ହେଡଲାଇନସ୍:

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ୧୫୫ ତମ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୦୨.୧୦.୨୦୨୪ ସୁମନ୍ତ କୁମାର ଦାସ: ସତ୍ୟ ଅହିଂସା ର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୫ ତମ ଜନ୍ମ ଜୟନ୍ତୀ , ତଥା ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଓ ସ୍ଵଚ୍ଛତା ଦିବସ ଆଜି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜଗତସିଂହପୁର ପୌର ପରିଷଦ ର ମିଳିତ ଆନୁକୂଲ୍ୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ସଭାପତିତ୍ବ କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ସମସ୍ତଙ୍କୁ ଗାନ୍ଧିଜୀଙ୍କ ସତ୍ୟ ଅହିଂସା, କର୍ତ୍ତବ୍ୟ ପରାୟଣ ଦିଗରେ ଅଗ୍ରସର ହେବା ପାଇଁ ବାର୍ତ୍ତା ଦେଇଥିଲେ। ଗାନ୍ଧୀଜୀ ଙ୍କ ଚିନ୍ତନ ଓ ଆଦର୍ଶ କୁ ଅତି ସରଳ ଭାଷାରେ ଉପସ୍ଥାପିତ କରିଥିଲେ ଜିଲ୍ଲାପାଳ। ଶାସ୍ତ୍ରୀ ଜୀ ଙ୍କୁ ଶାନ୍ତି ର ଦୂତ ଭାବେ ଅଭିହିତ କରିଥିଲେ।ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅନ୍ୟମାନଙ୍କୁ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ଵଭାବ ରେ ସ୍ଵଚ୍ଛତା ଆଣିବା ପାଇଁ ଉପଦେଶ ଦେଇଥିଲେ। ଆତ୍ମ ଚିନ୍ତନ ତଥା ଆତ୍ମ ବିଶ୍ଳେଷଣ କରି କ୍ରୋଧ, ଅହଙ୍କାର ଓ ପରଶ୍ରୀକାତରତା ରୁ ଦୂର ରେ ରହିପାରିଲେ ଗାନ୍ଧୀ ଜୀ ଙ୍କ ସ୍ବପ୍ନ ର ରାମରାଜ୍ୟ ଗଠନ ହୋଇପାରିବ ବୋଲି ସେ କହିଥିଲେ।ଶ୍ରୀ ଦାସ ସମୟାନୁବର୍ତ୍ତିତା, ଶୃଙ୍ଖଳା, ତ୍ୟାଗ, ଏବଂ ଅହିଂସା ପରମ ଧର୍ମ କୁ ଜୀବନର ବ୍ରତ କରିବା ସହ ଶାସ୍ତ୍ରୀ ଙ୍କ ଶାନ୍ତ ସ୍ଵଭାବ ଆଣି କର୍ତ୍ତବ୍ୟ ପଥରେ ଆଗେଇ ଯିବା ପାଇଁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ ଉପସ୍ଥିତ ଜନତାଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ବାଟ ଚାଲିବାକୁ କହିଥିଲେ। ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ ଗାନ୍ଧି ତଥା ଶାସ୍ତ୍ରୀଜୀଙ୍କ ଜୀବନ ସମ୍ବନ୍ଧିତ ବହୁ ତଥ୍ୟ ଉପସ୍ଥାପନ କରି ଉପସ୍ଥିତ ଜନତାଙ୍କୁ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ଉଦବୋଧନ ଦେଇଥିଲେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ପରେ ସ୍ଵଚ୍ଛତା ହିଁ ସେବା ପକ୍ଷ ରୁ ଆୟୋଜିତ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛସାଥୀ ସୁପରଭାଇଜର ମାନଙ୍କୁ ପୁରସ୍କୃତ କରଯାଇଥିଲା।ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲାର ବରିଷ୍ଠ ବୁଦ୍ଧିଜୀବୀ, ଆଇନଜିବୀ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ପ୍ରାତଃ ୪ଘ.୩୦ ମିି ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ସାହାଯ୍ୟରେ ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା।ପରେ ବିଦ୍ୟାଳୟ ଗୁଡିକରେ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା। ଥାନା ପରିସର ତଥା ଗାନ୍ଧୀ ଛକ ରେ ଥିବା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତୀ ରେ ମୁଖ୍ୟ ଅତିଥି,ଜିଲ୍ଲାପାଳ ଏବଂ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ରେ ସ୍ଵଚ୍ଛତା ହିଁ ସେବା ପରିପ୍ରେକ୍ଷୀରେ ଶ୍ରମଦାନ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭାପତି, ପୌର ପରିଷଦର ଅଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ, ପି ଡି, ତଥା ଅନ୍ୟ ଅଧିକାରୀ ମାନେ ପଡ଼ିଆରୁ ଅଳିଆ ଆବର୍ଜନା ସଫା କରିଥିଲେ।

0
0
0
s2sdefault