ହେଡଲାଇନସ୍:

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୧.୦୧.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ତରରେ ଜାନୁଆରୀ ୧ ତାରିଖରୁ ଜାନୁଆରୀ ୭ ତାରିଖ ପର୍ଯ୍ଯନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏଲ୍.ଇ.ଡି.ସ୍କ୍ରିନ୍ ଥିବା ସଚେତନତା ରଥକୁ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟାୱରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ଜିଲ୍ଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ବର୍ଦ୍ଧିତ ସଡକ ଦୁର୍ଘଟଣା କୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାକୁ କହିଥିଲେ। ଏହି ସଡକ ସୁରକ୍ଷା ସପ୍ତାହ ପାଳନର ଉଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ କରିବା ଏବଂ ୨୦୨୪ ରେ ଯେପରି କମ୍ ରୁ କମ୍ ସଂଖ୍ୟକ କାଜୁଆଲିଟି ହେବ ସେଥିପ୍ରତି ସତର୍କ ରହିବା ବୋଲି ଜିଲ୍ଲାପାଳ କହିଥିଲେ। ଏଲ୍ ଇ.ଡି ଲାଗିଥିବା ଏହି ସଚେତନତା ରଥ ଜିଲ୍ଲା ର ପ୍ରତ୍ୟେକ ଗାଆଁ ଓ ସହର ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପହଞ୍ଚାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର୍ ଏହି ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ସଡକ ସୁରକ୍ଷା ର ନିୟମ ମାନି ନିଜେ ଓ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଏହି ସପ୍ତାହ ପାଳନ ଅବସରରେ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ପ୍ରତିବର୍ଷ ସଡକ ଦୁର୍ଘଟଣାରେ ଦେଶରେ 1.5 ଲକ୍ଷ,ରାଜ୍ଯ ରେ 5000 ରୁ ଅଧିକ ଏବଂ ଜିଲ୍ଲା ରେ 100 ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଉଛନ୍ତି ।ତେଣୁ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ସଚେତନତା ରଥ ପରିକ୍ରମା ମାଧ୍ୟମରେ ପ୍ରତ୍ୟେକ ବ୍ଲକ୍, ଥାନା, ମ୍ୟୁନିସିପାଲିଟି ଗୁଡିକ ରେ ଏଲ୍ ଇ ଡି ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରସାରିତ କରିବ। ଏହାଛଡ଼ା ଦୁର୍ଘଟଣା ର ପ୍ରମୁଖ କାରଣ ଯେପରି, ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ବିନା ହେଲମେଟ ରେ ଯାତ୍ରା କିମ୍ବା ଗାଡି ଚାଳନା ସମୟରେ ମୋବାଇଲ ରେ କଥା ହେବା,ଟ୍ରିପଲ ରାଇଡିଂ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ସଚେତନତା ସୃଷ୍ଟି ନିମନ୍ତେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସାଧାରଣ ଜନତାଙ୍କ ପାଇଁ ଚିତ୍ରାଙ୍କନ ଓ ସ୍ଲୋଗାନ୍ ଲିଖନ ପ୍ରତିଯୋଗିତା ର ଆୟୋଜନ କରାଯିବ। ବର୍ତ୍ତମାନ ବଣଭୋଜି ର ସମୟ ହୋଇଥିବାରୁ ସେହି ସ୍ଥାନରେ ସଡକ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟର ଓ ବ୍ୟାନର ଲଗାଯିବ। ରକ୍ଷକ ବନ୍ଧୁ ମାନଙ୍କ ପାଇଁ ଅଗ୍ନି ନିର୍ବାପନ ଶିକ୍ଷାଦାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଟ୍ରକ୍ ଡ୍ରାଇଭର ମାନଙ୍କୁ ରାତି 3 ଟା ରୁ ଭୋର୍ 6 ଟା ପର୍ଯ୍ୟନ୍ତ ମାଗଣା ରେ ଚା' ଯୋଗାଇ ଦିଆଯିବା ସହ ଚକ୍ଷୁ ପରୀକ୍ଷା ଏବଂ ରକ୍ତଦାନ ଶିବିର ଆୟୋଜନ କରାଯିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସଜାଗ, ସତର୍କ ଓ ସଚେତନ ରହିଲେ ହିଁ ସଡକ ସୁରକ୍ଷା ସପ୍ତାହ ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ସେ କହିଥିଲେ। ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଏମ୍ ଭି ଆଇ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ବିଷୟରେ ସମସ୍ତଙ୍କୁ ସତର୍କ କରାଇ ଥିଲେ। ସାଧାରଣ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

0
0
0
s2sdefault