ହେଡଲାଇନସ୍:

ଶ୍ରମ ବିଭାଗ ଶ୍ରମିକଙ୍କ ବଇରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏପଟେ ନିର୍ମାଣ ଶ୍ରମିକଙ୍କୁ ସହାୟତା,ସେପଟେ ସୁରକ୍ଷା ପ୍ରତି ଆଖିବୁଜିଛି

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣମଣ୍ଡପଠାରେ ଶ୍ରମବିଭାଗ ପକ୍ଷରୁ ଶ୍ରମ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ଜିଲ୍ଲା ଉପଶ୍ରମ ଆୟୁକ୍ତ ସୁନୀଲ କୁମାର ସାହୁ, ଡିଏଲଓ ଶିବଶଙ୍କର ମିଶ୍ର, ଶ୍ରମ ନିରୀକ୍ଷକ ସଂଜୀବ ଦେଓ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସାଂସଦ ପ୍ରତିନିଧି, ପଞ୍ଚାନନ ଧଳ ଓ ସୁଙ୍ଗୁଡ଼ା ସରପଞ୍ଚ ଶ୍ରୀମତୀ ଚାଚାଲିନି ସ୍ୱାଇଁ ଯୋଗଦେଇ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ଉପରେ ଆଲୋକପାତ କରିଥିଲେ । ଶେଷରେ ୧୨୬ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କର ସହାୟତା ପ୍ରଦାନ କରାଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି ଶିଳ୍ପ ଜିଲ୍ଲା ଯାଜପୁରରେ କ'ଣ ଏତିକି ନିର୍ମାଣ ଶ୍ରମିକ? ଚଣ୍ଡିଖୋଲରୁ ଡୁବୁରି ମଧ୍ୟରେ କେତେକ କ୍ରସର ଓ ପଥର ଖାଦାନ, ମାଙ୍କଡ଼ା ଖାଦାନ, ରାସ୍ତାଘାଟରେ ଶତାଧିକ ଶ୍ରମିକ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ପାଇଁ ଥିବା ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ସଂପୃକ୍ତ ଠିକାଦାରମାନେ ଶ୍ରମିକମାନଙ୍କୁ ଖଟାଉଛନ୍ତି । କେଉଁ ଶିଳ୍ପସଂସ୍ଥାରେ କେତେ ଶ୍ରମିକ କାମ କରୁଛନ୍ତି ତା'ର ହିସାବ ଶ୍ରମବିଭାଗ କ'ଣ ପାଇଁ ପ୍ରକାଶ କରୁନାହିଁ ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରମିକମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶିକ୍ଷଣ ଓ ସୁରକ୍ଷା ପାଇଁ ଶ୍ରମବିଭାଗ ଆଖି ବୁଜି ଦେଇଥିବା ପରି ମନେ ହେଉଛି । ଯାଜପୁର ଜିଲ୍ଲାରେ ଗଢ଼ିଉଠିଥିବା ଶିଳ୍ପସଂସ୍ଥାରେ ଶତକଡ଼ା ୬୦ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଦୀର୍ଘବର୍ଷ ଧରି ଗଢ଼ି ଉଠିଥିବା କଳକାରଖାନାରେ କେତେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ଏହାର ହିସାବ ସଂପୃକ୍ତ ବିଭାଗ ପାଖରେ ନାହିଁ । ଏହି ଜିଲ୍ଲା ଖଣି ଖାଦାନ ଓ କୋଠାବାଡ଼ିରୁ ଯେତିକି ଟିକସ ଆଦାୟ ହେଉଛି ତାହାର କେତେ ଭାଗ ଜିଲ୍ଲା ଶ୍ରମିକଙ୍କ ପାଇଁ ଖର୍ଚ୍ଚ ହେଉଛି ତାହା ସଂପୃକ୍ତ ବିଭାଗ ଓ ସରକାରଙ୍କୁ ଜଣା । ନାମକୁମାତ୍ର କେତେକ ଶ୍ରମିକଙ୍କୁ ସହାୟତା ପ୍ରଦାନ କଲେ ଯେ, ବେକାରୀ ସମସ୍ୟା ଦୂର ହୋଇଯିବ ତା'ନୁହେଁ; ପ୍ରତ୍ୟେକ ଶମିକଙ୍କୁ ଦଳ, ବର୍ଣ୍ଣ ନିର୍ବିଶେଷରେ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ମିଳିବାର ବନ୍ଦୋବସ୍ଥ କରାଯିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ନଚେତ୍ ଆଗାମୀ ଦିନରେ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶୁଣିବାକୁ ମିଳୁଛି ।

0
0
0
s2sdefault