ହାଡ ଭଗାଂ ଜାଡ଼ରେ ଥରୁଛି ସମଗ୍ର ଅଂଚଳ, ତୁଷାରପାତ ଜାରି
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି l ଏହା ସହ ତୁଷାରପାତ ମଧ୍ୟ ଜାରି ରହିଛି l ପାଣିପାଗ ବିଭାଗ ପାଖରୁ ଚଳିତବର୍ଷର ଶୀତରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ରେକର୍ଡ ହୋଇଛି । ଦିନକୁଦିନ ତାପମାତ୍ରା ଖସି ଆଜି ୪ ଡିଗ୍ରୀରେ ପହଞ୍ଚିଛି । ରବିବାର ଦିନ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରହିଥିବା ବେଳେ ଆଜି ତାହା ୪ ଡିଗ୍ରୀକୁ ଖସି ଆସିଛି । ଚଳିତ ବର୍ଷ ଶୀତ ରୁତୁରେ ସର୍ବନିମ୍ନ ୪.୨ ଡିଗ୍ରୀ ଯାଏ ଯାଇଥିବା ଆଜି ୪ ଡିଗ୍ରୀ ସହିତ ରାଜ୍ଯର ଶୀତଳତମ ସହର ଭାବେ ପରିଗଣିତ ହୋଇଛି ଘୁ.ଉଦୟଗିରି । ଅନ୍ଯ ପଟେ ସର୍ବୋଚ୍ଚ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଦିନ ସର୍ବୋଚ୍ଚ ତାପମାତ୍ରା ୨୫.୨ ଡିଗ୍ରୀ ରହିଥିବା ବେଳେ, ରବିବାର ଦିନ ଏହା ୨୬.୮କୁ ବ୍ରୁଦ୍ଧି ପାଇଥିଲା । ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିବା ଫଳରେ ହାଡଭଙ୍ଗା ଜାଡରେ ଅସ୍ତବ୍ଯସ୍ତ ହୋଇଛି ଜୀବନ ଜୀବିକା । ଘୁ.ଉଦୟଗିରି ଗୁଡୁରିପଡି, ରାଇକଲା, ଡଡାପଡା, ସରୁଚିନାଗିଂଆ, କୁର୍ମିଂଗିଆ, ମୁକୁଲିଙ୍ଗିଆ, ସିପାଏଜୁ ଇତ୍ୟାଦି ଆଦି ଗ୍ରାମାଞ୍ଚଳରେ ପ୍ରବଳ ତୁଷାରପାତ ଓ ଜାଡ଼ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଛି । ଅସହାୟ, ନିରାଶ୍ରୟମାନଙ୍କ ପାଇଁ ଶୀତ ଘାତକ ହୋଇଥିବା ବେଳେ ପ୍ରଭାବିତ ହୋଇଛି ଜୀବିକା । ପ୍ରଭାବିତ ହୋଇଛି ଚାଷକାମ, ପ୍ରଭାବିତ ହୋଇଛି ବ୍ଯବସାୟ । ଏହା ସହ ଦିନ ସାରା ହାଡ଼ ଭଙ୍ଗା ଥଣ୍ଡାର ଲହରୀ ବହିବା ଯୋଗୁଁ ଅଂଚଳ ବାସୀଙ୍କୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି l ସନ୍ଧ୍ୟା ହେଲେ ନିଆଁର ସାହାରା ନେଉଛନ୍ତି ଅଂଚଳ ବାସୀ l ଜାଡ଼ ଲାଗି ରହି ଥିବା ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଛି l