଳରେ ଯିଏ ଯୁଆଡ଼େ ଦୈାଡିବାକୁ ଲାଗିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ନିକଟରେ ଭାଲୁ ପହଁଞ୍ଚି ଯିବାରୁ ନିଜକୁ ରକ୍ଷା କରିବା ପାଇଁ ପାଖରେ ଥିବା ଏକ ଡାଳରେ ଓହଳି ପଡିଥିଲେ । ହେଲେ ଭାଲୁଟି ଝାମ୍ପମାରି ମହିଳାଙ୍କ ଜଙ୍ଘକୁ ରାମ୍ପି ଆଣିଥିଲା । ମହିଳା ଜଣକ ନିଜକୁ ନିୟନ୍ତ୍ରଣ କରି ଗଛଡାଳକୁ ନଛାଡି ଓହଳି ରହିଥିଲେ । ଏହି ସମୟରେ ଅନ୍ୟ ମାନେ ଦୁରରେ ଥାଇ ପାଟିତୁଣ୍ଡ କରିବାରୁ ଭାଲୁ ତାକୁଛାଡି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ତେବେ ମହିଳା ଜଣଙ୍କ ହାତ ଡାଳରୁ ଆସିଯାଇଥିଲେ ଭାଲୁ ତାକୁ ମାରିଦେଇଥାନ୍ତା ବୋଲି ଉପସ୍ଥିତ ମହିଳା ମାନେ କହିଛନ୍ତି । ଗୁରୁତର ଆହତ ଜଣକ ହେଲେ ନେପାଳ ଗାଆଁର ଦୁରୁଜ ଯାନିଙ୍କ ଝିଅ ରଞ୍ଜୁ ଜାନୀ(୫୫) । ସେ ଅବିବାହିତ ଥିବାରୁ ବାପଘରେ ରହୁଥିବା ଜଣାପଡିଛି । ଗୁରୁତର ଆହତ ରଞ୍ଜୁଙ୍କୁ ଭାଇ ସୁରେନ୍ଦ୍ର ଜାନୀଙ୍କ ସହିତ ବନରଖି ଉଦ୍ଧବ ପ୍ରଧାନ ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ ।
ରାଜ୍ୟ
ଭାଲୁ ଆକ୍ରମଣରେ ମହିଳା ଗୁରୁତର
- Hits: 6