ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନିଶ୍ଚିନ୍ତକୋଇଲି/ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ ଯେ, କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍କୁ କଟକରୁ କେନ୍ଦ୍ରାପଡା ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଟ୍ରକ ଚାଳକ ସମେତ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍ ଚାଳକ ଓ ତାଙ୍କ ପାଖରେ ବସିଥିବା ଏକ କୁନି ଝିଅଙ୍କୁ ଦୀର୍ଘ ସମୟ ପରେ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଦମକଳବାହିନୀ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣା ପରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତା ବନ୍ଦ ରହିଥିଲା। ନିଶ୍ଚିନ୍ତକୋଇଲି ପୋଲିସ ୨ ପ୍ଲାଟୁନ ଫୋର୍ସ ଓ ଓଡ୍ରାଫ ଟିମ ବସ୍ ଏବଂ ଟ୍ରକ୍କୁ କାଟି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଟକ ଜିଲାପାଳ ନରହରି ସେଠୀ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି l ପରିସ୍ଥିତି ଉଦବେଗଜନକ ରହିଛି l








