ହେଡଲାଇନସ୍:

ବାତ୍ୟା ‘ଦାନା’ ଉପରେ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) -: ଆଜି ସନ୍ଧ୍ୟା ୬ଘଟିକା ସମୟରେ ବାତ୍ୟା ‘ଦାନା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଦ୍ୱାରା ଏହା ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ୧୦୦ କୁଇଣ୍ଟାଲ ଚୁଡ଼ା, ଆବଶ୍ୟକୀୟ ଗୁଡ ବାତ୍ୟା ପ୍ରବଣ ଅଂଚଳକୁ ପଠାଯାଇଥିବା ସହ ଭଦ୍ରକ ଜିଲ୍ଲାକୁ ୧ ଟ୍ରକ୍ ଚୁଡ଼ା ପଠାଯିବା କଥା ପ୍ରକାଶ କରିଥିଲେ । ଜିଲ୍ଲାରେ ଆଳୁର ଅଭାବକୁ ଦୃଷ୍ଟିରେ ରଖି ୩ଟ୍ରକ୍ ଆଳୁ ଆସି ପହଁଚିଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ସମସ୍ତ ବ୍ଲକରେ ଜରୁରୀ କାଳୀନ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ବ୍ଲକକୁ ଗୋଟିଏ ଗୋଟିଏ ଅଗ୍ନିଶମ ଦଳ ପଠାଯାଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ବାତ୍ୟା ପ୍ରବଣ ଅଂଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଲୋକମାନଙ୍କୁ ଆସନ୍ତା କାଲି ମଧ୍ୟାହ୍ନ ୧୨ଘଟିକା ସୁଦ୍ଧା ଜିଲ୍ଲାରେ ଥିବା ୧୭ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଆସନ୍ନ ପ୍ରସବା ମହିଳାମାନଙ୍କୁ ଆନୁଷ୍ଠାନିକ ପ୍ରସବ ନିମନ୍ତେ ଡାକ୍ତରଖାନାରେ ନେଇ ରଖିବା , ବୃଦ୍ଧବୃଦ୍ଧା,ଛୋଟ ଶିଶୁମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ ।  ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କରେ ରନ୍ଧା ଖାଦ୍ୟ ଦିଆଯିବା ସହ ପାନୀୟ ଜଳ, ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ  ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ  ପରାମର୍ଶ ଦେଇଥିଲେ । ବାତ୍ୟା ପ୍ରବଣ ଅଂଚଳରୁ ପ୍ରାଣୀ ସଂପଦମାନଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀ ନିକଟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ୫ଟି ପଂଚାୟତ ଅତ୍ୟନ୍ତ ବାତ୍ୟା ପ୍ରବଣ ଅଂଚଳ ହୋଇଥିବାରୁ ସେଠାରୁ ଜନସାଧାରଣ ଏବଂ ପ୍ରାଣୀସଂପଦ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ରଣପୁର ବିଡିଓଙ୍କ ସହିତ ଏ ବିଷୟରେ ଫୋନରେ ସିଧା କଥାବାର୍ତ୍ତା ହୋଇ Power Backup ଏବଂ ପାନୀୟ ଜଳର ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାରଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିଲେ ।

0
0
0
s2sdefault