-
• ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି : ମନ୍ତ୍ରୀ
-
• ଜନଜାତି ସମ୍ପ୍ରଦାୟର ବିବିଧତାକୁସଂରକ୍ଷଣ, ସୁରକ୍ଷାଏବଂପ୍ରୋତ୍ସାହନର ଆବଶ୍ୟକତା ରହିଛି: କମିଶନର୍ ତଥା ଶାସନ ସଚିବ
ଭୁବନେଶ୍ବର: ବସ୍ତୁବାଦୀ ଦୁନିଆରୁ ବହୁଦୂରରେ ରହୁଥିବା ଜନଜାତି ସମ୍ପ୍ରଦାୟ ବର୍ତ୍ତମାନ ନିଜ ସଂସ୍କୃତିକୁ ନେଇ ପରିଚିତି ପାଇଛି । ଆଜିର ଡିଜିଟାଲ ଯୁଗରେ ଭାରତୀୟ ଜନଜାତି ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ, କଳା, ଭିଜୁଆଲ୍ ଆର୍ଟ ଆଦିକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଜାତୀୟ ମେଳାର ଆୟୋଜନ କରାଯାଇଛି । ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି ବୋଲି ମତ ପ୍ରକାଶ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା । ପ୍ରାକୃତିକ ଉପାଦାନରୁ ନିର୍ମିତ ଶିଳ୍ପ ସାମଗ୍ରୀରେ ସୌନ୍ଦର୍ଯ୍ୟ ସମ୍ପର୍କରେ ଜାଣିବାକୁ ହେଲେ ଜନଜାତିଙ୍କ କଳାକୃତି ବିଷୟରେ ଜାଣିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।
ଜାତୀୟ ଜନଜାତି ଶିଳ୍ପ ମେଳା ଓ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ୨୦୨୪ ଉଦଘାଟନ ହୋଇଯାଇଛି । ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇଥିଲେ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏହି ମେଳାର ଆୟୋଜନ କରିଥିବା ବେଳେ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗ କରିଛି I ଏହି ଅବସରରେ ଏକ ସ୍ବତନ୍ତ୍ର କଫି ବ୍ଲକ୍ ମଧ୍ଯ ଉନ୍ମୋଚନ କରାଯାଇଛି । ଜନଜାତି ଶିଳ୍ପ ମେଳା ଆସନ୍ତା ୧୧ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ବେଳେ ଜନଜାତି ନୃତ୍ୟ ମହୋତ୍ସବ ଆସନ୍ତା ୭ ତାରିଖ ଯାଏଁ ଚାଲିବ ।
ଉଦଘାଟନୀ ସନ୍ଧ୍ୟାରେ ଯୋଗ ଦେଇ ବିଭାଗୀୟ ଶାସନ ସଚିବ କହିଛନ୍ତି, ଏହା ବିବିଧତାର ଏକ ଉତ୍ସବ । ଏହି ବିବିଧତାକୁ ସଂରକ୍ଷଣ, ସୁରକ୍ଷା ଏବଂ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ପ୍ରତ୍ୟେକ ଜନଜାତି ଶିଳ୍ପ ଏବଂ ନୃତ୍ୟ ସେମାନଙ୍କ ଜୀବନଶୈଳୀ, ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ବିଭିନ୍ନ ଜନଜାତି ସମ୍ପ୍ରଦାୟର ନୃତ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ସେମାନଙ୍କ ଭଗବାନଙ୍କ ପ୍ରତି ଥିବା ବିଶ୍ଵାସକୁ ସୂଚିତ କରେ । ଜାତୀୟ ସ୍ତରରେ ଓଡିଶାର କାରିଗରମାନଙ୍କୁ ପହଞ୍ଚାଇବା ଓ ବଜାର ସୃଷ୍ଟି କରିବା ପାଇଁ ହେଲେ ଅନ୍ୟ ରାଜ୍ୟର ଜନଜାତି ସମ୍ପ୍ରଦାୟର ମିଶ୍ରଣର ଆବଶ୍ୟକତା ରହିଛି । ତେଣୁ, ଯଦି ସେମାନେ ବିଭିନ୍ନ ଶୈଳୀ ସହିତ ପରିଚିତ ହୁଅନ୍ତି, ତେବେ କଳାର ବ୍ୟାପକତା ବଢିବ ।
ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସୂଚନା ଦେଇଛନ୍ତି, ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସହଯୋଗରେ ଆୟୋଜିତ ହୋଇଥିବା ଏହି ଉତ୍ସବ କଳାପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର । 12 ଟି ରାଜ୍ୟର ଜନଜାତି କାରିଗର, ସେମାନଙ୍କର ପାରମ୍ପାରିକ କଳାକୃତି ପ୍ରଦର୍ଶନ କରିବା ତଥା ସେମାନଙ୍କ ସାମଗ୍ରୀକୁ ଏକ ବଜାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ମେଳାରେ ଭାଗ ନେଇଛନ୍ତି । ଏହି ମେଳାରେ 70 ଟି ଷ୍ଟଲ୍ ଲାଗିଥିବା ବେଳେ 14 ଟି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀ 3 ଦିନ ଧରି ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
ଏହି ମେଳାରେ ଭାରତର ବିଭିନ୍ନ ରାଜ୍ୟରୁ ଜାତୀୟ ପୁରସ୍କାର ପ୍ରାପ୍ତ ଜନଜାତି ହସ୍ତତନ୍ତଶିଳ୍ପ କାରିଗରମାନେ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ସିକ୍କିମ, ମଣିପୁର ଓ ଓଡ଼ିଶା ସମେତ ୧୩ ଟି ରାଜ୍ୟରୁ ପ୍ରାୟ ୨୦୦ ଜନଜାତି କାରିଗର ସେମାନଙ୍କର ସ୍ବତନ୍ତ୍ର ତଥା ସୂକ୍ଷ୍ମ କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରୁଛନ୍ତି । ଏହି ୭ ଦିନିଆ ମେଳାରେ ଛତିଶଗଜର ଆଇରନ୍ ଶିଳ୍ପ, ଆନ୍ଧ୍ରପ୍ରଦେଶର ବାଉଁଶ ହସ୍ତଶିଳ୍ପ, ଆସାମ, ମଣିପୁର ଏବଂ ଝାଡଖଣ୍ଡର ହସ୍ତତନ୍ତ ଏବଂ ବୟନଶିଳ୍ପ, ତାମିଲନାଡୁର ଏମ୍ଭେ ।ଡୋରୀ କାର୍ଯ୍ୟ, ଉତ୍ତରପ୍ରଦେଶର ମୋଜ ଘାସ ଉତ୍ପାଦ, ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଛି । ମଣିପୁର, ଆସାମ ଏବଂ ମଧ୍ୟପ୍ରଦେଶର ଜନଜାତି ଅଳଙ୍କାର, ଲାଖ ଶିଳ୍ପ, ଡ଼ୋକ୍ରା, ଜନଜାତି ପରିଧାନ, ଟେରାକୋଟା, ତାଳ ପତ୍ର କାରୁକାର୍ଯ୍ୟ, ଜନଜାତି ଚିତ୍ରକଳା ଓ ଅନ୍ୟାନ୍ୟ ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରଦର୍ଶନ କରାଯାଇଛି । ଚଳିତ ବର୍ଷ ଓଡିଶାର ୧୬ ଟି ଆଦିବାସୀ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ଯେପରିକି ଡଙ୍ଗରିଆ କନ୍ଧର ଏମ୍ବେ ।ଜୋରୀ କାର୍ଯ୍ୟ, ବଣ୍ଡା ସମ୍ପ୍ରଦାୟର ପରିଧାନ, କୁଟିଆ କନ୍ଧ ର ପାନିଆ ତିଆରି କାର୍ଯ୍ୟ, ଭୁମିଜ ସମ୍ପ୍ରଦାୟର ପତ୍ର କାରୁକାର୍ଯ୍ୟ, ଗୋଣ୍ଡ ସମ୍ପ୍ରଦାୟର ଗୋଣ୍ଡ ଚିତ୍ରକଳା, ଲୋଧା ସମ୍ପ୍ରଦାୟର ବାଉଁଶ ଶିଳ୍ପ, ସଭରା ସମ୍ପ୍ରଦାୟର ସାଉରା ଚିତ୍ରକଳା ଆଦି ସୂକ୍ଷ୍ମ ହସ୍ତଶିଳ୍ପ ପ୍ରସ୍ତୁତି କୁ ଜନସାଧାରଣମାନେ ଦେଖିପାରିବେ ।
ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଛି ମିସିମି ଜନଜାତିଙ୍କ ମକ୍ଟଳର ଲୋକନୃତ୍ୟ (ଅରୁଣାଚଳପ୍ରଦେଶ), କୁନବି ଜନଜାତିଙ୍କ କାହାଡିଆ ନୃତ୍ୟ ( ଗୁଜୁରାଟ ), ତ୍ରିପୁରୀ ଜନଜାତିଙ୍କ ଲେବାଙ୍ଗ ବୁମାନି ନୃତ୍ୟ ( ତ୍ରିପୁରା ), ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ ( ମହାରାଷ୍ଟ୍ର), ଗଦବା ଜନଜାତିଙ୍କ ଢେମସା ନୃତ୍ୟ ( ଓଡିଶା ), ଭୂତିଆ ଜନଜାତିଙ୍କ ଶିୱାଲା ଖୁଙ୍ଗସାଙ୍ଗ୍ ଥେନେପା ନୃତ୍ୟ (ସିକ୍କିମ), ଗୌଡା ଜନଜାତିଙ୍କ ଗଫ୍ ନୃତ୍ୟ ( ଗୋଆ), ଗଣ୍ଡ ଜନଜାତିଙ୍କ ଗଣ୍ଡି ନୃତ୍ୟ ( ଉତ୍ତରପ୍ରଦେଶ ) ।
ଦ୍ବିତୀୟ ସନ୍ଧ୍ୟାରେ ଥାରୁ ଜନଜାତିଙ୍କ ଝିଝି ନୃତ୍ୟ ( ଉତ୍ତରାଖଣ୍ଡ), ବୋଡା ଜନଜାତିଙ୍କ ବାଗରୁମ୍ବା ନୃତ୍ୟ ( ଆସାମ), ଧୂଳିଆ ଜନଜାତିଙ୍କ ଅଗବନି ନୃତ୍ୟ ( ମଧ୍ୟପ୍ରଦେଶ), ଗଣ୍ଡ ଜନଜାତିଙ୍କ କାଜାରୀ ଲୋକନୃତ୍ୟ ( ଉତ୍ତରପ୍ରଦେଶ), କନ୍ଧ ଜନଜାତିଙ୍କ ଘୁମୁରା ନୃତ୍ୟ ( ଓଡିଶା ), ମିଶମି ଜନଜାତିଙ୍କ ଦଳଗତ ନୃତ୍ୟ (ଅରୁଣାଚଳପ୍ରଦେଶ ), ମୁଣ୍ଡା ଜନଜାତିଙ୍କ ଜାଦୁର ନୃତ୍ୟ (ଝାଡଖଣ୍ଡ), ବଗତା ଜନଜାତିଙ୍କ ଭିମସା କୁଣ୍ଡା ନୃତ୍ୟ ( ଆନ୍ଧ୍ରପ୍ରଦେଶ), ଗଣ୍ଡ ଜନଜାତିଙ୍କ ହୁଲକି ନୃତ୍ୟ ( ଛତିଶଗଡ ) ।
ତୃତୀୟ ସନ୍ଧ୍ୟାରେ ଚୁନବୀ ଜନଜାତିଙ୍କ ଭାୟା ଡୁଙ୍ଗର୍ ଦେବ ନୃତ୍ୟ (ଗୁଜୁରାଟ ), ଥାରୁ ଜନଜାତିଙ୍କ ହୋଲି ନୃତ୍ୟ (ଉତ୍ତରାଖଣ୍ଡ), ବୋଡୋ ଜନାଜାତିଙ୍କ ବାଗରୁମ୍ବା ନୃତ୍ୟ (ଆସାମ), ଭୂତିଆ ଜନାଜାତିଙ୍କ ନାଏ-ଲା-ଥାଙ୍ଗପୋ ନୃତ୍ୟ (ସିକ୍କିମ), ବିଂଝାଲ୍ ଜନଜାତିଙ୍କ ରସରକେଲି ନୃତ୍ୟ (ଓଡିଶା), ତ୍ରିପୁରୀ ଜନଜାତିଙ୍କ ମମିତା ନୃତ୍ୟ ( ତ୍ରିପୁରା ), ଗଣ୍ଡ ଜନଜାତିଙ୍କ ମାନ୍ଦାରି ନୃତ୍ୟ ( ଛତିଶଗଡ ), ମୁଣ୍ଡା ଜନଜାତିଙ୍କ ଜରାପି ନୃତ୍ୟ (ଝାଡଖଣ୍ଡ), ଗୌଡା ଜନଜାତିଙ୍କ ତାଲଗାଡି ନୃତ୍ୟ (ଗୋଆ ) ।








