ବରଗଡ଼ : ନୃସିଂହନାଥ ପରିସର ନିକଟରୁ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେଲା ଜବରଦଖଲରେ ଥିବା ସରକାରୀ ଜମିରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ନୃସିଂହନାଥ ମନ୍ଦିର ଚେକ୍ ଗେଟ ନିକଟରେ ପ୍ରାୟ ତିନି ଏକରରୁ ଉର୍ଦ୍ଧ୍ବ ଜମି ଜବରଦଖଲ ରେ ରଖିବା ସହ ସେହି ଜମିରେ ଘରକରି ତାକୁ ବ୍ୟବସାୟିକ ଉପଯୋଗ କରୁଥିଲେ । ଅନେକ ଦିନରୁ ଜନସାଧାରଣ ଏହି ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଦାବି କରି ଆସୁଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ତାହା କରାଯାଇନଥିଲା । ପାଇକମାଳ ତହସିଲଦାର ଭାବେ ସିନ୍ଧୁସୁତା ପାତ୍ର ଯୋଗଦେବା ପରେ ତାଙ୍କୁ ମଧ୍ୟ ଜନସାଧାରଣ ଏହି ଜବରଦଖଲ ଉଚ୍ଛେଦ ପାଇଁ ଦାବି ଜଣାଇ ଥିଲେ । ସେ ଜନସାଧାରଣଙ୍କ ଦାବିକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଜି ସକାଳୁ ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଉପସ୍ଥିତିରେ ଏକ ଲୋଡର ମେସିନ ବା ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜବର ଦଖଲ ଉଚ୍ଛେଦ ସମୟର ପାଇକମାଳ ତହସିଲଦାର ସିନ୍ଧୁସୁତା ପାତ୍ର , ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୁଝାରୀ ଓ ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ଙ୍କ ସମେତ ଅନେକ ତହସିଲ , ପୋଲିସ ଓ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିଥିଲେ । ତହସିଲଦାର ଙ୍କ ନେତୃତ୍ଵରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳର ଜନସାଧାରଣ ବହୁ ମାତ୍ରାରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।
ରାଜ୍ୟ
ନୃସିଂହନାଥ ପରିସର ନିକଟରୁ ଜବରଦଖଲ ଉଚ୍ଛେଦ
- Hits: 156








