ରାଜସ୍ଥାନ ୱାରିୟର୍ସକୁ ୨୯-୨୭ ପଏଂଟରେ ପରାଜିତ କଲା ମୁମ୍ବାଇ ଖିଲାଡିସ
ଅଲଟିମେଟ ଖୋ ଖୋ ସିଜନ-୨
କଟକ,୭ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସକୁ ପରାଜିତ କରି ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ ପଏଂଟ ତାଲିକାର ଶୀର୍ଷରେ ପହଂଚିଛି । ଓଡିଶା ଜଗରନଟ୍ସ, ତେଲୁଗୁ ୟୋଦ୍ଧାସକୁ ୩୫-୩୭ ପଏଂଟରେ ହରାଇଛି । ଏହି ମ୍ୟାଚରେ ଓଡିଶା ଜଗରନଟ୍ସର ଦିଲ୍ଲୀପ ଖାଣ୍ଡଭି, ଓମକାର ସୋନାୱାନେ ଓ ଅବିନାଶ ଦେସାଇ ୬ ପଏଂଟ ଲେଖାଏଁ ହାସଲ କରି ଦଳର ବିଜୟରେ ବଡ ଯୋଗଦାନ ଦେଇଥିଲେ । ଏହାପୂର୍ବରୁ ଆଜିର ୧ମ ମ୍ୟାଚ୍ରେ ମୁମ୍ବାଇ ଖିଲାଡିସ, ରାଜସ୍ଥାନ ୱାରିୟର୍ସକୁ ୨୯-୨୭ ପଏଂଟରେ ପରାଜିତ କରିଥିଲା । ଆଜିର ମ୍ୟାଚରେ ଏକାଧିକ ସ୍ୱତନ୍ତ୍ର ଅତିଥି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ପୂର୍ବରୁ ଟସ ସମୟରେ କଏନ ପକାଇଥିବା ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ସାଧାରଣ ସଚିବ ଦତାତ୍ରେୟ ହୋସାବଲେ, କେକେଏଫ୍ଆଇ ଅଧ୍ୟକ୍ଷ ସୁଧାଂଶୁ ମିତଲ ଏବଂ ଅଲ୍ଟିମେଟ ଖୋ ଖୋର ସିଇଓ ଓ ଲିଗ କମିଶନର ତେଞ୍ଜିଙ୍ଗ ନିୟୋଗି ପ୍ରମୁଖ ସାମିଲ ଥିଲେ । ଏହାବ୍ୟତୀତ ଇଣ୍ଡିଆନ ସୁପର ଲିଗ କ୍ଲବ ଓଡିଶା ଏଫସିର ଖେଳାଳି ଲାଲିଆନସାଙ୍ଗା ରେନ୍ଥଲେଇ, ପୁଙ୍ଗତେ ଲାପୁଙ୍ଗ, ପାଓଗୌମାଙ୍ଗ ସିଙ୍ଗସନ ଓ ନିରଜ କୁମାର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଖେଳାଳିମାନେ ଷ୍ଟାଣ୍ଡରେ ରହି ଘରୋଇ ଟିମ ଓଡିଶା ଜଗରନଟ୍ସ ପାଇଁ ଚିୟର କରିଥିଲେ । ଆସନ୍ତାକାଲି (ସୋମବାର) ତେଲୁଗୁ ୟୋଦ୍ଧାସ, ଗୁଜରାଟ ଜିଆଂଟ୍ସ ସହ ଏବଂ ଚେନ୍ନାଇ କ୍ୱିକ ଗନ୍ସ, ରାଜସ୍ଥାନ ୱାରିୟର୍ସ ସହ ପ୍ରତିଦ୍ୱନ୍ଦିତା କରିବ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ଓଡ଼ିଶା ଜଗରନଟ୍ସରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ଆଦି ସାମିଲ ଥିଲେ । ସେହିପରି ତେଲୁଗୁ ୟୋଦ୍ଧାସରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।








