ହେଡଲାଇନସ୍:

ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ପଞ୍ଚମ ସାଧାରଣ ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର-ତା ୨୫.୦୯.୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ପଞ୍ଚମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଅଧ୍ଯକ୍ଷତା କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ସମାଜ ର ଶେଷ ବର୍ଗ ର ଲୋକର ବିକାଶ ହୋଇପାରିଲେ ହିଁ ଜିଲ୍ଲା ତଥା ରାଜ୍ୟର ବିକାଶ ଦ୍ଵିଗୁଣିତ ହୋଇପାରିବ। ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମନ୍ଵୟ ରେ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ରକ୍ଷା କରି ପ୍ରଗତିମୂଳକ କାର୍ଯ୍ୟ କରି ଜିଲ୍ଲା କୁ ବିକାଶ ଦିଗରେ ଆଗେଇ ନେବାକୁ କହିଥିଲେ। ସ୍ଥାନୀୟ ସମସ୍ୟାକୁ ସଠିକ୍ ଭାବେ ପ୍ରଶାସନ ନିକଟ ରେ ପହଞ୍ଚାଇବା ସହ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ କଳ ର ସମନ୍ଵୟ ରେ ଜିଲ୍ଲା ର ଅଗ୍ରଗତି ହେବ ବୋଲି ସେ କହିଥିଲେ।ବୈଠକ ରେ ଯୋଗଦେଇ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ମଧ୍ୟ ଲୋକପ୍ରତିନିଧି ମାନଙ୍କ ଦ୍ଵାରା ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ସଠିକ୍ ଭାବେ ପହଞ୍ଚାଇ ବିଭାଗ କୁ ତ୍ୱରାନ୍ୱିତ କରିପାରିଲେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ ଗଣତାନ୍ତ୍ରିକ ରାଷ୍ଟ୍ର ରେ ଜନସାଧାରଣ ସର୍ବଦା ସର୍ବାଗ୍ରେ। ଲୋକପ୍ରତିନିଧି ମାନେ ସକାରାତ୍ମକ ଚିନ୍ତାଧାରା ସହ ପ୍ରଶାସନ ସହ ମିଶି କାମକଲେ ନିଶ୍ଚିତ ଭାବେ ସମସ୍ୟା ର ସମାଧାନ ହୋଇପାରିବ। ବୈଠକ ରେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ କହିଲେ ଯେ, ଯୋଜନା ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ସଠିକ୍ ଭାବରେ ହୋଇପାରିଲେ ବିକାଶ ସୁନିଶ୍ଚିତ। ଏହାପରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ଜନପ୍ରତିନିଧି ଓ ପ୍ରଶାସନ ର ମିଳିତ ଉଦ୍ୟମ ରେ ଜିଲ୍ଲା ର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ସଭା ର ସଭାପତି କାର୍ଯ୍ୟସୂଚୀ ଅନୁଯାୟୀ ଗୃହକୁ ଆଗେଇ ନେଇଥିଲେ। ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ଜଗତସିଂହପୁର ର ୮୮ ଜଣ ଶିକ୍ଷକ ନିଯୁକ୍ତି ପାଇଁ ଗୃହର ଅନୁମୋଦନ ନେଇଥିଲେ। ପରେ କୃଷି ବିଭାଗ ର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା। ସାର, ଖତ ଆଦି କ୍ରୟ ବିକ୍ରୟ ରେ ଜନପ୍ରତିନିଧି, ଚାଷୀ ଓ କୃଷିବିଭାଗ ମିଶି କାମ କରିବାକୁ କହିଥିଲେ। ରାଜ୍ୟ ସରକାର ଙ୍କ ବିଭିନ୍ନ କୃଷି ଭିତ୍ତିକ ଯୋଜନା କୁ କୃଷି ମନ୍ତ୍ରୀ ଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା, ଜିଲ୍ଲା ରେ ମୃତ୍ତିକା ସର୍ବେକ୍ଷଣ କରାଯାଇ କେଉଁ ଠାରେ କେଉଁ ଚାଷ କରାଯିବ ତାହାର ତାଲିକା ପ୍ରସ୍ତୁତ ଆଦି ଉପରେ ବୈଠକ ରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ରେ ଖାଲିଥିବା ଡାକ୍ତର ପଦବୀ ପୂରଣ, ଆଇ ସି ୟୁ, ସ୍ପେଶଲିଷ୍ଟ ଡାକ୍ତର, ମେଡିକାଲ୍ କଲେଜ ଖୋଲିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।
ଜଳସେଚନ ବିଭାଗ,ଉଠା ଜଳସେଚନ ବିଭାଗ,ଡ୍ରେନେଜ୍ ବିଭାଗ, ମହାନଦୀ ଦକ୍ଷିଣ ବିଭାଜନ, କଟକ,ଉପ-ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଳା ର ପ୍ରାଣୀ ଚିକିତ୍ସା ବିଭାଗ ,ମତ୍ସ୍ୟ ବିଭାଗ, ସାଧାରଣ ବଣ୍ଟନ ବିଭାଗ ର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସଂପର୍କ ରେ ବୈଠକ ରେ ଆଲୋଚନା ହୋଇଥିଲା।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଆଲୋଚନା ରେ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି, ଇନ୍ଫ୍ରା ଷ୍ଟ୍ରକଚର ଉନ୍ନତି, ଭିତ୍ତଭୂମି ନିର୍ମାଣ, ମଧ୍ୟାହ୍ନ ଭୋଜନ ଯୋଗାଣ ଆଦି ଉପରେ ଆଲୋଚନା ହୋଇଥିଲା ଓ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏହାର ପ୍ରତ୍ୟକ୍ଷ ତତ୍ବାବଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସି ଡି ପି ଓ ମାନେ ପ୍ରତ୍ୟେକ ମାସ ୨୩ ତାରିଖ ଦିନ ଛତୁଆ ପ୍ରସ୍ତୁତ କେନ୍ଦ୍ର କୁ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ଡ଼ାକି ଛତୁଆ ର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ / ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ସମୀକ୍ଷା ରେ ପ୍ରମୁଖ ଯୋଜନା ଯଥା ହର ଘର ଜଲ୍ ରେ ୨୨୨ ଟି ଗ୍ରାମ କୁ ସଂଯୋଗ କରାଯାଇଛି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ପୂର୍ତ୍ତ, ଗୃହ ନିର୍ମାଣ ଓ ଗ୍ରାମ ଉନ୍ନ‌ୟନ ବିଭାଗ,ସମବାୟ ବିଭାଗ,ଶ୍ରମ,ବିଦ୍ୟୁତ୍ ଜଙ୍ଗଲ ବିଭାଗ,ଖଣିଜ ପଦାର୍ଥ ବିଭାଗ ବିଷୟ ରେ ଆଲୋଚନା ହୋଇଥିଲା। ବୈଠକରେ ବ୍ଲକ ୱାରୀ ଛାଡିଯାଇଥିବା ରାସ୍ତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ଯକ୍ଷ ଅଧ୍ଯକ୍ଷାମାନେ ବ୍ୟାପକ ଆଲୋଚନା କରିଥିଲେ । ଏହି ବୈଠକ ରେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତୀ ସୁଜାତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ପଂଚାୟତ ସମିତି ଅଧକ୍ଷ ଅଧ୍ଯକ୍ଷା,ବି.ଡି.ଓ, ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

0
0
0
s2sdefault