ହେଡଲାଇନସ୍:

‘ମୋ ସ୍କୁଲ୍‌’ର ୪୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆସନ୍ତା ୩୧ ଜାନୁଆରୀରେ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ

  • ଫେବ୍ରୁଆରୀ ୬ରୁ ୧୫ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ

  • ସାଧାରଣତନ୍ତ୍ର ଦିବସରେ ହାଇସ୍କୁଲ ରୂପାନ୍ତରଣର ଗାଥା ଗାଇବ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ଼


Image

ଭୁବନେଶ୍ୱର, ୩୦।୧୨: ଆସନ୍ତା ଜାନୁଆରୀ ୩୧ତାରିଖରେ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିର୍ଦ୍ଧାରଣ କରାଯାଇଥିବା ବେଳେ, ଫେବ୍ରୁଆରୀ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣୀ ନିମନ୍ତେ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ଶନିବାର ଅନୁଷ୍ଠିତ 'ମୋ ସ୍କୁଲ୍ ଅଭିଯାନ'ର ୪୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତି ନିଆଯାଇଛି । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ଜିଲ୍ଲା ଏକ ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରଣ କରିବେ।

ଏହାସହ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବିକାଶିତ କରିବା ଲକ୍ଷ୍ୟରେ, ପ୍ରଥମ ପର୍ଯ୍ୟାୟରେ ୫୦୦ ସ୍କୁଲକୁ ସାମିଲ କରିବାକୁ ବୈଠକ ଅନୁମୋଦନ ଦେଇଛି। ‘ମୋ ସ୍କୁଲ୍ ଅଭିଯାନ’ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ ପାଇଁ ବୈଠକରେ ଅନୁମୋଦନ କରାଯାଇଥିଲା। "ମୋ ସ୍କୁଲ ଅଭିଯାନ" ସହ ୩୦ ଡିସେମ୍ୱର ୨୦୨୩ ସୁଦ୍ଧା ୮,୨୭,୧୮୨ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ସେଥିମଧ୍ୟରୁ ୭୧୯୪ ଜଣ ପୁରାତନ ଛାତ୍ରଛାତ୍ରୀ ନୂତନ ଭାବରେ ନିଜ ବିଦ୍ୟାଳୟ ଯୋଡ଼ି ହୋଇଛନ୍ତି।

ଅନ୍ୟ ପକ୍ଷରେ ୨୦୨୪ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ୫-ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣକୁ ପ୍ରଦର୍ଶିତ କରିବାକୁ ‘ମୋ ସ୍କୁଲ ଅଭିଯାନ’ ତରଫରୁ ଏକ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯିବ। ସେଥିରେ ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣର ସମସ୍ତ ଉଦ୍ୟମ ଓ ସଫଳତା ବର୍ଣ୍ଣିତ ହେବ।

ଏହି ୪୫ତମ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ୪୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ବିଭିନ୍ନ ଜିଲ୍ଲା ଓ 'ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ' ଦ୍ୱାରା ଆଗତ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ ପରେ ଅନୁମୋଦନ କରାଯାଇଥିଲା। ସମୁଦାୟ ୨୮ଟି ଜିଲ୍ଳାର ୮୭୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପୁରାତନ ଛାତ୍ରଛାତ୍ରୀମାନଙ୍କ ୫ କୋଟି ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ରାଜ୍ୟ ସରକାରଙ୍କ ଦୁଇଗୁଣ ଆର୍ଥିକ ଅନୁଦାନ ରାଶିରେ ଅନେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସାମଗ୍ରିକ ବିକାଶ କରାଯାଉଛି । ବୌଦ୍ଧ, ଜଗତସିଂହପୁର ଓ ନୂଆପଡ଼ା ଜିଲ୍ଲା କମିଟି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟରେ ୧୭ଟି ସ୍କୁଲ ପାଇଁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦନ କରାଯାଇଥିବା ଅନୁଦାନ ସହଯୋଗର ତାଲିକାକୁ ବୈଠକରେ ମଞ୍ଜୁର କରାଯାଇଛି।

ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଯୋଗ ଦେଇ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ବିଭାଗୀୟ ଶାସନ ସଚିବଙ୍କ ସମେତ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର,ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି)ର ଶ୍ରୀ ମନୋଜ ପାଢ଼ୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାଚରଣ ମହାପାତ୍ର, ‘ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅମରଜିତ୍ ଜେନା, ମୁଖ୍ୟ ପରିଚାଳନା ଅଧିକାରୀ ରାଜଲକ୍ଷ୍ମୀ ଦାଶ, ଭାରପ୍ରାପ୍ତ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

0
0
0
s2sdefault