ହେଡଲାଇନସ୍:

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଇ ଭି ଏମ୍ ,ଭି.ଭି.ପାଟ ର ବ୍ୟବହାର ସଚେତନତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୦୧.୨୦୨୩/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ, ସଦ୍ଭାବନା ସଭାଗୃହଠାରେ, ଆସନ୍ତା ସାଧାରଣ ନିର୍ବାଚନ 2024 ର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଇ ଭି ଏମ୍ ,ଭି ଭି ପାଟ ର ବ୍ୟବହାର ସଚେତନତା ନିମନ୍ତେ ରାଜନୈତିକ ଦଳ ଓ ସାମ୍ବାଦିକ ମାନଙ୍କ ସହ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପ୍ରଥମେ ମାନ୍ୟତା ପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳରୁ ଆସିଥିବା ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଜିଲ୍ଲପାଳ କହିଲେ ଯେ, 2024 ନିର୍ବାଚନ ପାଇଁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ 26 ଡିସେମ୍ବର 2023 ରେ ସରିଛି ଏବଂ 5 ଜାନୁଆରୀ 2024 ରେ ଏହାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଆଜିଠାରୁ ଜିଲ୍ଲା ରେ ଦୁଇଟି ଜାଗାରେ, ଯଥା, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ପାରାଦ୍ଵୀପ ମୁନିସିପାଲିଟି କାର୍ଯ୍ୟାଳୟ ଠାରେ ଇ ଭି ଏମ୍, ଭି ଭି ପାଟ ପ୍ରଦର୍ଶନ କେନ୍ଦ୍ର ଖୋଲାଯିବ, ଯାହା ପ୍ରତ୍ୟେକ କାର୍ଯ୍ୟ ଦିବସ ରେ ସକାଳ 10 ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଖୋଲା ରହିବ। 18 ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ପଞ୍ଜୀକୃତ ଭୋଟର ମାନେ ଏଠାକୁ ଆସି ଏହି ମେସିନ କୁ ପ୍ରତ୍ୟକ୍ଷ ଭାବେ ବ୍ୟବହାର କରି ଏହାର ବ୍ୟବହାରିତା ସମ୍ବନ୍ଧରେ ଜାଣିପାରିବେ। ଏଥି ନିମନ୍ତେ ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ଦଳ ପ୍ରତିନିଧି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଜିଲ୍ଲା ର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ସାଧାରଣ ନିର୍ବାଚନ 2024 ବିଷୟ ରେ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ 2024 ର ଚୂଡ଼ାନ୍ତ ତାଲିକା ଅନୁସାରେ ଜଗତସିଂହପୁର ଜିଲ୍ଲା ରେ ମୋଟ 9,48,657 ଜଣ ପଞ୍ଜୀକୃତ ଭୋଟର ଅଛନ୍ତି ଯାହା ପୂର୍ବ ନିର୍ବାଚନ 2019 ରେ 9,04,099ଜଣ ଥିଲେ। ସେମାନଙ୍କ ମଧ୍ୟରୁ ପୁରୁଷ 4,91,757 ଜଣ ଓ ମହିଳା 4,56,802 ଜଣ ଥିବାବେଳେ ଟ୍ରାନ୍ସ ଜେଣ୍ଡର 98 ଜଣ ଅଛନ୍ତି। ସେହିପରି 18 ବର୍ଷ ରୁ ଅଧିକ ନୂତନ ଭୋଟର ତାଲିକା ପଞ୍ଜୀକରଣ ଏ ବର୍ଷ 22,787 ରହିଛି ଯାହା ମୋଟ ଭୋଟର ଙ୍କ ର 2.52%, ପୂର୍ବ ନିର୍ବାଚନ ରେ ଏହା 1.86% ରହିଥିଲା। ଆହୁରି ମଧ୍ୟ ମୃତ ବା ଅନୁପସ୍ଥିତ ଥିବା 20,395 ଜଣ ଭୋଟର ଙ୍କ ନାମ ଚୂଡ଼ାନ୍ତ ତାଲିକା ରୁ ବାଦ କରାଯାଇଛି। ଏବର୍ଷ ର ମହିଳା ପୁରୁଷ ଭୋଟର ଅନୁପାତ 929:1000 ରହିଛି ଯାହା 2019 ନିର୍ବାଚନ ରେ 898:1000 ଥିଲା। ବରିଷ୍ଠ ନାଗରିକ (80 ବର୍ଷ ଓ ତଦୁର୍ଦ୍ଧ )ମଧ୍ୟରେ 26,337, ଭିନ୍ନକ୍ଷମ 22513, ସର୍ଭିସ ଭୋଟର 1453 ରହିଛି।

Imageଜିଲ୍ଲା ରେ ମୋଟ 1047 ଟି ପୋଲିଂ ବୁଥ୍ ରହିଥିବା ବେଳେ 854 ଟି ପୋଲିଂ ଲୋକେସନ ରହିଛି।ଏବର୍ଷ ଏପିକ କଭରେଜ 100%ଏବଂ ଫୋଟୋ କଭରେଜ 100% ରହିଛି।ସମସ୍ତ ଭୋଟର ମାନଙ୍କୁ ଇ ଭି ଏମ୍ ମେସିନ ସହିତ ପରିଚିତ କରାଇବାକୁ ଜିଲ୍ଲା ରେ ଦୁଇଟି ସ୍ଥାୟୀ ଇ ଭି ଏମ୍ ପ୍ରଦର୍ଶନ କେନ୍ଦ୍ର ଏବଂ 10 ଟି ଭ୍ରାମ୍ୟମାଣ ଇ ଭି ଏମ୍ ପ୍ରଦର୍ଶନ ରଥ ର ପରିକ୍ରମା କରାଯିବ। ସ୍ଥାୟୀ କେନ୍ଦ୍ର ଦୁଇଟି ଆଜିଠାରୁ ଓ ଭ୍ରାମ୍ୟମାଣ ରଥ ଆସନ୍ତା 16.01.24 ରିଖ ଠାରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଓ ମୁନିସିପାଲିଟି ରେ 854 ଟି ଲୋକେସନ ରେ ପରିକ୍ରମା କରି ଭୋଟର ମାନଙ୍କୁ ମେସିନ ରେ ଭୋଟ ଦାନ ସହ ବ୍ୟବହାରିକ କରାଇବ।ଏହି ଭ୍ରାମ୍ୟମାଣ ପ୍ରଦର୍ଶନ ରଥ ବିଷୟ ରେ ପ୍ରତ୍ୟେକ ପଞ୍ଚାୟତ ରେ ଆଗୁଆ ମାଇକ ରେ ପ୍ରଚାର କରାଯିବ, ଫଳରେ ସମସ୍ତ ଭୋଟର ଏହି ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇପାରିବେ। ଗୋଟିଏ ଷ୍ଟେସନ ରେ ଏହି ପ୍ରଦର୍ଶନୀ ରଥ 90 ମିନିଟ୍ ରହି ଇ ଭି ଏମ୍ ମେସିନ୍ ର ବ୍ୟବହାର ସମ୍ପର୍କରେ ସଚେତନ କରାଇବ।ପ୍ରତ୍ୟେକ ଦିନ ରଥ 6 ଟି ପୋଲିଂ ଷ୍ଟେସନ୍ ବୁଲିବ।ମୁଖ୍ୟ ନିର୍ବାଚନ କମିଶନ ଙ୍କ ଦ୍ବାରା ସ୍ଵତନ୍ତ୍ର ଭାବେ ଜାରି କରାଯାଇଥିବା ଜିଙ୍ଗଲ ଧ୍ୱନି ବଜାଇ ଭୋଟର ମାନଙ୍କୁ ଆଗୁଆ ଏହି ଇ ଭି ଏମ୍ ପ୍ରଦର୍ଶନୀ ସଚେତନତା ରଥ ବିଷୟରେ ଜଣାଇବାକୁ ସମ୍ପୃକ୍ତ ବ୍ଲକ୍ ର ବି ଡି ଓ ଏବଂ ମୁନିସିପାଲିଟି ନିର୍ବାହୀ ଅଧିକାରୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି କହିଥିଲେ ଜିଲ୍ଲାପାଳ। ଶେଷରେ ଏହି ସମ୍ପୂର୍ଣ୍ଣ ସାଧାରଣ ନିର୍ବାଚନ 2024 ର ପ୍ରଚାର ପ୍ରସାର ଓ ଏକ ଦୁର୍ନୀତିମୁକ୍ତ ସୁସ୍ଥ ନିର୍ବାଚନ ନିମନ୍ତେ ଜିଲ୍ଲାପାଳ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସହଯୋଗ କାମନା କରିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେଶ କୁମାର ସାହୁ, କଳ୍ପିତା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ତଥା ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

0
0
0
s2sdefault