୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜଗଦଳପୁର ପୋଲିସ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ତ ଜଗଦଲପୁର ଥାନା ଅଧିନସ୍ଥ ଦେବଦର୍ହା ଠାରେ ଗତ ୨୩ ତାରିଖରେ ଛତିଶଗଡ ଗୁହିରାପାଲି ଓ ଗସ୍ତିଡିହି(ଚଙ୍ଗରିଆ)ର କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୁହିରାପାଲିର ଧର୍ମେନ୍ଦ୍ର ସାହୁ ଓ ସୂର୍ଯ୍ୟକାନ୍ତ ସାହୁଙ୍କୁ ଗସ୍ତିଡିହିର ଯୁବକମାନେ ପ୍ରବଳ ମାଡ ମାରିଥିଲେ l ଫଳରେ ଉଭୟ ଆହତଙ୍କୁ ଆମ୍ବୁଲେନ୍ସରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା।୨୪ ତାରିଖରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସୂଚନା ପାଇ ବରଗଡ ଆରକ୍ଷୀ ଅଧିକ୍ଷକ ପି.ଏସ ମୀନା ଏକ ଟିମ ଗଠନ କରି ଉପଖଣ୍ତ ପୋଲିସ ଅଧିକାରୀ ବିଭୁତି ଭୁଷଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଗଦଲପୁର ଥାନା ଅଧିକାରୀ ବିପିନ ବାଗ ଓ ଟିମ୍ ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତଦନ୍ତ ପରେ ଗସ୍ତିଡିହି ଗ୍ରାମର ୮ ଜଣ ଅଭିଯୁକ୍ତ ମୀନକେତନ ନାୟକ, ସୁବାଷ ମହାକୁର, ଲକ୍ଷପତି ଧରୁଆ, ଅଭିମନ୍ୟୁ ବାଲମ, ଲଲିତ ପ୍ରଧାନ, ସୁକେଶ ପ୍ରଧାନ, ପଙ୍କଜ ଧରୁଆ, ପୃଥିପତି ଧରୁଆଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଲିଛି ।







