ହେଡଲାଇନସ୍:

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ,ଜନ୍ମନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ସ୍ୱର୍ଣ୍ଣ କଳଶକ୍ଷେତ୍ର ଓଡ଼ଗାଁ ବିଜେ ଶ୍ରୀରଘୁନାଥଜିଉଙ୍କ ପୀଠରେ ମଙ୍ଗଳବାର ପବିତ୍ର ଚୈତ୍ର ଶୁକ୍ଲ ନବମୀ ତିଥିରେ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ ହୋଇଛି । ରୈାଦ୍ରତାପକୁ ଭୃକ୍ଷେପ ନକରି ପ୍ରଭୁଙ୍କ ଜନ୍ମବିଧାନ କାର୍ଯ୍ୟକ୍ରମ ଦର୍ଶନ ନିମିତ୍ତ ରଘୁନାଥ ଜିଉଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭୋର ସାଢେ ୪ଟାରେ ଦ୍ୱାରଫିଟା ଯାଇ ସକାଳର ସମସ୍ତ ନିତୀ ସମ୍ପର୍ଣ୍ଣ ହେବା ସହିତ ସକାଳ ୮ଟାରେ ଖେଚୁଡିଧୂପ, କର୍ପୁର ଆଳତୀ, ମହା ଆଳତୀ, ଚାମର ସେବା ପରେ ଗମ୍ଭିରା ଓ ଭୋଗ ମଣ୍ଡପରେ ପ୍ରଭୁଙ୍କ ଜନ୍ମ ବିଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିର ପୁରୋହିତ ତଥା ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀଙ୍କ ସହିତ ସତ୍ୟ ନାରାୟଣ ଷଡ଼ଙ୍ଗୀ, ରସ୍ମୀରଞ୍ଜନ ଷଡ଼ଙ୍ଗୀଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣରେ ଶ୍ରୀ ଜୀଉଙ୍କ ଜନ୍ମବିଧାନ ନୀତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀଜୀଉଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇ ରତ୍ନବେଦୀରୁ ଜନ୍ମ ମଣ୍ଡପକୁ ବିଜେ କରିଥିଲେ । ପ୍ରଭୁଙ୍କ ବିଜେ ପ୍ରତିମାକୁ ଏକରୂପା ହାଣ୍ଡି ମଧ୍ୟରେ ରଖି ଅଟା, ପଂଚାମୃତ, ଗୁଡ, ମହୁ ଓ ଘିଅର ସମିଶ୍ରଣରେ ନିର୍ମିତ ନାଭି ଖଞ୍ଜାଯାଇ ପାଟବସ୍ତ୍ରରେ ଆଛାଦିତ କରି ରଖାଯାଇଥିଲା । ପୁରହିତଙ୍କ ଜନ୍ମ ବିଧିବିଧାନ ମନ୍ତ୍ର ଉଚ୍ଚାରଣ ଓ ଘଂଟା ଘଂଟି ହରିବୋଲ ହୁଳହୁଳିର ଆଧ୍ୟାତ୍ମିକ ପରବେଶ ମଧ୍ୟରେ ପ୍ରଭୁ ଶ୍ରୀରାମ ଜନ୍ମ ଲାଭ କରିଥିଲେ । ଶ୍ରଦ୍ଧାଳୁମାନଙ୍କ ଭାବବିହ୍ୱଳ ଓ ହରିବୋଲ ହୁଳହୁଳୀ ଶବ୍ଦରେ ମନ୍ଦିର ପରିବେଶ ହୋଇ ଉଠିଥିଲା ଉତ୍ସବ ମୁଖର । ବିଧାନ ଅନୁସାରେ ରୂପା ଛୁରୀରେ ନାଭି ଚେଦନ କରାଯାଇ ବିଜେ ପ୍ରତିମାଙ୍କୁ ସୂର୍ଯ୍ୟଦର୍ଶନ, ମହାସ୍ନାନ, ସଠୀ ଦେବୀ ପୂଜା ଓ ଦୋଳିରେ ବସାଇ ବନ୍ଦାପନା ସାରିବା ପରେ ରତ୍ନବେଦୀକୁ ବିଜେ ହୋଇଥିଲେ । ପରେ ଅନ୍ନଧୂପ ଓ ଆଳତୀ ସାରି ପହୁଡ ପଡିଥିଲା । ନିସନ୍ତାନ ମାନେ ନାଭି ପ୍ରସାଦ ସେବନ କଲେ ସନ୍ତାନ ଲାଭର ବିଶ୍ୱାସ ରହିଥିବାରୁ ନାଭି ପ୍ରସାଦ ପାଇବା ପାଇଁ ମହିଳା ମାନଙ୍କ ଭିଡ ଲାଗିଥିଲା । ସନ୍ଧ୍ୟା ସାଢେ ୬ଟାରେ ଟେରାଧୂପ ଓ ସନ୍ଧ୍ୟା ଆଳତି ହୋଇଥିଲା । ପ୍ରଭୁ ଶ୍ରୀରଘୁନାଥ, ମାତା ସୀତା ଓ ଅନୁଜ ଲକ୍ଷ୍ମଣ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିବା ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଚତୁର୍ଭୁଜ ଜନ୍ମ ନାରାୟଣ ବେଶରେ ଦର୍ଶନ ଦେଇଥିଲେ ।ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣଦେବ ସମାଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ପାଳିଆ ପଣ୍ଡା ପ୍ରଫୁଲ୍ଲ ମହାପାତ୍ର, ପୁଜକ ଓ ସୁଆର ପରିସଦ ସଦସ୍ୟଙ୍କ ସହିତ
ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହଯୋଗରେ କାର୍ଯ୍ୟ ସଂପାଦିତ ହୋଇଥିଲା । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଓଡଗାଁ ପୋଲିସ ପ୍ରଶାସନ ଦ୍ବାରା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ଜଣେ ସାମ୍ବାଦିକଙ୍କ ସ୍ତ୍ରୀ ଏବଂ ତାଙ୍କ ବଡଯାଙ୍କ ବେକରୁ କେହି ଦୁବୃର୍ତ୍ତ ୨ ସୁନା ଚେନ ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ସନ୍ଧ୍ୟାରେ ଅନ୍ୟ କିଛି ବ୍ୟକ୍ତିଙ୍କର ଅଳଙ୍କାର ଚୋରି ଯାଇଥିବା ଶୁଣାଯାଉଛି । ସୂର୍ଯ୍ୟଙ୍କ ପ୍ରଚଣ୍ତ ଉତ୍ତାପରୁ ଉପାସକ ଓ ଶ୍ରଦ୍ଧାଳୁ ମାନଙ୍କୁ ସାମୟିକ ଆଶ୍ବସ୍ତି ପ୍ରଦାନ ପାଇଁ ଜଳ ସିଞ୍ଚନ, ଦହିପଣା ସହିତ ଖିରି ଓ ଅନ୍ନଭୋଗ ବଣ୍ଟନ କରାଯାଇଥିଲା ‌। ବିଭିନ୍ନ ଅନୁଷ୍ଠାନର ସ୍ବେଛାସେବୀ , ଏନସିସି , ସ୍କାଉଟ, ଗାଇଡ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ । ଅପରାହ୍ନରେ ଦେବୋତ୍ତର କମିଶନର ଲଲେଟେଣ୍ଡୁ ଜେନା ଆସି ମନ୍ଦିର ଦର୍ଶନ କରିଥିବା ବେଳେ ସନ୍ଧ୍ୟାରେ ନୟାଗଡ଼ ଏସପି ରାହୁଲ ଜୈନ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା ପ୍ରମୁଖ ପହଁଞ୍ଚି ମନ୍ଦିର ଦର୍ଶନ କରିଥିଲେ । ସେହିପରି ଅପରାହ୍ନରେ ବିଧାୟକ ଡ. ଅରୁଣ କୁମାର ସାହୁ ଶ୍ରୀ ଜିଉଙ୍କ ଦର୍ଶନ କରିଥିବା ବେଳେ ମଧ୍ୟାହ୍ନ ସମୟରେ ପୁରୀ ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଏକ ବାଇକ୍ ରାଲିରେ ଆସି ରଘୁନାଥଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଏବଂ ସନ୍ଧ୍ୟାରେ ବଜରଙ୍ଗ ଦଳ ସଦସ୍ୟ ବିକାଶ କୁମାର ନାୟକଙ୍କ ସହ ଅନ୍ୟ ମାନେ ଏକ ବଡ ପଟୁଆରରେ ବାହାରି ମନ୍ଦିର ଠାରେ ପହଞ୍ଚି ପ୍ରଭୁଙ୍କ ନବଯୌବନ ସନ୍ଧ୍ୟା ବେଶ ଦର୍ଶନ କରିଥିଲେ । ୧୮ ତାରିଖ ଗୁରୁବାର ସାଧାରଣ ବେଶ ରହିଥିବା ବେଳେ ଶୁକ୍ରବାର ଦିନ ଶ୍ରୀଜିଉଙ୍କ ଡାଡକା ବଧ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

0
0
0
s2sdefault