ହେଡଲାଇନସ୍:

ଆଦିବାସୀଙ୍କ ରୋଜଗାରକୁ ଛଡାଇ  ନେଇଛନ୍ତି ମୋଦି ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସବାଇଘାସ ଓ ଶାଳପତ୍ରରୁ ଉତ୍ପାଦିତ ସାମଗ୍ରୀ କିଣାବିକା ଉପରୁ ଜିଏସଟି ପ୍ରତ୍ୟାହାର କର 

ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ବିଶାଳ ପ୍ରତିବାଦ ସମାବେଶ 

ବାରିପଦାରୁ ଦିଲ୍ଲୀପ ମହାନ୍ତି :  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାର ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସଟି ଲାଗୁ  କରିଛନ୍ତି । ଉକ୍ତ ଜିଏସଟି ବ୍ୟବସ୍ଥାରେ ସବାଇଘାସ ଓ ଶାଳପତ୍ରକୁ ମଧ୍ୟ ସାମିଲ କରାଯାଇଛି । ଯାହାକୁ ନେଇ ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲାରେ ତୀବ୍ର ଜନଅସନ୍ତୋଷ ଦେଖା ଦେଇଛି । ସବାଇଘାସ ଓ ଶାଳପତ୍ର ସହିତ ଏଥିରୁ ଉପôାଦିତ ସାମଗ୍ରୀ ଉପରେ ଏକକ ଟିକସ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜରାସ୍ତାକୁ ଉହ୍ଲାଇ ଆସିଛି । ଜିଲାର ବିଭିନ୍ନ ବ୍ଲକରେ ଆନ୍ଦୋଳନ  ଜାରି ରହିଥିବା ବେଳେ ଆଜି ସଦର ମହକୁମା ବାରିପଦାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୨ ହଜାରରୁ ଅଧିକ ସମର୍ଥକମାନଙ୍କୁ ନେଇ ଝାମୁମୋର ଜିଲା ସଭାପତି ଫାଗୁ ହାଁସଦାଃଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସମାବେଶ ଆୟୋଜନ କରିଛି । ଏଥିରେ ଜିଲାର ୨୬ ଗୋଟି ବ୍ଲକରୁ ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ଯୋଗ ଦେଇଥିଲେ । 

             କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସେ ତାଙ୍କ ଭାଷଣରେ ଜିଲାରେ ବସବାସ କରୁଥିବା ୭୦ ପ୍ରତିଶତ ଆଦିବାସୀମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶ ଆଦିବାସୀମାନଙ୍କର ସବାଇଘାସ ଓ ଶାଳପତ୍ର ରୋଜଗାରର ଏକମାତ୍ର ମାଧ୍ୟମ ରହିଥିବା ବେଳେ ଏହା ଉପରେ କେନ୍ଦ୍ର ସରକାର ଜିଏସଟି ଅର୍ଥାତ ଗବର ସିଂ କର ଲାଗୁ କରି ସେମାନଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନେଇଛି । ସେହିପରି ରାଜ୍ୟ ସରକାର ବୋଝ ଉପରେ ନଳିାବିଡ଼ା ସଦୃଶ୍ୟ ଏହା ଉପରେ ଭାଟ ଲାଗୁ କରି ଶୋଷଣ କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଜନସାଧାରଣଙ୍କୁ ପ୍ରତାରିତ କରିଚାଲିଛନ୍ତି । ମିଥ୍ୟା ଆଦିବାସୀ ପ୍ରେମର ଦ୍ୱାହି ଦେଇ ସେମାନଙ୍କର ଆର୍ଥିକ ଓ ସାମାଜିକ ବିକାଶରେ ବାଧକ ସାଜିଛି । ଏହାକୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବରଦାସ୍ତ କରିପାରିବ ନାହିଁ । ଦଳ ସଦାସର୍ବଦା ଆଦିବାସୀମାନଙ୍କ ସାଥିରେ ରହିଆସିଛି । ସେମାନଙ୍କର ହକକୁ ହାସଲ କରିବା ପାଇଁ ଜେଏମଏମ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ରହିଛି । ତେଣୁ କେନ୍ଦ୍ର ସରକାର ଏହି ସବାଇଘାସ ଓ ଶାଳପତ୍ର ସହିତ ଏଥିରୁ ଉପôାଦିତ ସମସ୍ତ ପ୍ରକାରର ସାମଗ୍ରୀ ଉପରୁ ଲାଗୁ କରିଥିବା ଜିଏସଟି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଝାମୁମୋ ଏକ ଐତିହାସିକ ଆନେ୍ଦାଳନକୁ ଉହ୍ଲାଇବାକୁ ବାଧ୍ୟ ହେବ । ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ଆଦିବାସୀମାନଙ୍କୁ ନେଇ ତାର ମିଛ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ । ଆଦିବାସୀମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ନାମରେ ଚାଲିଥିବା ହରିଲୁଟକୁ ଆଉ ବରଦାସ୍ତ କରାଯାଇ ପାରିବ ନାହିଁ । ଝାମୁମୋ ଆଦିବାସୀମାନଙ୍କ ସ୍ୱାର୍ଥ ସାଧନ ଓ ସାମଗ୍ରିକ ବିକାଶ ନିମନ୍ତେ ସଦାସର୍ବଦା ସେମାନଙ୍କ ସହିତ ଛାଇ ଭଳି ରହିଆସିଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଜାଗ ରୁହନ୍ତୁ । ଆବଶ୍ୟକ ପଡ଼ିଲେ ଜିଲାରେ ବିଜେଡ଼ିର ବିଧାୟକ, ମନ୍ତ୍ରୀ ସହିତ ବିଜେପିକୁ ପୁରାଇ ଦେବୁ ନାହିଁ । ରାସ୍ତାଘାଟରେ ଲଢ଼ାଇ ଆରମ୍ଭ ହେବ । ସେହି ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତରଦାୟୀ ରହିବେ ବୋଲି ଝାମୁମୋର ରାଜ୍ୟ ସଭାପତି ଶ୍ରୀହେମ୍ବ୍ରମ ଚେତାବନୀ ଦେଇଥିଲେ । ସେହିପରି ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସବାଇଘାସ ଓ ଶାଳପତ୍ର ଉପରେ ଲାଗୁ କରାଯାଇଥିବା ଜିଏସଟି ବ୍ୟବସ୍ଥାକୁ ତୀବ୍ର ଭାବେ ବିରୋଧ କରି କେନ୍ଦ୍ର ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ନିଜର ଗାରିମା ଓ ପଦମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଆସିଛନ୍ତି । ଦେଶବାସୀଙ୍କୁ ପ୍ରତାରିତ କରିଚାଲିଛନ୍ତି । ତାଙ୍କ ପ୍ରତ୍ୟେକ କଥା ଓ ପ୍ରତିଶ୍ରୁତି ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଦେଶବାସୀଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି । ତାଙ୍କର ବିମୁଦ୍ରାକରଣ ଲୋକଙ୍କର ରୋଜିରୁଟିକୁ ଛଡ଼ାଇ ନେଇଛି । ଦେଶର ଆର୍ଥିକ ଅଭିବୃଦ୍ଧି ହାର ତଳକୁତଳକୁ ଖସି ଚାଲିଛି । ତାଙ୍କ ଶାସନରେ ଦେଶ ବିକାଶ ବଦଳରେ ବିନାଶ ପଥରେ ଆଗକୁ ଆଗକୁ ଗତି କରୁଛି । ସେହିପରି ନବୀନ ସରକାରରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୁର୍ନୀତି ଚରମସୀମା ଛୁଇଁ ଯାଇଛି । ତାଙ୍କ ଦଳର ମନ୍ତ୍ରୀ , ବିଧାୟକ , ନେତା, କର୍ମୀ ଏପରିକି ସରକାରୀ କର୍ମଚାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ପେଟ ଫୁଲିବାରେ ଲାଗିଛି । ଏହା ବିରୋଧରେ ଜେଏମଏମ ବାରମ୍ବାର ସ୍ୱର ଉତ୍ତୋଳନ କରିଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜିବସିଛି । ଏହାକୁ ଆଉ ଅଧିକ ବରଦାସ୍ତ କରାଯାଇ ପାରିବ ନାହିଁ । ଜେଏମଏମ ଚଳାଇ ଆସୁଥିବା ଆନେ୍ଦାଳନକୁ ଅଧିକ ତୀବ୍ର କରାଯାଇ ଶାସନ କଳକୁ ଆଗାମୀ ଦିନରେ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସାଧାରଣ ସମ୍ପାଦକ ଦୁର୍ଗା ହେମ୍ବ୍ରମ, ଜିଲା ପ୍ରବକ୍ତା ନିମାଇଁ ତ୍ରିପାଠୀ, ଛାତ୍ର ସଭାପତି ଧନଞ୍ଜୟ ସାହୁ, ଯୁବ ସଭାପତି ପିଣ୍ଟୁ ମାଇତି, ଯୁବ ଉପସଭାପତି ରାକେଶ ବେହେରା, ଯୁବ ନଗର ସଭାପତି ସୌମ୍ୟରଞ୍ଜନ ମିଶ୍ର, ଶୁଳିଆପଦା ବ୍ଲକ ସଭାପତି ତପନ ସିଟ, ବାଜୁନ ହାଈସଦାଃ, ଜ୍ୟୋତି ରଞ୍ଜନ ପୃଷ୍ଟି, ପରିତୋଷ ବାରିକ, ସତ୍ୟବ୍ରତ ନନ୍ଦ, ଗଣେଶ ଚନ୍ଦ୍ର ସାହୁ, ସତ୍ୟବାନ ପାଲ, ଦଲ୍ଲୀପ ଦାସ, ବିଦୁରାଜ ସୋରେନ, ଅବିନାଶ ମିଶ୍ର, ବଳରାମ ରଣା, ହରେକୃଷ୍ଣ ମଣ୍ଡଳ ପ୍ରମୁଖ ଦଳୀୟ ନେତାମାନେ ସବାଇଘାସ ଓ ଶାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ ଉପରୁ ଜିଏସଟିକୁ ଯଥାଶୀଘ୍ର ପ୍ରତ୍ୟାହାର କରାଯିବାର ଦାବି ଉପସ୍ଥାପନ କରିବା ସଂଗେସଂଗେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଥିଲେ ।

0
0
0
s2sdefault