ହେଡଲାଇନସ୍:

କଳାହାଣ୍ଡି ଉତ୍ସବର 'ଘୁମୁରା' ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର

ଭବାନୀପାଟଣା,(ରୋହିତ କୁମାର ନାଏକ)ଶାସକ ପ୍ରଶାସକ -କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା ସମାରୋହରେ ରାହାଗିରି(ପଥୋତ୍ସବ) ଆୟୋଜିତ ହୋଇଯାଇଛି। ପଥ ଉତ୍ସବକୁ ନେଇ ସହରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଜେଲ୍ ଛକରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକାରଣ୍ୟ ପାଲଟିଥିଲା !

ଉଦ୍ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଅତିଥି ଭାବେ ଯୋଗଦେଇ ଜନସାଧାରଣକୁ ସମ୍ବୋଧନ କରିଥିଲେ। ରାହଗିରି ଉପ କମିଟିର ସଭାପତି ଡ. ଅଜୟ ମିଶ୍ର ସ୍ଵାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଆବାହକ ସଞ୍ଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ରାହାଗିରି ଉପକମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାଲ ଗୋପାଳ ସେବା ନିକେତନର ଶିଳ୍ପୀମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଧାରିତ ବାଲୁକା କଳା, ପତଞ୍ଜଳି ଯୋଗ ସମିତି ଓ ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀଙ୍କ ଯୋଗ ପ୍ରଦର୍ଶନ, ବିଭିନ୍ନ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗୋଲି, ୮୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଚିତ୍ରକଳା ପ୍ରଦର୍ଶନ, ବିକାଶ ଶିକ୍ଷାନୁଷ୍ଠାନର ସଙ୍ଗୀତ ପରିବେଷଣ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁଙ୍କ ଓଡିଶୀ, ହାଇଟେକ୍ ପବ୍ଲିକ ସ୍କୁଲର ସମର କଳା ଉଶୁ ଓ ସେଖ ମୁନୱାର ଓ ସହଯୋଗୀଙ୍କ ଟାଇକୁଣ୍ଡୁ, ବ୍ୟାଡମିଣ୍ଟନ ଏସୋସିଏସନ ଦ୍ଵାରା ଆୟୋଜିତ ବ୍ୟାଡମିଣ୍ଟନ ଖେଳରେ ଜନ ସାଧାରଣଙ୍କ ଅଂଶଗ୍ରହଣ, ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ନୃତ୍ୟ ପ୍ରଦର୍ଶନ, ଇଶ୍ଵର ରାଓଙ୍କ ଘୁଡକା ନୃତ୍ୟ, ପ୍ରଭୃତି ଆକର୍ଷଣୀୟ ଓ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ଓ କଳାପ୍ରେମୀ ଉପଭୋଗ କରିଥିଲେ।

ଶତାଧିକ ବରିଷ୍ଠ ନାଗରିକଙ୍କ ସମେତ ଶିଶୁ ଓ ଯୁବକଯୁବତୀଙ୍କ ରେମ୍ପ ସୋ, ଅନୁପ ଶତପଥୀଙ୍କ ଯାଦୁକଳା ପ୍ରଦର୍ଶନ, ବ୍ୟଙ୍ଗକବିମାନଙ୍କ ଦ୍ଵାରା କବିତା ପାଠୋତ୍ସବ, ବିଳମ୍ବିତ ରାତି ଯାଏଁ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିପରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ହାଇଟେକ ପବ୍ଲିକ ସ୍କୁଲ, ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ, ବିକାଶ ଶିକ୍ଷାନୁଷ୍ଠାନ, ପ୍ରଗତି ମହାବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ସ୍ମାର୍ଟ ସ୍କୁଲ, ଶାସ୍ତ୍ରୀଜି ଶିକ୍ଷା ନିକେତନ ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କ ଛାତ୍ରଛାତ୍ରୀମାନେ ସାମିଲ ହୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

0
0
0
s2sdefault