ଓଡ଼ଗାଁ,୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ର ଏବେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କଳାକାର ମାନଙ୍କ ଅପେକ୍ଷାରେ ମଞ୍ଚ ଏବଂ ଦର୍ଶକ ମାନଙ୍କ ଅପେକ୍ଷାରେ ମହୋତ୍ସବ ପଡିଆ । ମେଳାରେ ଶହରୁ ଉର୍ଦ୍ଧ୍ବ ଷ୍ଟଲ ସ୍ଥାନ ପାଇଥିବା ବେଳେ ମିଶନ ଶକ୍ତି, ସ୍ବୟଂସହାୟକ ଗୋଷ୍ଠୀ ଓ ଅନ୍ୟ ସରକାରୀ ଉଦ୍ୟୋଗ ସହିତ ବିଭିନ୍ନ ବ୍ୟବସାୟୀ ଗୋଷ୍ଠୀଙ୍କ ପାଇଁ ସ୍ଥାନ ସଂରକ୍ଷିତ ହୋଇସାରିଛି । ଚଳିତବର୍ଷର ୧୩ ତମ ଓଡ଼ଗାଁ ମହୋତ୍ସବ ଆସନ୍ତାକାଲି ଅର୍ଥାତ୍ ଫ୍ରେବୃଆରୀ ୦୬ ତାରିଖ ଠାରୁ ୦୯ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ବର୍ଷପରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନେ ଉଚ୍ଚ କୋଟିର କଳା ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ନିଜ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସ୍ତରୀୟ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସହମତି ପହମତି ପ୍ରଦାନ କରିଛନ୍ତି । ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଦ୍ବାରା ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟଜଳ ଯୋଗାଣ, ଜାନ ବାହାନ ପାର୍କିଂ ସ୍ଥାନ ନିରୂପଣ, ଟ୍ରାଫିକ ନିୟନ୍ତ୍ରଣ ଏବଂ ସ୍ବଚ୍ଛତା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମହୋତ୍ସବ କମିଟି ସମ୍ପାଦକ ଲୋକନାଥ ସାହୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପ୍ରତିଦିନ ଅପରାହ୍ନ ୫ଟାରୁ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଏବଂ ଘରୋଇ ଅନୁଷ୍ଠାନ କଳାକାର ମାନଙ୍କ ଦ୍ଵାରା କଳା ପରିବେଶଣ ଆରମ୍ଭ କରାଯିବ । ପ୍ରଥମ ସନ୍ଧ୍ୟାରେ ବିଦ୍ୟାଳୟ ସ୍ତରିୟ ଦଳଗତ ନୃତ୍ୟ ସଙ୍ଗୀତ ପରିବେଷଣ ଏବଂ ପରେ ସାଗର ସଙ୍ଗମ ମେଲୋଡ଼ିର ମୁଖ୍ୟ ଆକର୍ଷଣ ତାରିକ୍ ଅଜିଜ ଏବଂ ପମିଙ୍କ କଣ୍ଠରୁ ବିଭିନ୍ନ ସଙ୍ଗୀତର ମଜା ଉଠାଇବେ ଦର୍ଶକ । ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଦ୍ବାରା ଚଳିତବର୍ଷ ମହୋତ୍ସବର ଶୁଭ ଉଦ୍ଘାଟନ ପାଇଁ କମିଟି ଦ୍ବାରା ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।