ହେଡଲାଇନସ୍:

ବିପଦପୂର୍ଣ୍ଣ ସ୍ଥାନରେ ଭେଣ୍ଡିଂ ଜୋନ୍ ନେଇ ସାଧାରଣରେ କ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଣଓସାରିଆ ଟିଣ ଘର ନିର୍ମାଣ ହେଉଥିବା ଅଭିଯୋଗ

ଢ଼େଙ୍କାନାଳ/ ରବିନ୍ ଦାସ ; ରାଜ୍ୟରେ ଉଠା ଦୋକାନୀଙ୍କ ସୁବିଧା ପାଇଁ ସରକାର ପୌରାଞ୍ଚଳ ଗୁଡ଼ିକରେ ଭେଣ୍ଡିଂ ଜୋନ୍ ର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ବ୍ୟବସ୍ଥାରେ ରାସ୍ତା କଡ଼ ଓ ବଜାର ମାନଙ୍କରେ ସ୍ଥାନ ନିରୂପଣ କରି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଉଛି । ସେହିପରି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବଜାର ଓ ରାସ୍ତା କଡ଼ ମାନଙ୍କରେ ମଧ୍ୟ ଭେଣ୍ଡିଂ ଜୋନ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ହେଲେ ଏହା ବିପଦପୂର୍ଣ୍ଣ ସ୍ଥାନରେ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଭୁବନ ବିଦ୍ୟୁତ୍ ସବ୍ ଷ୍ଟେସନ ନିକଟରେ ଥିବା ମାଳମାଳ ବିଦ୍ୟୁତ୍ ତାର ତଳେ ଓ ଟ୍ରାନ୍ସଫରମର ପାଶ୍ୱର୍ରେ ଲୁହାର ଘର ତିଆରି କରାଯାଉଛି । ଯାହା ଅତି ସହଜରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୁହା ଟିଣର ଏ ଅଣଓସାରିଆ ଘର ସବୁ ଅଦରକାରୀ ହୋଇ ପଡ଼ି ରହିବ । ବିଭାଗୀୟ ଅଧିକାରୀମାନେ ଏ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ମାଣ କରିବାର ଥିଲା ହେଲେ ଅର୍ଥ ଲୋଭରେ ବିପଦପୂର୍ଣ୍ଣ ସ୍ଥାନରେ ତରବରିଆ ଭାବେ ନିର୍ମାଣ ଚାଲିଛି । ଆଗାମୀ ଦିନରେ ଏ ଘର ନେଇଥିବା ଜନସାଧାରଣଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହେଲେ ଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହେଉଛି ଯାହା ସ୍ଥାନୀୟ ଜନପ୍ରତିନିଧିଙ୍କ ତତ୍ବାବଧାନରେ ଚାଲିଥିବା କୁହାଯାଉଛି । ନିମ୍ନମାନର ଲୁହା ଓ ଟିଣ ସାମଗ୍ରୀ ବ୍ୟବହାର କରାଯାଇ ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା କୁହାଯାଉଛି । ଏହି ଭେଣ୍ଡିଂ ଜୋନ୍ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିବା ସହିତ ଅଣଓସାରିଆ ଘର ଯୋଗୁଁ ବ୍ୟବହାର ଉପଯୋଗୀତାରେ ସମସ୍ୟା ଉପୁଜିବ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏ ସମସ୍ୟାର ସ୍ଥାୟୀ ସମାଧାନ ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

0
0
0
s2sdefault