ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଭାବେ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱ
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ କିଛି ଚାଲେଞ୍ଜ ନାହିଁ , ଅଧିକ ସଶକ୍ତ ହୋଇଛି ବିଜେଡି : ମାନସ
ଭୁବନେଶ୍ବର: ରାଜନୀତି ଚେସବୋର୍ଡରେ ବିଜେପି ହେଭି ୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ଭାବ୍ୟ ଚାଲକୁ ଚେକ ଦେବା ପାଇଁ ବିଜେଡି ଖେଳିଛି ଆଉ ଗୋଟିଏ ଚାଲ | ଅନୁଗୋଳ ଓ ଢେଙ୍କାନାଳରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ତାଙ୍କର ଜନ୍ମମାଟିରେ ପ୍ରଶ୍ନବାଣରେ ଘାଇଲା କରି ତାଙ୍କ ପାଇଁ ପ୍ରଶ୍ନର ପାହାଡ ଠିଆ କରି ଆସିବା ପରେ ଏବେ ବିଜେଡି ନଜର ପକାଇଛି ଧର୍ମେନ୍ଦ୍ରଙ୍କ ଅନ୍ୟତମ ସ୍ବପ୍ନ ନିର୍ବାଚନମଣ୍ଡଳୀ ସମ୍ବଲପୁର ଉପରେ | ସମ୍ବଲପୁରରେ ବି ଧର୍ମେନ୍ଦ୍ର ତାଙ୍କ ସାଙ୍ଗଠନିକ ଗତିବିଧି ଜାରି ରଖିଥିବା ବେଳେ ବିଜେଡି ସେଠି ବି ତାଙ୍କୁ ଚେକ ଦେବା ପାଇଁ ମଇଦାନକୁ ଉତାରିଛି ଦଳର ଅନ୍ୟତମ ସାଇଲେଣ୍ଟ ଷ୍ଟ୍ରାଇକର ତଥା ଟାଣୁଆ ସଂଗଠକ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ | ଶ୍ରୀ ମଙ୍ଗରାଜଙ୍କୁ ଦେଇଛି ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱ | ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶିତ ଦଳୀୟ ପ୍ରେସ ବିବୃତିରେ କୁହାଯାଇଛି ।ସେହିଭଳି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ କରାଯାଇଥିବା ବେଳେ ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଦେବଗଡ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।
ପୂର୍ବରୁ ହାଇପ୍ରୋଫାଇଲ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଥିବା ବେଳେ ଆଜି ତାଙ୍କୁ ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଉ ଏକ ହାଇପ୍ରୋଫାଇଲ ଲୋକସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ | ଶ୍ରୀ ମଙ୍ଗରାଜ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ଭାଳିବେ । ଏହି ଦାୟିତ୍ୱକୁ ସେ ଚାଲେଂଜ ଭାବେ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ରଖିଥିବା ଭରସାକୁ ନିଶ୍ଚିତ ସାକାର କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ " ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁ ତାକୁ ସୁଚାରୁରୂପେ ତୁଲାଇଛି |ବର୍ତ୍ତମାନ ମୁଁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଛି | ତାପରେ ଅତିରିକ୍ତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଅତିରିକ୍ତ ଭାବେ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି | ସେଥିପାଇଁ ମୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ୫ଟି ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଉଛି | ମତେ ଯେଉଁ ଗୁରୁ ଦାୟିତ୍ୱ ଦିଆଯାଇଛି ତାକୁ ସଠିକ ଭାବେ ରୂପାୟନ କରିବି ବୋଲି ଆଶା ରଖିଛି | ନିର୍ବାଚନ ଆଉ ତିନି ଚାରିମାସ ଥିବା ବେଳେ ଦଳର ସଭାପତି ଦେଇଥିବା ଦାୟିତ୍ୱ ମୁ ସଠିକ ଭାବେ ତୁଲାଇବି"
ସାମ୍ବାଦିକଂକଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ" ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ କିଛି ଚାଲେଞ୍ଜ ନାହିଁ | ଦିନକୁ ଦିନ ବିଜେଡି ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି | ଦଳ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି | ମୋ ପାଇଁ ଏ ଦାୟିତ୍ୱ କିଛି ଚାଲେଞ୍ଜ ନୁହେ | ଯେ କୌଣସି ଚାଲେଞ୍ଜ ଆସିଲେ ବି ମୁ ଗ୍ରହଣ କରିବାକୁ ପ୍ରସ୍ତୁତ | ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରି ଦାୟିତ୍ୱ ପ୍ରଦାନ କରିଛନ୍ତି ତାକୁ ମୁ ସଫଳତାର ସହ ନିର୍ବାହ କରିବି" ବୋଲି କହିଛନ୍ତି ଶ୍ରୀ ମଙ୍ଗରାଜ |








