(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମଙ୍ଗଳବାର ପୂର୍ବାହ୍ନରେ 49କୋଟି ରୁ ଉର୍ଧ୍ଵ ଟଙ୍କା ଅନୁଦାନରେ ଚିତ୍ରୋତ୍ପଳା ଦକ୍ଷିଣପାର୍ଶ୍ଵ ନଦୀବନ୍ଧ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢୀକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି । ଏହି ରାସ୍ତାଟି ଜନାର୍ଦ୍ଦନପୁର ପଞ୍ଚାୟତ ବଳରାମପୁର ଠାରୁ ମହମ୍ମଦପୁର ପଞ୍ଚାୟତ ବିଶ୍ଵନାଥପୁର ପର୍ଯ୍ୟନ୍ତ 26 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଚଉଡ଼ା ୩୦ଫୁଟ କରାଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଅନୁପ ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲାପରିଷଦ ସଭ୍ୟ ଇଂ. ବିଳାସ ଭୋଇଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ବେହେରା ଯୋଗ ଦେଇ ମହାନଦୀ ଚିତ୍ରୋତ୍ପଳା ଦୋଆବ ଅଞ୍ଚଳର ବିକାଶ ପାଇଁ ତାଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରା ବହୁ ବିକାଶମୂଳକ କାର୍ଯ୍ୟ କରି ଯାଇଥିଲାବେଳେ ବାକି ରହିଥିବା ପରିକଳ୍ପନାର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଥିଲେ l ଦୁଇବର୍ଷ ମଧ୍ୟରେ ଏହି ଦ୍ଵିପାଞ୍ଚଳରେ ୫୦୦ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି ରାସ୍ତାଟି ଦୁଇବର୍ଷ ମଧ୍ୟରେ ନିର୍ମାଣ ଶେଷ ହେଲେ ୧୪ଟି ପଞ୍ଚାୟତର ଜନ ସାଧାରଣମାନେ ଏକ ଉନ୍ନତମାନର ରାସ୍ତା ପାଇପାରିବା ସହିତ ନଦୀରେ ବନ୍ୟା ଆସିଲେ ଆଉ ଘାଇ ଭାଙ୍ଗିବାର ଭୟ ଏବଂ ଆଶଙ୍କା ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ଏହାଛଡ଼ା ମହାନଦୀରେ ସିଲୋ - ସାହୁକ୍ଷେତ ସେତୁ, ଚିତ୍ରୋତ୍ପଳା ନଦୀରେ ପାଳଦା-ନେମାଳ ସେତୁ ଓ ଜନାର୍ଦ୍ଦନପୁର ଠାରେ ଶନିଘାଟ - କୁଳିଆ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଗମନାଗମନ, କୃଷି କ୍ଷେତ୍ରରେ ବ୍ୟାପକ ବିକାଶ ହେବା ସହିତ ଲୋକମାନଙ୍କର ଆର୍ଥିକ ମାନଦଣ୍ଡ ବୁଦ୍ଧି ପାଇବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଦାସ, କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲି, ଜିଲ୍ଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତି, ବ୍ଳକ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ, ସରପଞ୍ଚ ସ୍ୱାଧୀନ ଭୂୟାଁ, ସୁଶାନ୍ତ ସେଠୀ,ସନ୍ନ୍ୟାସୀ ସ୍ୱାଇଁ,ବିଶ୍ୱଭୂଷଣ ନାୟକ,ଚିନ୍ମୟୀ ବେହେରା,ପୂର୍ବତନ ସରପଞ୍ଚ ସରୋଜ ବେହେରା,ଦିଲ୍ଲୀପ ବିଶ୍ଵାଳ,ସୁନାକର ସାହୁ,ଗୋବିନ୍ଦ ଦାସ,ହିମାଂଶୁ ଦାସ,ବଳଦେବାନନ୍ଦ ଦାସ ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଶେଷରେ ବ୍ଳକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଅପରପକ୍ଷରେ କଟକ ସଦର ଅଞ୍ଚଳର ଵିକାଶ ପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l
ରାଜ୍ୟ
କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ୱାରା ରାସ୍ତା ସମ୍ପ୍ରସାରଣ ଓ ସୁଦୃଢୀକରଣ କାର୍ଯ୍ୟର ଶିଳାନ୍ୟାସ l
- Hits: 277








