ହେଡଲାଇନସ୍:

ବଢୁଥିବା ଶୀତ ଲହରୀ ର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୦.୧୨.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ଯ ରେ ଏବେ ବଢୁଛି ଶୀତ ର ପ୍ରକୋପ ଓ ତଳକୁ ଖସୁଛି ପାରଦ।ଜିଲ୍ଲା ରେ ଏହି ବର୍ଦ୍ଧିତ ଶୀତ ଲହରୀ ର ମୁକାବିଲା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ,ଆଭାସୀ ମାଧ୍ୟମ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଶୀତ ଲହରୀ ଓ ଏହାର ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ କହିଥିଲେ। ଜଗତସିଂହପୁର ଓ ପାରାଦ୍ଵୀପ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଏବଂ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ସହ ଏନ୍ ଜି ଓ ଏବଂ ସିଭିଲ ସୋସାଇଟି ଗୁଡିକୁ ସଜାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାସହୀନଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳ ତିଆରି ସହ ଏହାର ପ୍ରଚାର ପାଇଁ ବ୍ୟାନର ଲଗାଇବାକୁ ଶ୍ରୀମତୀ ବିଶ୍ଵାଳ ଦୁଇ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଏବଂ ବି ଡି ଓ ମାନଙ୍କୁ କହିଥିଲେ। ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ପରିସର, କମ୍ୟୁନିଟି ସେଣ୍ଟର ଓ ସରକାରୀ କୋଠା ଗୁଡିକ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାତ୍ରି ଆଶ୍ରୟସ୍ଥଳ ଗୁଡିକ ରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଭାବେ ବ୍ୟବସ୍ଥା କରାଯିବା ସହ ଜିରୋ କାଜୁଆଲିଟି କୁ ଗୁରୁତ୍ଵ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦୁର୍ଭାଗ୍ୟ ବଶତଃ ଯଦି କୌଣସି ସ୍ଥାନରେ ଏପରି ଘଟଣା ଘଟେ, ତେବେ ତୁରନ୍ତ ତାର ତଦନ୍ତ କରିବା ପାଇଁ ସେ ତହସିଲଦାର ଓ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଜିଲ୍ଲା ସ୍ତରୀୟ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କୁ ସଜାଗ ରହିବାକୁ କହିଥିଲେ ଅତିରିକ୍ତ ଜିଲ୍ଲାପାଳ। ସେହିପରି ପ୍ରାଣୀ ସମ୍ପଦ ର ସୁରକ୍ଷା ପାଇଁ ସେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଓଡିଶା ସରକାର ଙ୍କ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଗୁଡିକୁ ପ୍ରତ୍ୟେକ ଗ୍ରାମ ଓ ସହରାଞ୍ଚଳରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ ଶ୍ରୀମତୀ ବିଶ୍ଵାଳ। ଜିଲ୍ଲା ସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ସମସ୍ତ ବ୍ଲକ୍ ର ବି ଡି ଓ, ତହସିଲଦାର, ଦୁଇ ପୌର ପରିଷଦ ର ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ଜରୁରୀ ଅଧିକାରୀ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ।

0
0
0
s2sdefault