ହେଡଲାଇନସ୍:

ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଆୟକର ଚଢଉ ପ୍ରସଙ୍ଗରେ ଜାତୀୟ ସ୍ତରରେ ବିଜେପି ନିଶାଣରେ କଂଗ୍ରେସ

  •  ଓଡିଶାରେ କଂଗ୍ରେସ ବିରୁଦ୍ଧରେ ରାଜ୍ୟ ବିଜେପିର ପାଟି ଖୋଲୁନି

  •  ଅର୍ଦ୍ଧସତ୍ୟ କହି ଓଡିଶାକୁ ବଦନାମ କରିବାରେ ଲାଗିଛନ୍ତି ବିଜେପି ନେତା


ଭୁବନେଶ୍ୱର, ୧୧/୧୨/୨୦୨୩: ଆୟକର ବିଭାଗର ଚଢାଉରୁ ୩୦୦ କୋଟି ଟଙ୍କା ମିଳିବାପରେ କେନ୍ଦ୍ରୀୟ ବିଜେପି ନେତୃତ୍ୱ କଂଗ୍ରେସକୁ ଦୁର୍ନୀତିର ଗନ୍ତାଘର କହି ସମାଲୋଚନା କରୁଛନ୍ତି । ସେମାନଙ୍କ କହିବା ଅନୁସାରେ, ମଦ ବ୍ୟବସାୟ ତଥା ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟିକ ପ୍ରତିଷ୍ଠାନରୁ ବିପୁଳ ଅର୍ଥ ଜବତ ହୋଇଛି । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡିଶା କଂଗ୍ରେସ ବିରୁଦ୍ଧରେ ରାଜ୍ୟ ବିଜେପି ନେତାମାନେ ପାଟି ଖୋଲୁନଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଏବଂ ସୋଫିଆ ଆଲମ ।
ଆଜି ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ମୁଖପାତ୍ର କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା , କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ସିଂହ ଠାକୁର, ରାଷ୍ଟ୍ରୀୟ ସ୍ତରର ନେତା ଜି.କିଷାନ ରେଡ୍ଡୀ, ଅମିତ ମାଲବ୍ୟ ପ୍ରମୁଖ କଂଗ୍ରେସ ଉପରେ ପ୍ରଶ୍ନଚିହ୍ନ ଉଠାଇବା ସହିତ ଏହି ଦୁର୍ନୀତି କଂଗ୍ରେସ କରିଛି ଏବଂ ଏହାର ନେତା ଉତ୍ତର ଦେବାର ଆବଶ୍ୟକ ଅଛି ବୋଲି ବାରମ୍ବାର ଉଲ୍ଲେଖ କରୁଛନ୍ତି ।
ସଂସଦର ଗାନ୍ଧୀମୂର୍ତ୍ତି ତଳେ ଆଜି ବିଜେପି ସାଂସଦମାନେ କଂଗ୍ରେସ ସାଂସଦଙ୍କ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶାରେ ରାଜ୍ୟ ବିଜେପିର ନେତାମାନେ ଠିକ୍‍ ଏହାର ଓଲଟା କାମ କରୁଥିବାର ଦେଖିବାକୁ ମିଳୁଛି । ସେମାନେ ଏକ ପ୍ରକାର ପ୍ରତିଜ୍ଞା କରିଛନ୍ତି ଯେ ଯେନତେନ ପ୍ରକାରେ ଏହି ପ୍ରସଙ୍ଗରେ କଂଗ୍ରେସକୁ ବଞ୍ଚାଇବେ ।
ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ବିଜେପି ସବୁବେଳେ ଓଡିଶାକୁ ବଦନାମ କରିବାକୁ ଚେଷ୍ଟା କରୁଛି । ଯେଉଁଥିପାଇଁ ଜନତାଙ୍କ ମଧ୍ୟରେ ଗୁରୁତ୍ୱ ହରାଇ ବସୁଛି । ଟଙ୍କା ଜବତ ମାମଲାରେ ମଧ୍ୟ ସମାନ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ମିଛି ଏବଂ ମନଗଢା କାହାଣୀ ଆଧାରରେ ଓଡିଶାକୁ ବଦନାମ କରିବାକୁ ରାଜ୍ୟ ବିଜେପି ନେତାମାନେ ଚେଷ୍ଟା ଚଳାଇଛନ୍ତି । ଲାଗୁଛି ଏହି ପୂରା ପ୍ରସଙ୍ଗରେ ରାଜ୍ୟ ବିଜେପି ନେତା, ରାଷ୍ଟ୍ରୀୟ ନେତୃତ୍ୱଙ୍କ ଆଭିମୁଖ୍ୟର ବିପରୀତ ଦିଗରେ ଯାଇ ରାଜ୍ୟ କଂଗ୍ରେସକୁ ପ୍ରାଣପଣେ ବଞ୍ଚାଇବାକୁ ସେମାନଙ୍କ ସାମ୍ନାରେ ଢାଲ ଭଳି ଛିଡା ହୋଇଛନ୍ତି । ଯାହା କଂଗ୍ରେସ ସହ ବିଜେପିର ନିବିଡତା ଓ ଗୁପ୍ତ ବୁଝାମଣାକୁ ପଦାରେ ପକାଇଛି ।
ଯାହା ଶୁଣିବାକୁ ମିଳୁଛି ଏହି ଟଙ୍କା ଛତିଶଗଡ ନିର୍ବାଚନେରେ ବ୍ୟବହାର କରିବାକୁ ରଖାଯାଇଥିଲା, ହେଲେ ସଠିକ୍‍ ସମୟରେ ସ୍ଥାନାନ୍ତର କରାଯାଇ ପାରିନଥିଲା । ପରେ ଆୟକର ବିଭାଗର ଚଢାଉରେ ଏହା ଧରାପଡିଥିଲା । ଓଡିଶା ବିଜେପିକୁ ଉତ୍ତର ଦେବାକୁ ପଡିବ ଯେ କାହିଁକି ସେମାନେ ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ? ଏ ନେଇ ରାଜ୍ୟ କଂଗ୍ରେସ ଓ ରାଜ୍ୟ ବିଜେପି ମଧ୍ୟରେ କିଛି ବୁଝାମଣା ହୋଇଛି କି ? ରାଜ୍ୟବାସୀ ଏହା ଜାଣିବାକୁ ଚାହୁଁଛନ୍ତି ।
ମିଛ କହି, ଭୁଲ୍‍ ତଥ୍ୟ ଦେଇ ପ୍ରତି ପ୍ରସଙ୍ଗରେ ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରିବା ରାଜ୍ୟ ବିଜେପି ନେତାଙ୍କ ଅଭ୍ୟାସ ହୋଇଗଲାଣି । ସାଢେ ୪କୋଟି ଓଡିଶାବାସୀ ଜାଣି ସାରିଲେଣି ଯେ ଏହି ଦୁର୍ନୀତି ମାମଲାରେ ଓଡିଶା ବିଜେପି ରାଜ୍ୟ କଂଗ୍ରେସକୁ ସୁରକ୍ଷା ଦେଉଛି । ଅଭ୍ୟାସଗତ ଭାବେ ମିଛ କହି, ବିଭ୍ରାନ୍ତିକର ଯୁକ୍ତ ଉପସ୍ଥାପନ କରି ଓଡିଶାକୁ ବଦନାମ କରିବା ଯୋଗୁଁ ହିଁ ଓଡିଶାବାସୀ ଅତୀତରେ ରାଜ୍ୟ ବିଜେପିକୁ ବାରମ୍ବାର ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବେ ବୋଲି ଡକ୍ଟର ମହାନ୍ତି ଓ ଶ୍ରୀମତୀ ଆଲମ କହିଛନ୍ତି ।

 

0
0
0
s2sdefault