ହେଡଲାଇନସ୍:

'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସିଙ୍ଗଲ ୱିଣ୍ଡୋ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଗୋଟିଏ ସ୍ଥାନରେ ସରକାରଙ୍କ ସମସ୍ତ ସୁବିଧାର ଲାଭ ପାଇ ପାରୁଛନ୍ତି ଦିବ୍ୟାଙ୍ଗ ହିତାଧିକାରୀ

  • ୨୬୧ ଜଣଙ୍କୁ ମିଳିବ ଦିବ୍ୟାଙ୍ଗ ପ୍ରମାଣ ପତ୍ର


ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଆହୁତି ଭବନ ଠାରେ 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦିବ୍ୟାଙ୍ଗମାନଙ୍କ ଶାରୀରିକ ଅକ୍ଷମତାକୁ ଚିହ୍ନଟ କରି ସେମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର କରିବା ତଥା ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଦିବ୍ୟାଙ୍ଗ କଲ୍ୟାଣମୂଳକ ଯୋଜନାର ଲାଭାର୍ଥି କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା।

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଥିଲେ ଯେ, "ରାଜ୍ଯ ସରକାର ଦିବ୍ୟାଙ୍ଗ ଜନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ହିତକର ଯୋଜନାମାନ କାର୍ଯ୍ୟକାରୀ କରାଉଛନ୍ତି। 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଏକ ସିଙ୍ଗିଲ୍ ୱିଣ୍ଡୋ କାର୍ଯ୍ୟକ୍ରମ, ଯେଉଁଥିରେ ଦିବ୍ୟାଙ୍ଗମାନେ ଗୋଟିଏ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କ ପାଇଁ ଉପଲବ୍ଧ ସମସ୍ତ ଯୋଜନାର ଲାଭାନ୍ୱିତ ହୋଇପାରିବେ। କେହି ଦିବ୍ୟାଙ୍ଗ ଯେପରି ସରକାରଙ୍କ କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ନ ରୁହନ୍ତୁ ସେଥିପାଇଁ ଏହି ଅଭିଯାନରେ ଆଜି ଶିକ୍ଷା ଠୁ ଆରମ୍ଭ କରି ସ୍ୱାସ୍ଥ୍ୟ, ତହସିଲ୍, ପରିବହନ ସମସ୍ତ ବିଭାଗ ନିଜ ନିଜ କ୍ୟାମ୍ପ କରିଛନ୍ତି। ଯାହା ନିହାତି ଭାବେ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ" ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

ଏହି 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ'ରେ ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ଅକ୍ଷମତାର ଚିହ୍ନଟ କରି ସେମାନଙ୍କୁ ଏହାର ପ୍ରମାଣପତ୍ର ଦେବା ନିମନ୍ତେ ଡାକ୍ତରୀ କ୍ୟାମ୍ପର ଆୟୋଜନ କରାଯଇଥିଲା। ଶ୍ରବଣ ଓ ବାକ୍ ବାଧିତ ସହ ଦୃଷ୍ଟି ବାଧିତ, ଶାରୀରିକ ଭିନ୍ନକ୍ଷମ ଏବଂ ମାନସିକ ଭିନ୍ନକ୍ଷମତା ଚିହ୍ନଟ କରିବା ନିମନ୍ତେ ଡାକ୍ତରୀ ଦଳ ଉପସ୍ଥିତ ରହିଥିଲେ। ଏଥି ନିମନ୍ତେ ମୋଟ ୫୨୮ ଜଣ ପଞ୍ଜୀକରଣ କରାଇଥିବା ବେଳେ ଆଗାମୀ ଦିନରେ ୨୬୧ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିସହ ୧୧୪ ଜଣଙ୍କୁ ବସ୍ ପାସ୍, ୨୫ ଜଣଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ୫ ଜଣଙ୍କୁ ଋଣ ମଞ୍ଜୁର କରାଯାଇଛି। ଏହା ସହ ଏହି ଅଭିଯାନରେ, ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ ନିମନ୍ତେ କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ଶ୍ରୀଯୁକ୍ତ ରୋନିତ କୁମାରଙ୍କ ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡା ସିଂ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାକ୍ସୱେଲ୍ ଟପ୍ନୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ଡାକ୍ତର ଏସ.କେ ନାୟକ, ଡାକ୍ତର ଏଚଏ ଖାନ, ଡାକ୍ତର ଏମକେ ପାଣିଗ୍ରାହୀ, ଡାକ୍ତର ଏସକେ ପାତ୍ର, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ବିସିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଉପସ୍ଥିତ ଥିଲେ।

0
0
0
s2sdefault