ଭୁବନେଶ୍ୱର: ଓଡିଶାର ଆଇନଜୀବୀ ମାନଙ୍କ ସର୍ବବୃହତ ଓ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଭାବେ ଓଡିଶା ହାଇକୋର୍ଟର ବରିଷ୍ଠ ତଥା ଲବ୍ଧ ପ୍ରତିଷ୍ଠିତ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଆଇନଜୀବୀମାନଙ୍କର ସର୍ବବୃହତ୍ତ ଓ ସର୍ବ ପୁରାତନ ସଂଗଠନ ଭାବେ ଏହା ଜଣାଶୁଣା ।
ମାଲକାନଗିରିରେ ଆୟୋଜିତ ସଂଘର ୫୩ତମ ବାର୍ଷିକ ଅଧିବେଶନରେ ଶ୍ରୀ ତ୍ରିପାଠୀଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ରାଇରଙ୍ଗପୁର ବାରର ଆଇନଜୀବୀ ସଂଜୀବ ମହାନ୍ତି ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଘର କମିଟିକୁ ୭୫ ଜଣ ଆଇନଜୀବୀ ଭିନ୍ନ ଭିନ୍ନ ପଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଗୁରୁ ପ୍ରସାଦ ମହାନ୍ତି ଏହି ଫଳାଫଳ ଘୋଷଣା କରିଛନ୍ତି ।
ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଦୁଇବର୍ଷ ପାଇଁ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଉକ୍ତ ସଂଘର ସାଧାରଣ ସମ୍ପାଦକ ଭାବେ ସେ ଦୁଇଥର ଦାୟିତ୍ୱ ନିର୍ବାହ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ବାର୍ କାଉନସିଲର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଓକିଲମାନଙ୍କ ସୁରକ୍ଷା ଆଇନ ଓ ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା କରାଇବାକୁ ପ୍ରାଥମିକତା ଦେବେ ବୋଲି ନବନିର୍ବାଚିତ ସଭାପତି ଆଡଭୋକେଟ୍ ଶ୍ରୀ ତ୍ରିପାଠୀ କହିଛନ୍ତି । ନିଖିଳ ଓଡ଼ିଶା ଆଇନଜୀବୀ ସଂଘରେ କୌଣସି ବିଭାଜନ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ଆଗାମୀ ବର୍ଷଠାରୁ ସଂଘର ବାର୍ଷିକ ଅଧିବେଶନ ଗୋଟିଏ ସ୍ଥାନରେ କରିବାକୁ ସମସ୍ତ ସଭ୍ୟମାନଙ୍କୁ ସେ ଅନୁରୋଧ କରିଛନ୍ତି ।
ରାଜ୍ୟ
ନିଖିଳ ଓଡିଶା ଆଇନଜୀବୀ ସଂଘର ନିର୍ବାଚନ, ବିଭୁପ୍ରସାଦ ତ୍ରିପାଠୀ ସଭାପତି ନିର୍ବାଚିତ
- Hits: 148