ଭୁବନେଶ୍ୱର : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ୮ ନଭେମ୍ବର ୨୦୧୪ ରେ W.P.(C) No.୨୪୩୫୭/୨୦୧୯ ର (ବିଜୟ କୁମାର ମଲ୍ଲିକ ବନାମ ଓଡିଶା ରାଜ୍ୟ ସରକାରଙ୍କ ) ମାମଲାରେ ରାୟ ଦେଇ ତିନିମାସ ମଧ୍ୟରେ ଆବେଦନକାରୀଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ମାମଲାଟିର ଆବେଦନକାରୀ ୧୯୮୫ ମସିହାରେ O.P.S.C. ପରୀକ୍ଷାରେ କନିଷ୍ଠ ସହାୟକ ପଦବୀ ପାଇଁ ଉତ୍ତୀର୍ଣ ହୋଇଥିଲେ | ପରବର୍ତ୍ତୀ ସମୟରେ ଗୃହ ବିଭାଗ ପ୍ରସ୍ତୁତ କରିଥିବା Gradation List ରେ ଶ୍ରୀ ବିଜୟ କୁମାର ମଲ୍ଲିକ No. ୨୦୮ (ଅନୁସୂଚିତ ଜାତି) ରେ ସ୍ଥାନିତ ହୋଇଥିବା ସ୍ଥଳେ ତାଙ୍କ ପ୍ରତିପକ୍ଷ ଶ୍ରୀ ବିଶ୍ୱଜିତ ଦାସ No.୨୩୯ ରେ ସ୍ଥାନିତ ହୋଇଥିଲେ | ତେବେ GradationListର ଉପରେ ସ୍ଥାନିତ ଶ୍ରୀ ମଲ୍ଲିକ ୨୭.୯.୯୫ ମସିହାରେ ବରିଷ୍ଠ ସହାୟକ ପଦକୁ Promotion ପାଇଥିବା ସ୍ଥଳେ ନିମ୍ନରେ ସ୍ଥାନିତ ଶ୍ରୀ ଦାସ ୦୪.୯.୧୯୯୩ ରୁ Promotion ପାଇସାରିଥିଲେ | ପରବର୍ତ୍ତୀ ୨୦୦୩ ରେ ଗୃହ ବିଭାଗ ପ୍ରସ୍ତୁତ କରିଥିବା GradationListରେ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରୀ ମଲ୍ଲିକ ଙ୍କୁ ୧୧୭୬ No. ରେ ସ୍ଥାନିତ କରିଥିବା ସ୍ଥଳେ ଶ୍ରୀ ଦାସ ଙ୍କୁ ୯୬୭ No. ରେ ସ୍ଥାନିତ କରିଥିଲେ |ପୁନଶ୍ଚ ୨୦୧୦ ମସିହାରେ କ୍ୟାଡର ମିଶ୍ରଣ ପରେ ଶ୍ରୀ ମଲ୍ଲିକ ଙ୍କୁ 397No. ରେ ସ୍ଥାନିତ କରିଥିବା ସ୍ଥଳେ ଶ୍ରୀ ଦାସ ଙ୍କୁ ୧୯୫ No. ରେ ସ୍ଥାନିତ କରିଥିଲେ |
ତେବେ ଏହାର ଢେର ପୂର୍ବରୁ ବରିଷ୍ଠତାକୁ ନେଇ ଶ୍ରୀ ମଲ୍ଲିକ ଓ ଅନ୍ୟମାନେ ୧୯୯୬ ମସିହାରେ O.A.T.ରେ O.A.No. ୧୮୩୭ (C)/୧୯୯୬ ମାମଲା ଦାଏର କରିଥିଲେ |କୋର୍ଟଙ୍କ ପରମର୍ଶ କ୍ରମେ ଶ୍ରୀ ମଲ୍ଲିକ ବ୍ୟକ୍ତିଗତ ରୂପେ ଆବେଦନ କରିଥିଲେ | ତେବେ ଅନେକ ସମାନ କିସମର ମାମଲା କୋର୍ଟରେ ବିଚାରାଧୀନ ଥିବା ଯୋଗୁଁ ଆବେଦନ ଟିକୁ ଝୁଲାଇ ରଖାଯାଇଥିଲା |ଶ୍ରୀ ମଲ୍ଲିକଙ୍କ ପ୍ରତି ଏତାଦୃଶ ପକ୍ଷପାତିତା ପରବର୍ତ୍ତୀ Gradation List ପ୍ରସ୍ତୁତିରେ ମଧ୍ୟ ଜାରି ରହିଥିଲା |
ପରିଶେଷରେ ନ୍ୟାୟ ପାଇଁ ଶ୍ରୀ ମଲ୍ଲିକ ପୁଣିଥରେ ୨୦୧୫ମସିହାରେ ଆଉ ଏକ ମାମଲା ଦାଏର କରି ତାଙ୍କୁ ସମସ୍ତ ସୁବିଧା ୨୪.୦୨.୧୯୯୩ ମସିହାରୁ ( ଯେଉଁ ଦିନଠାରୁ ତାଙ୍କଠାରୁ କନିଷ୍ଠ ଶ୍ରୀ ଦାସ ଙ୍କୁ Promotionପାଇଥିଲେ) ପ୍ରଦାନ କରିବାକୁ ନିବେଦନ କରିଥିଲେ |
ଏହି ଦୀର୍ଘ କାଳୀନ ମାମଲାଟିକୁ ସଂଜ୍ଞାନକୁ ନେଇ ମାନ୍ୟବର ଉଚ୍ଚ ଅଦାଲତ ରାୟ ଦେଇ ଏହି ମାମଲାଟିକୁ ଏକ ଅନନ୍ୟ ମାମଲା ରୂପେ ବିବେଚନା କରି ପ୍ରକ୍ରିୟାଗତ ବିଳମ୍ବ ଏବଂ ଗୃହ ବିଭାଗର ସ୍ଥାଣୁତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି |
ଯେହେତୁ ମାମଲାଟିର ସମାଧାନ ପାଇଁ ୨୯ ବର୍ଷ ପୂର୍ବକୁ ଫେରିବାକୁ ପଡିବ ଯାହାକି ଏକ ଅତି ଜଟିଳ ପ୍ରକ୍ରିୟା ତଥା ଯାହା ନ୍ୟାୟିକ ଚତୁରତାର ନୀତି ଏବଂ ସେବା ସ୍ଥିରତା ବିପକ୍ଷରେ, ଏଣୁ ଦୀର୍ଘକାଳୀନ ସମାଧାନ ହୋଇପାରିନଥିବା ଅଭିଯୋଗ ଏବଂ ଆବେଦନକାରୀଙ୍କ ବୃତ୍ତି ଅଗ୍ରଗତି ଉପରେ ପଡିଥିବା ପ୍ରଭାବ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି |
ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅପରିଣାମଦର୍ଶିତା ତଥା ଜଣେ ଅନୁସୂଚିତ ଜାତି କର୍ମଚାରୀଙ୍କ ଅଭିଯୋଗ ପ୍ରତି ଉପେକ୍ଷା ମନୋଭାବର ପରିଣତି ହେଉଛି ରାଜ୍ୟ ସରକାରଙ୍କୁ ଦୁଇ ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡୁଛି | ତେବେ ଆଶା କରାଯାଉଛି ଭବିଷ୍ୟତରେ ଗୃହ ବିଭାଗ ସମ୍ବିଧାନ ପ୍ରଦତ୍ତ ଆଇନକୁ ଅନୁପାଳନ କରିବାକୁ ଯାଇ ଜାତି , ବର୍ଣ ଓ ଧର୍ମ ନିର୍ବିଶେଷରେ ନିରପେକ୍ଷ ନୀତି ଅନୁସରଣ କରିବ ଏବଂ ରାଜ୍ୟ ସରକାରଙ୍କୁ ଅଦାଲତରେ ନିନ୍ଦିତ ତଥା ଲଜ୍ଜିତ ହେବାରୁ ନିବୃତ୍ତ ରହିବ ଓ ସଚେତନ ହେବ |