ଅଧିକ ୫ ହଜାର କିମି ଜାତୀୟ ରାଜପଥ ନିର୍ମାଣର ଯୋଜନା
ଦେଶରେ ୧୨ ହଜାର କୋଟି ଟଙ୍କାରେ ପ୍ରତିଷ୍ଠା ହେବ ୧୨ ଜୈବ ଇନ୍ଧନ ରିଫାଇନେରି
-ରାଜ୍ୟର ୧୯ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ନେଟୱାର୍କ
ଭୁବନେଶ୍ୱର(ମାନସୀ ମିଶ୍ର) - ଓଡ଼ିଶାରେ ବନ୍ଦରଭିତିକ ଶିଳ୍ପର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରର ବିକାଶ ଉପରେ ଅଧିକ ମହତ୍ୱ ଦିଆଯାଉଛି । ଦୁବାଇ, ସିଙ୍ଗାପୁରଠାରୁ ଆହୁରି ଅଧିକ ଉନ୍ନତ ବନ୍ଦର ନଗରୀ ନିର୍ମାଣ ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଯୋଜନା କରୁଛନ୍ତି । ଏଣୁ ଓଡ଼ିଶାକୁ ପୂର୍ବ ଭାରତର ବିକାଶ ଦ୍ୱାର ରୂପେ ବିବେଚନା କରାଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ “ଇସ୍ପାତ ମୂଳଧନୀ ସାମଗ୍ରୀ-ଭାରତରେ ବିନିର୍ମାଣ” ଶୀର୍ଷକ ସମ୍ମେଳନରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରାଚୀନ ଓଡ଼ିଶା ମୂଳଧନୀ ସାମଗ୍ରୀ ନିର୍ମାଣର ଏକ ଜ୍ୱଳନ୍ତ ଉଦାହରଣ । ଏହି ମୂଳଧନୀ ସାମଗ୍ରୀ ବ୍ୟବହାର କରି ଇସ୍ପାତ ନିର୍ମାଣ ହେଉଥିଲା ଏବଂ ତାହା ବିଶ୍ୱ ପ୍ରସିଦ୍ଧ ମନ୍ଦିରମାନଙ୍କରେ ଉପଯୋଗ କରାଯାଉଥିଲା । ଏବେ ଓଡ଼ିଶା ଖଣିଜ ସମ୍ପଦର ଭରପୂର ହୋଇ ରହିଛି । ଅଧିକ ଲୁହା ପଥର, ମାଙ୍ଗାନିଜ୍, ବକ୍ସାଇଟ, ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦେଶରେ ଅଗ୍ରଣୀ ଭୂମିକା ନେଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମୂଳଧନୀ ସାମଗ୍ରୀ ବିନିର୍ମାଣ ଲାଗି ବ୍ୟାପକ ସୁଯୋଗ ରହିଛି । ବିଶେଷ କରି ଇସ୍ପାତ ଓ ଖଣିଜ କ୍ଷେତ୍ରରେ ଅପାର ସମ୍ଭାବନାକୁ ଘରୋଇ ଓ ବିଦେଶୀ ଟେକ୍ନୋଲଜି ସଂସ୍ଥାମାନେ ସୁଯୋଗରେ ପରିଣତ କରିବାକୁ ପଡିବ |
ଏବେ ଓଡ଼ିଶାରେ ୫୦୦୦ କିଲୋମିଟର ଜାତୀୟ ରାଜପଥ ରହିଥିବା ବେଳେ ଆଉ ୫୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯିବ । ପାରାଦୀପରୁ କଳିଙ୍ଗନଗରକୁ ୧୦୦ କିଲୋମିଟର ଦୀର୍ଘର ଉତ୍ସର୍ଗୀକୃତ ୮-ଲେନ ରାସ୍ତା ନିର୍ମାଣ ଲାଗି ବ୍ୟାପକ ଯୋଜନା ହୋଇଛି । ପାରାଦୀପରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସର ପରିସର ବୃଦ୍ଧି କରାଯାଉଛି । ଘରୋଇ ଓ ବିଦେଶୀ କମ୍ପାନୀମାନେ ଏହି କମ୍ପେ୍ଲକ୍ସରେ ଆନୁସଙ୍ଗୀକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରିବା ଲାଗି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଥିଲେ । ରସାୟନିକ ସାର, ପରିବହନ ଓ ଜାଳେଣି - ଇନ୍ଧନ ଲାଗି ପ୍ରାକୃତିକ ବାଷ୍ପକୁ ବ୍ୟାପକ ଭାବେ ଉପଯୋଗ କରାଯିବ । ତା ଛଡା ଗ୍ୟାସ ବ୍ୟବହାର କରି ଉନ୍ନତ କଂଚାମାଲ ନିର୍ମାଣ କରାଯାଇପାରିବ । ଧାମରାରୁ ଉତରପ୍ରଦେଶ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ନିର୍ମାଣ ଲାଗି ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଓଡିଶାର ୧୩ଟି ଶିଳ୍ପ ସମୃଦ୍ଧ ଜିଲ୍ଲାକୁ ଗ୍ୟାସ ଯୋଗାଣ ପାଇଁ ୭୦୦ କିଲୋମିଟର ଦୀର୍ଘର ପାଇପ ଲାଇନ ବିଛାଯାଉଛି । ସେହିପରି ରାଜ୍ୟର ୧୯ଟି ଜିଲ୍ଲାରେ ନଗର ଗ୍ୟାସ ବିତରଣ ବ୍ୟବସ୍ଥା ଆରମ୍ଭ କରାଯାଉଛି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ୧୨ ହଜାର କୋଟି ଟଙ୍କା ବିନିଯୋଗରେ ଦେଶରେ ୧୨ଟି ଜୈବ ଇନ୍ଧନ ବିଶୋଧନାଗାର ନିର୍ମାଣ କରାଯାଉଛି । ସେଥି ମଧ୍ୟରୁ ଓଡ଼ିଶାରେ ଗୋଟିଏ ଜୈବ ଇନ୍ଧନ ବିଶୋଧନାଗାର ରହିଛି । ଶ୍ରୀ ପ୍ରଧାନ କହିଲେ ଯେ, ଓଡ଼ିଶାରେ ଗତ ୪ ବର୍ଷ ମଧ୍ୟରେ ଏନଡିଏ ସରକାର ୨୦ ହଜାର କୋଟି ଟଙ୍କା ରେଳ ସେକ୍ଟରରେ ଖର୍ଚ୍ଚ କରିଛନ୍ତି । ଏଥିଲାଗି ଅନେକ ଇସ୍ପାତ ସରଞ୍ଜାମର ଉପଯୋଗ କରାଯାଇଛି । ସେ କହିଥିଲେ ଯେ, ରାଜ୍ୟରେ ଲୁହା ପଥର ଉତ୍ପାଦନ କ୍ଷମତା ୫୦ ନିୟୁତ ମେଟି୍ରକ ଟନରୁ ୧୦୦ ନିୟୁତ ମେଟି୍ରକ ଟନକୁ ବୃଦ୍ଧି କରାଯିବ । ମାଇନିଂ କ୍ଷମତା ମଧ୍ୟ ୫୦୦ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି ପାଇବ । ସୁପର କି୍ରଟିକାଲ ଟେକ୍ନୋଲଜି ବ୍ୟବହାର କରି ତାପଜ ଶକ୍ତି ଉତ୍ପାଦନ ହେବ । ଓଡ଼ିଶାରେ କଂଚାମାଲର ଅଭାବ ରହିବ ନାହିଁ । ଏଣୁ ଘରୋଇ ଓ ବୈଦେଶିକ ପୁଞ୍ଜି ବିନିଯୋଗକାରୀମାନେ ପର୍ଯ୍ୟାପ୍ତ ନିବେଶ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।