" ୧୭୦ ବର୍ଷର ପୁରୁଣା ଏହି ରେଳ ବିଭାଗ କେବଳ ଗମନାଗମନର ଏକ ମାଧ୍ୟମ ହୋଇ ରହିନାହିଁ ,ବରଂ ଦେଶର କୋଣ ଅନୁକୋଣକୁ ସମ୍ପର୍କର ସୂତାରେ ଯୋଡ଼ି ପାରିଛି"
ନୂଆଦିଲ୍ଲୀ : ଚଳିତ ଶୀତ ଅଧିବେଶନରେ ସଂସଦରେ ରେଳବିଭାଗର ପ୍ରସ୍ତାବିତ ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ଉପରେ ନିଜର ଅଭିଭାଷଣ ରଖିଛନ୍ତି ଭୁବନେଶ୍ୱର ସାଂସଦ ଶୀମତୀ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ୧୭୦ ବର୍ଷର ପୁରୁଣା ଏହି ରେଳ ବିଭାଗ କେବଳ ଗମନାଗମନର ଏକ ମାଧ୍ୟମ ହୋଇ ରହିନାହିଁ । ବରଂ ଦେଶର କୋଣ ଅନୁକୋଣକୁ ସମ୍ପର୍କର ସୂତାରେ ଯୋଡ଼ି ପାରିଛି । ପୂର୍ବରୁ ୧୯୦୫ ଓ ପରବର୍ତ୍ତୀ ସମୟରେ ୧୯୮୯ ମସିହାରେ ଦୁଇ ଦୁଇଥର ରେଲଓ୍ୱେ ବୋର୍ଡ ଆଇନରେ ସଂଶୋଧନ ହୋଇସାରିଛି । କିନ୍ତୁ ଚଳିତଥର ଏହି ବିଲରେ ଯେଉଁ ସଂଶୋଧନ ହେବାକୁ ଯାଉଛି, ତାହା ବିଭାଗର ସମ୍ପୂର୍ଣ୍ଣ ସିଷ୍ଟମକୁ ସରଳୀକରଣ କରିବ ଏଥିରେ ସନ୍ଦେହ ନାହିଁ । ୨୦୨୪-୨୫ ବଜେଟରେ ରେଲଓ୍ୱେ ବୋର୍ଡର ଖର୍ଚ୍ଚ ପାଇଁ ଚାରି ହଜାର ଚାରି କୋଟିର ବଜେଟକୁ ପ୍ରଶଂସା କରିଛନ୍ତି ଅପରାଜିତା । ଖାଲି ସେତିକି ନୁହେଁ, ରେଳ ବିଭାଗର ଉନ୍ନତି ପାଇଁ ବିଜେପି ସରକାର ତଥା ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଶ୍ରେୟ ଦେବାକୁ ଭୁଲି ନାହାନ୍ତି ଭୁବନେଶ୍ୱର ସାଂସଦ । ପ୍ରସ୍ତାବିତ ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ପାରିତ ହେଲେ ରେଳ ବିଭାଗ ପୂର୍ବାପେକ୍ଷା ଅଧିକ କାର୍ଯ୍ୟଦକ୍ଷ ଏବଂ ଅତ୍ୟାଧୁନିକ ହେବା ସହ ଦେଶର ନାଗରିକଙ୍କର ଆବଶ୍ୟକତା ପୂରଣ କରିବାରେ ଅଧିକ ସକ୍ଷମ ହୋଇପାରିବ ବୋଲି ସଂସଦରେ ମତବ୍ୟକ୍ତ କରିଛନ୍ତି ଅପରାଜିତା ।