ହେଡଲାଇନସ୍:

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅବସ୍ଥାପିତ ନିଜ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦୂରସ୍ଥାନରେ ମତାଧିକାର ସାବ୍ୟସ୍ତ କରିବାକୁ ପଡୁଥିବା ସରକାରୀ କର୍ମଚାରୀଙ୍କୁ ୨ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ।

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି । ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀ ମାନେ ନିର୍ବାହ କରୁଥିବା କାର୍ଯ୍ୟ କଷ୍ଟକର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ, ୨୦୨୪ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ । ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର ଛୁଟି(ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟିଦିଆଯିବା ପାଇଁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପତ୍ର ମାଧ୍ୟମରେ ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି ।ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି ପ୍ରଦାନ କରାଯିବ। ତଦନୁସାରେ ସମସ୍ତ ଅଧସ୍ତନ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ଅବଗତ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହି ମର୍ମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ରାଜ୍ୟର ସମସ୍ତ ରାଜସ୍ୱ ଆୟୁକ୍ତ (ଆରଡିସି) ଏବଂ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ କରାଯାଇଛି ।
ସେହିପରି ଯେଉଁ ସରକାରୀ କର୍ମଚାରୀମାନଙ୍କୁ ସେମାନେ ଅବସ୍ଥାପିତ ମୁଖ୍ୟାଳୟଠାରୁ ଦୂରସ୍ଥାନରେ ଥିବା ନିଜ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବାର ଅଛି, ସେମାନଙ୍କୁ ପୂର୍ବ ନିର୍ବାଚନ ସମୟରେ ସର୍ବାଧିକ ଦୁଇଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟିକୁ ଅନୁମତିପ୍ରଦାନ କରାଯାଇଛି । ଓଡ଼ିଶାରେ ଆାଗାମୀ ୧୩.୦୫.୨୦୨୪ (ସୋମବାର), ୨୦.୦୫.୨୦୨୪ (ସୋମବାର), ୨୫.୦୫.୨୦୨୪ (ଶନିବାର) ଏବଂ୦୧.୦୬.୨୦୨୪ (ଶନିବାର) ରେ ପର୍ଯ୍ୟାୟ କ୍ରମେ ମତଦାନ ଅନୁଷ୍ଠିତ ହେଉଥିବାରୁ ଚଳିତ ସାଧାରଣ ନିର୍ବାଚନ-୨୦୨୪ରେ ମଧ୍ୟ ସମାନ ସୁବିଧା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି। ମତଦାନ ଦିନ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି । କିନ୍ତୁ ସରକାରୀ କର୍ମଚାରୀ, ଯେଉଁମାନେ ସେମାନଙ୍କ ମତଦାନ କେନ୍ଦ୍ରଠାରୁ ଦୂରରେ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି, ସେମାନଙ୍କୁ ଭୋଟ୍ ଦେବା ପାଇଁସେଠାକୁ ଯିବାକୁ ପଡୁଥିବାରୁ ଉପରୋକ୍ତ ଦିବସ ଗୁଡିକରେ କର୍ମଚାରୀମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇ ଦିନ (ମତଦାନର ପୂର୍ବ ଦିନ ଏବଂ ମତଦାନ ପରବର୍ତ୍ତୀ ଦିନ) ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ଅନୁମତି ପ୍ରଦାନ କରାଯିବାକୁ ଏ ସଂକ୍ରାନ୍ତରେ ମଧ୍ୟ ମୁଖ୍ୟ ଶାସନ ସଚିବ ପତ୍ର ପ୍ରେରଣ କରିଛନ୍ତି । ଯେଉଁ କର୍ମଚାରୀମାନେ କାର୍ଯ୍ୟରତ ମୁଖ୍ୟାଳୟଠାରୁ ଦୂରରେ ଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ସେଦିନ ସେମାନଙ୍କର କାର୍ଯ୍ୟାଳୟ ଥିବା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉନଥିବାରୁ ଛୁଟି ପାଉନାହାଁନ୍ତି, ସେମାନଙ୍କୁ ମତଦାନ ପରବର୍ତ୍ତୀ ଦିନ ଆଉ ଗୋଟିଏ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ପ୍ରଦାନ କରାଯିବ। ମଞ୍ଜୁରହେବାକୁ ଥିବା ଛୁଟି ଗୁଡିକୁ ସ୍ୱତନ୍ତ୍ର ସାମୟିକ ଛୁଟି ଭାବରେ ବିବେଚନା କରାଯିବ, ଯାହା କ୍ୟାଲେଣ୍ଡର ବର୍ଷରେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣତଃ ଗ୍ରହଣୀୟ ୧୫ ଦିନର କାଜୁଆଲ ଛୁଟି ଏବଂ ସ୍ପେଶାଲ କାଜୁଆଲ ଛୁଟିର ସମୁଦାୟ ଅବଧିକୁ ହିସାବରେ ବିଚାରକୁ ନିଆଯିବନାହିଁ।ଏ ସଂପର୍କରେ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ଆଧାରରେ କର୍ମଚାରୀଙ୍କ ଲିଖିତ ଆବେଦନକୁ ବିଚାରକୁ ନେବା ପାଇଁ ଯଥେଷ୍ଟ ହେବ।ସରକାରୀ କାର୍ଯ୍ୟରେ କ୍ଷତି ନପହଞ୍ଚାଇ କର୍ମଚାରୀମାନଙ୍କୁ କିପରି ଛୁଟି ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଛୁଟି ମଞ୍ଜୁରକାରୀ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ସାଧାରଣତଃ କର୍ମଚାରୀମାନେ ସେମାନଙ୍କ ମତାଧିକାର ପ୍ରୟୋଗରେ ଯେପରି ଅସୁବିଧାର ସମ୍ମୁଖୀନନ ହେବେ , ସେ ସଂପର୍କରେ ଦୃଷ୍ଟି ଦେବାକୁ ସବୁ ବିଭାଗୀୟ ମୁଖ୍ୟ, ସମସ୍ତ ସରକାରୀ ଉଦ୍ୟୋଗ,ନିଗମ ଓ ବୋର୍ଡର କର୍ତ୍ତୃପକ୍ଷମାନଙ୍କୁ ଉପରୋକ୍ତ ମର୍ମରେ ପତ୍ର ପ୍ରେରଣ କରାଯିବା ସହ ସେହି ଅନୁଯାୟୀ ସବ୍-ଅର୍ଡିନେଟ୍ଅଫିସ ଗୁଡ଼ିକୁ ମଧ୍ୟ ଅବଗତ କରାଯିବା ସଂପର୍କରେ ପତ୍ରରେ ଉଲ୍ଲେଖ ରହିଛି ।

0
0
0
s2sdefault