ହେଡଲାଇନସ୍:

ବୁଢାକେନ୍ଦୁ ଜଙ୍ଗଲରେ 19ଟିକିଆ ହାତୀପଲ; ଦଳିଦେଲେ ଚାଷୀଙ୍କ ଧାନ ଗଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ଦୁଃଖ ଚାଷୀଙ୍କ ପିଛା ଛାଡ଼ୁନି I ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଚାଷରେ ଚାଷୀ ବହୁତ କ୍ଷତି ସହିଥିବା ବେଳେ ଯାହା କିଛି ସାଇତି ରଖିଥିଲା ସେସବୁକୁ ହାତୀପଲ ଏବେ ନଷ୍ଟ କରିବାରେ ଲାଗିଛନ୍ତି I ଗତ କିଛି ଦିନ ହେବ ଗାଙ୍ଗପୁର ବନଖଣ୍ଡ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି I ରାତିରେ ଏକ 19 ଜଣିଆ ହାତୀ ପଲ ଗାଆଁ ପାଖକୁ ମାଡ଼ି ଆସି ଲୋକଙ୍କ ବାଡ଼ି, ବଗିଚା ଏବଂ ଶସ୍ୟ କ୍ଷେତ୍ରରେ ପଶି ଗଛ ଗୁଡ଼ିକୁ ଦଳି ଚକଟି ନଷ୍ଟ କରିଦେବା ଯୋଗୁଁ ଏହି ଅଞ୍ଚଳର ଚାଷୀ ମାନେ ନିଜ ଫସଲ ସୁରକ୍ଷା ଚିନ୍ତାରେ ଦିନ କାଟୁଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଏହି 19ଟିକିଆ ହାତୀପଲ ବୁଢାକେନ୍ଦୁ ରାଇପଡା ହୋଇ ଗୋବରା ମୁଖ୍ୟ ସଡ଼କକୁ ବାହାରି ବିରିପୁର ଏବଂ ଡେଙ୍ଗାପଦର ଗାଆଁରେ ପଶି ସେହି ଗ୍ରାମର କିଛି ଚାଷୀଙ୍କ ଧାନ ଗଦା ଗୁଡ଼ିକୁ ଦଳି ମକଚି ନଷ୍ଟ କରିଦେବା ସହ କିଛି ଗଦାରୁ ଧାନ ମଧ୍ୟ ଖାଇଥିବା ଅଭିଯୋଗ ହୋଇଛି I ଡେଙ୍ଗାପଦର ଗ୍ରାମର ଚାଷୀ ଦିବାକର ନାୟକ,ବିଜୟ ମହାନ୍ତି ଏବଂ
ମୋଚୀରାମ ସେଠୀଙ୍କ ଧାନ ଗଦା ଗୁଡ଼ିକୁ ହାତୀପଲ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଯାହାର ମୂଲ୍ୟ ପଚାଶ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଗ୍ରାମ୍ୟ ସଭାପତି ବିପ୍ର ଚରଣ ନାୟକ ପ୍ରକାଶ କରିଛନ୍ତି I ସେହିପରି ହାତୀପଲ କଣ୍ଟେଇପଲ୍ଲୀ ସରୋଜ କୁମାର ସ୍ଵାଇଁଙ୍କ ଫାର୍ମ୍ ହାଉସ୍ ରେ ପଶି 30 ରୁ ଊର୍ଦ୍ଧ୍ଵ କଦଳୀ ଗଛକୁ ଦଳି ନଷ୍ଟ କରିଦେବା ସହ 12 ଟି ନଡ଼ିଆ ଗଛ ଏବଂ 7 ଟି ଆମ୍ବ ଗଛ ଭାଙ୍ଗି ଦେଇଥିବା ସୂଚନା ମିଳିଛି I ହାତୀ ପଲର ଏହିଭଳି ଉପଦ୍ରବ କଥା ଶୁଣି ଅନ୍ୟ ଚାଷୀମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି I ବର୍ତମାନ ସୁଦ୍ଧା ବହୁ ଧାନ ଚାଷୀଙ୍କ ଧାନ ମଣ୍ଡିକୁ ଯାଇନପାରି ବିଲ,ଖଳା ଭଳି ଖୋଲା ସ୍ଥାନରେ ରହିଛି I ଏହାରି ଉପରେ ହାତୀଙ୍କ ନଜର ପଡ଼ିଲେ ବର୍ଷକର ଆହାର ହାତୀ ପାଦରେ ଯିବା ନିଶ୍ଚିତ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି I କେବଳ ଗୋଟିଏ ବର୍ଷ ନୁହେଁ, ପ୍ରତିବର୍ଷ ହାତୀପଲ ଥରେ ଦୁଇଥର ଏହି ଅଞ୍ଚଳକୁ ଆସି ଫସଲ ନଷ୍ଟ କରୁଛନ୍ତି, ବାଡ଼ି ବଗିଚା ଉଜାଡ଼ି ଦେଉଛନ୍ତି I ଏନେଇ ଚାଷୀମାନେ ଲିଖିତ ଅଭିଯୋଗ ଦେବା ସହିତ କ୍ଷତି ପୂରଣ ପାଇଁ ଦାବି ବି କରୁଛନ୍ତି I କିନ୍ତୁ ବିଭାଗ କ୍ଷତି ପୂରଣର ପ୍ରତିଶୃ୍ତି ଦେଇ ବର୍ଷ ବର୍ଷ ଧରି ନୀରବ ରହୁଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି I ଏଣୁ ହାତୀ ପଲ ପାଇଁ ସ୍ଥାୟୀ ପ୍ରତିକାର କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି I

0
0
0
s2sdefault